ଶେଷ ସୀମାରେ ଇଡ଼ି: ସୁପ୍ରିମକୋର୍ଟ

Spread the love

ନୂଆଦିଲ୍ଲୀ/ଭୂବନେଶ୍ୱର: ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ୍‌ (ଟାସ୍‌ମାକ୍) ତଥା ରାଜ୍ୟ ପରିଚାଳିତ ମଦ ନୀତିରେ ହୋଇଥିବା  ଅନିୟମିତତାର ତଦନ୍ତ କରୁଥିବା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ସୁପ୍ରିମ୍‌କୋର୍ଟ  ଆଜି କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗୱାଇ ଏହି ମାମଲାର ଶୁଣାଣିରେ କହିଛନ୍ତି,  କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି  ସବୁ ସୀମା ଅତିକ୍ରମ କରୁଛି। ଇଡି ସଂଘୀୟ ବ୍ୟବସ୍ଥା ଉଲ୍ଲଂଘନ କରୁଛି ବୋଲି ମଧ୍ୟ  ପ୍ରଧାନ ବିଚାରପତି କହିଛନ୍ତି।  କୋର୍ଟ ଏ ବାବଦ ଇଡି ତଦନ୍ତ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ  ସମଗ୍ର ମାମଲାରେ ଏଜେନ୍ସିକୁ ଜବାବ ଦାଖଲ କରିବାକୁ କୁହାଯାଇଛି।

ତାମିଲନାଡ଼ୁ ସରକାରଙ୍କ ଆବେଦନ ଉପରେ ଗୁରୁବାର ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଥିଲା । ପିଟିସନରେ ମାଡ୍ରାସ ହାଇକୋର୍ଟ ଦ୍ବାରା ଇଡିକୁ ଦିଆଯାଇଥିବା ତଦନ୍ତର ସ୍ୱାଧୀନତାକୁ ଚ୍ୟାଲେଞ୍ଜ  କରାଯାଇଥିଲା। ଟାସ୍‌ମାକ୍‌ରେ ହୋଇଥିବା ୧୦୦୦ କୋଟି ଟଙ୍କାର ମଦ ଦୁର୍ନୀତିର ତଦନ୍ତ ପାଇଁ ହାଇକୋର୍ଟ ଇଡିକୁ ମୁକ୍ତ ସୁଯୋଗ ଦେଇଥିଲେ।  ନିଗମ ବିରୋଧରେ ଏଭଳି ଆପରାଧିକ ମାମଲା କିଭଳି ରୁଜୁ ହୋଇପାରିବ ବୋଲି ପ୍ରଧାନବିଚାରପତି ପ୍ରଶ୍ନ କରିଛନ୍ତି।  ବାସ୍ତବରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମସ୍ତ ସୀମା ଅତିକ୍ରମ କରୁଛି।  ସେଠାରେ ଅଧିକାରୀଙ୍କ ବିରୋଧରେ ଏଫ୍‌ଆଇଆର୍‌ ଥିବା ବେଳେ ଇଡି କେଉଁ ଆଧାରରେ ସେଠି ତଦନ୍ତ କରୁଛି ଓ ଚଢ଼ଉ ଜାରି ରଖିଛି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି। ଇଡି ତଦନ୍ତ ପ୍ରକ୍ରିୟା ନେଇ ସତ୍ୟପାଠ ଦାଖଲ କରିବା ଉଚିତ ବୋଲି ପ୍ରଧାନ ବିଚାରପତି କହିଛନ୍ତି।