ଦିନେ ଥିଲେ ତାରକା ଖେଳାଳି, ଆଜି ଅଲୋଡ଼ା

ଆଇପିଏଲ୍ରେ ନିଜ ଯାଦୁ ଦେଖାଇଥିବା ଅନେକ କ୍ରିକେଟ୍ ସେଲିବ୍ରିଟି ଆଜିକାଲି ଅଲୋଡ଼ା ହେବା ପରି ଓପିଏଲ୍ (ଓଡ଼ିଶା ପଲିଟିକାଲ ଲିଗ୍) ରେ ସେମିତି ଡଜନ ଡଜନ ଟାଣୁଆ ନେତା ଅଲୋଡ଼ା- ଅନସୋଲ୍ଡ । ଏମାନେ ନିଜର ବେସ୍ ପ୍ରାଇସ୍ (ପଦ) ଯେତେ କମ୍ କଲେ ବି କୌଣସି ଦଳ ସେମାନଙ୍କୁ ନେବାକୁ ଚାହୁଁ ନାହାନ୍ତି। ଯିଏ ବି ଟିମ୍ ମ୍ୟାନେଜରଙ୍କ ଦୟାରେ ଦଳରେ ଅଛନ୍ତି । ସେମାନେ କେବଳ ଏକ୍ସଟ୍ରା ପ୍ଲେୟାର ପରି କେବଳ ପାଭିଲିଆନରେ ବସିଛନ୍ତି ।
ଦିନ ଥିଲା ରାଜନୀତି ପଡ଼ିଆରେ ଏହି ନେତାମାନେ ଚୌକା ଛକ୍କା ମାରି ଲୋକଙ୍କୁ ଆମୋଦିତ କରୁଥିଲେ । ସେମାନଙ୍କ ବ୍ୟାଟ୍ ବଲ୍ରେ ଏବେ ବି ଦମ୍ ଥିବା ସେମାନେ ଦାବି କରୁଛନ୍ତି । ତଥାପି ବିଭିନ୍ନ ଦଳ ପାଇଁ ସେମାନେ ଅଲୋଡ଼ା କାହିଁକି ତାହା ଏବେ ବି ଅବୋଧ । ଗଲା ଭୋଟ ବେଳେ ରାୟ- ମହାପାତ୍ରଙ୍କ ଲେଉଟାଣି ହେବା ନେଇ ଭାରି ଚର୍ଚ୍ଚା ହେଉଥିଲେ ବି ଶଙ୍ଖ ଦଳ ତାରକା ପୁଞ୍ଜରେ ସେମାନଙ୍କୁ ଦେଖିବାକୁ ମିଳିଲା ନାହିଁ । ପଦ୍ମ ଦଳର ଶୀର୍ଷ କର୍ମକର୍ତ୍ତା ବର୍ଗରେ ସାମିଲ ହେବା ସତ୍ତ୍ବେ ବି ହେଲିକପ୍ଟର ପଣ୍ଡା ସେପରି କିଛି ଆଖି ଦୃଶିଆ କରିସ୍ମା ଦେଖାଇ ପାରିଲେ ନାହିଁ । ପଦ୍ମ ଦଳ ଛାଡ଼ିବା ପରେ ପାରାଦ୍ବୀପ ପଣ୍ଡିତଙ୍କ ସମ୍ପର୍କରେ ବିଶେଷ କିଛି ଖବର ମିଳୁନାହିଁ, ଆଉ ହାତ ଦଳରୁ ବିଦା ହୋଇଥିବା ଜେନା କମ୍ପାନୀ ମଝି ସ୍ବର୍ଗରେ ତ୍ରିଶଙ୍କୁ ହୋଇ ଝୁଲୁଛନ୍ତି ।
ମହାମେଘ ଦଳଭୁକ୍ତ ହୋଇଥିଲେ ବି ତାଙ୍କର ସେପରି କିଛି ଭୂମିକା ନାହିଁ, ତ୍ରିପାଠୀ ତ ନିଜ ଦଳର ଏକମାତ୍ର ନେତା ଓ କର୍ମୀ । ସମୃଦ୍ଧ ଯତୀଶ ଗଲା ଭୋଟ ସମୟରେ ମହାକୁଡ଼ଙ୍କ ସହ ମିଶି ଏକ ସମୟରେ ଧର୍ମଶାଳା ଆଉ ଚମ୍ପୁଆରେ ଦଳର ପ୍ରିମିୟର କରିବାର ଚର୍ଚ୍ଚା ବି ଫୁସକି ଗଲା । ତେଣୁ ଆଗାମୀ ଦିନରେ ଏହି ସବୁ ସେଲିବ୍ରିଟି କୁଆଡ଼େ ଭାଷ୍ୟକାର ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି କେହିକେହି କହିଲେଣି।