ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହ୍ୱାଇଟ୍ ହାଉସ୍ରେ ବୁଧବାର ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍ ରାମାଫୋସାଙ୍କୁ ଜୋରଦାର ଘେରିଛନ୍ତି । ଦୁଇଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ବୈଠକ ବସିଥିଲା । କିନ୍ତୁ ଏଥିରୁ କୌଣସି ନିର୍ଯାସ ବାହାରି ନ ଥିଲା । ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ସେଭଳି କୌଣସି ବଡ଼ ନିଷ୍ପତ୍ତି ହୋଇନଥିଲା । ବୈଠକରେ ରାମାଫୋସା ଅଧିକ ସମୟ ଧରି ଚୁପ୍ଚାପ୍ ବସି ଟ୍ରମ୍ପ୍ଙ୍କ କଥା ଶୁଣିଥିଲେ ।
ଦକ୍ଷିଣ ଆଫ୍ରିକାରେ ଶ୍ୱେତାଙ୍ଗ ଲୋକମାନଙ୍କୁ ବିଶେଷକରି ଶ୍ୱେତାଙ୍କ ଚାଷୀଙ୍କୁ ହତ୍ୟା କରାଯାଉଥିବା ନେଇ ଟ୍ରମ୍ପ୍ ଅଭିଯୋଗ କରିଥିଲେ । ପ୍ରମାଣସ୍ୱରୂପ ହ୍ୱାଇଟ୍ ହାଉସ୍ରେ ପ୍ରାୟ ୫ ମିନିଟ୍ର ଭିଡିଓ ଦେଖାଯାଇଥିଲା । ଟ୍ରମ୍ପ୍ କହିଥିଲେ, ଏହି ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ଆମ ପାଖରେ ହଜାର ହଜାର କାହାଣୀ ରହିଛି । ଡକ୍ୟୁମେଣ୍ଟାରି ବି ଅଛି । ଏହାପରେ ଉକ୍ତ ଭିଡିଓକୁ ହ୍ୱାଇଟ୍ ହାଉସ୍ର ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା ।