ଭୁବନେଶ୍ୱର: ଲୁଚିଲେ, ଦୌଡ଼ିଲେ ଆଉ ଶେଷରେ ଲାଙ୍ଗୁଡ଼ ଜାକି ଅଡ଼ିଟୋରିୟମରେ ପଶି ଗଲେ। ଆଜି ଶଙ୍ଖ ଭବନରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ପିଏମଜିରେ ଗଣଧାରଣା ପାଇଁ ଶଙ୍ଖ ଭବନରେ ଏକାଠି ହୋଇଥିଲେ ଦଳର ସମସ୍ତ ବିଧାୟକ ପ୍ରାର୍ଥୀ, ସାଂସଦ ପ୍ରାର୍ଥୀଙ୍କ ସହ ରାଜ୍ୟସଭା ସାଂସଦ ଗଣ। ଠିକ ସମୟରେ ସେଠାରେ ଆସି ପହଞ୍ଚିଥିଲେ ବିଜେଡ଼ି ବରିଷ୍ଠ ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ମାନସଙ୍କ ସହ ପାଖାପାଖି ୫୦ରୁ ଉର୍ଦ୍ଧ୍ବ ରାଜଧାନୀ ଭୁବନେଶ୍ବରର ଯୁବ ନେତୃତ୍ୱ ଏକାଠି ଶଙ୍ଖ ଭବନକୁ ପ୍ରବେଶ କରିଥିଲେ। ହଠାତ ଏଭଳି ଦୃଶ୍ୟ ଦେଖି କେହି କିଛି ବୁଝିବା ଆଗରୁ କିଛି ନିର୍ଦ୍ଦିଷ୍ଟ ନେତା, କିଛି ବିଷୟ ନଥିବା ଯୁବ ଓ ଛାତ୍ର ନେତା ଗଣ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।
ଘଟଣାଟି କିଛି ଏଭଳି ଢଙ୍ଗରେ କହିବାକୁ ଗଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଆଜି ବିଜେଡ଼ି ଦ୍ୱାରା ଆୟୋଜିତ ଜଣ ଜାଗରଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ଶଙ୍ଖ ଭବନରେ ପହଞ୍ଚିଥିଲେ। ପ୍ରାୟ ୫୦ରୁ ଅଧିକ ଭୁବନେଶ୍ୱରର ଯୁବ ନେତୃତ୍ୱ ସେଠାରେ ତାଙ୍କୁ ସ୍ୱାଗତ କରିବା ସହ ଶଙ୍ଖ ଭବନକୁ ମିଳିତ ରୂପେ ପ୍ରବେଶ କରିଥିଲେ। ଏହାକୁ ଦେଖି ପୂର୍ବରୁ ପ୍ରାୟୋଜିତ ଭାବେ ସେଠାରେ ଥିବା ଦୁଇ ତିନି ଜଣ ପୂର୍ବତନ ବିଧାୟକ ଓ ତାଙ୍କ ତଥାକଥିତ ସମର୍ଥକ ମାନେ ଛତ୍ରଭଙ୍ଗ ଦେବା ଆରମ୍ଭ କରିଥିଲେ। କିଏ ବାଥରୁମରେ ପଶିଥିଲେ ତ କିଏ ବରିଷ୍ଠ ନେତାଙ୍କ ପଛରେ ଲୁଚିଥିଲେ। ଆଉ କିଛି ସେ ସ୍ଥାନରୁ ଖସି ପଳାଇଥିବା ବେଳେ ଅନ୍ୟ କିଛି ଅଡ଼ିଟୋରିୟମକୁ ପଶି ଯାଇଥିଲେ। ଯେତେ ପର୍ଯ୍ୟନ୍ତ ସାଂସଦ ମଙ୍ଗରାଜ ଶଙ୍ଖ ଭବନରେ ଉପସ୍ଥିତ ଥିଲେ ସେମାନେ ତାଙ୍କ ସାମ୍ନାକୁ ଆସିବାକୁ ସାହସ କରିନଥିଲେ।ସୂଚନାଯୋଗ୍ୟ ଏମାନେ ପୂର୍ବରୁ ସାଂସଦ ମଙ୍ଗରାଜଙ୍କୁ କୌଣସି ବିନା କାରଣରେ ଅଗଣତାନ୍ତ୍ରିକ ଉପାୟରେ ବିରୋଧ କରିବାକୁ ଚେଷ୍ଟା କରିଥିଲେ ଓ ସର୍ବଦା ବିଫଳ ହୋଇଥିଲେ। ଆଉ ଆଜି ହଠାତ ସାଂସଦ ଓ ତାଙ୍କ ସମର୍ଥକଙ୍କୁ ଦେଖି ଡରି ଯାଇଥିଲେ।
ତେବେ ଆଜି ସାଂସଦ ମାନସଙ୍କ ସହ ଉପସ୍ଥିତ ଯୁବ ନେତୃତ୍ୱ ମାନେ ପରୋକ୍ଷରେ କହିଛନ୍ତି ଯେ ଯେଉଁମାନେ ଦଳ ବିରୋଧରେ ଷଡଯନ୍ତ୍ର କରିବେ, ଦଳକୁ ଭାଙ୍ଗିବାକୁ ଚେଷ୍ଟା କରିବେ ଓ ଦଳୀୟ କାର୍ଯ୍ୟାଳୟରେ ବସି ଆଡ୍ଡା ଜମେଇବେ ସେମାନଙ୍କ ପାଇଁ ଆଜିର ଶୋ’ କେବଳ ଟ୍ରେଲର ଥିଲା ଆଗାମୀ ଦିନରେ ଫିଲ୍ମ ପୁରା ଶୁଭ ମୁହୂର୍ତ୍ତରେ ରିଲିଜ କରାଯିବ।
ଦଳରେ ଦଳ ନେତାଙ୍କ ଷଡଯନ୍ତ୍ର
ନିର୍ଦ୍ଦିଷ୍ଟ ଭାବେ ବିଜୁ ଜନତା ଦଳ ବିରୋଧୀ ଦଳ ଭାବେ ଯେବେ ଯେବେ କିଛି ବଡ଼ କାର୍ଯ୍ୟକ୍ରମ ସରକାର ବିରୋଧରେ କରିବା ପାଇଁ ସ୍ଥିର କରୁଛି ଠିକ ସେତିକିବେଳେ ଦଳର ଏକ ଗୋଷ୍ଠୀ ତାହାକୁ ସଫଳ ନ କରିବା ପାଇଁ ଯୋଜନା କରୁଛନ୍ତି। ବିଗତ ଦିନରେ ମଧ୍ୟ ଏହାର ଅନେକ ଉଦାହରଣ ରହିଛି। ବିରୋଧୀ ଦଳ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ସଠିକ ରୂପେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ପୂର୍ବରୁ କିଛି ନା କିଛି କାଣ୍ଡ ଘଟାଇ ସିଧାସଳଖ ନବୀନଙ୍କୁ ମେସେଜକୁ ଚ୍ୟାଲେଞ୍ଜ କରୁଥିବା ଦେଖିବାକୁ ମିଳୁଛି।
ଦଳବିରୋଧୀ ଗଣମାଧ୍ୟମକୁ ସହଯୋଗ
ଦଳବିରୋଧୀ ଗଣମାଧ୍ୟମ ଦ୍ୱାରା ଦଳର ଆଭ୍ୟନ୍ତରୀଣ ଘଟଣାକୁ ବିଭିନ୍ନ ମସଲା ଦେଇ ଅତିରଞ୍ଜିତ ଖବର କରିବା ପାଇଁ ପ୍ରବତାଉଛନ୍ତି। ବିଜୁ ଜନତା ଦଳ ସରକାରରୁ ଯିବା ପରଠୁ ଦଳର ସମସ୍ତ ନିଷ୍ପତ୍ତି, ପ୍ରାକ କାର୍ଯ୍ୟକ୍ରମ ଓ ବୈଠକ ସମ୍ପର୍କରେ ବିଜୁ ଜନତା ଦଳରୁ ଧକା ଖାଇ ବାହାରିଥିବା ଜଣେ ବ୍ୟକ୍ତିଙ୍କ ଗଣମାଧ୍ୟମକୁ ଟିକନିକ ଖବର ଏମାନେ ଦେଉଛନ୍ତି। ଦଳର ହିତ ପାଇଁ କମ ଦଳର ନାଁ କିପରି ବଦନାମ କରିହେବ ସେନେଇ ଦିନ ରାତି ପରିଶ୍ରମ କରୁଛନ୍ତି। ପ୍ରାୟୋଜିତ ଘଟଣା ମାନ ଘଟାଇ ସଙ୍ଗେ ସଙ୍ଗେ ସ୍କ୍ରିପ୍ଟ ଲେଖି ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଦେଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଗୁଜବ ସୃଷ୍ଟି କରି ବିଜେଡ଼ିରୁ ତଡା ଖାଇଥିବା ବ୍ୟକ୍ତି ନିଜର ରାଜନୈତିକ ଉଦ୍ଦେଶ୍ୟ ସାଧିତ କରିବା ପାଇଁ ସର୍ବଦା ବିଜୁ ଜନତା ଦଳ ଓ ଏହାର ସଭାପତିଙ୍କ ନାଁ ରେ ଅଯଥା ମିଛ ସତ କରି ଖବର ପରିବେଷଣ କରୁଥିବା ବେଳେ ବିଜେଡ଼ି ଭିତରୁ ଏଭଳି ମିଛ ଖବର ଦେଉଥିବା ଲୋକଙ୍କ ପାଇଁ ଉଭୟଙ୍କ ଉଦ୍ଦେଶ୍ୟ ସାଧିତ ହୋଇପାରିଛି।
ଆକ୍ସନର ଡ଼ର
ଦଳ ଭିତରେ ରହି ଦଳକୁ ଭାଙ୍ଗୁଥିବା କିଛି ନିର୍ଦ୍ଦିଷ୍ଟ ନେତାଙ୍କ ଵିରୋଧରେ ଖୁବଶୀଘ୍ର ଆକ୍ସନ ନିଆଯାଇପାରେ ବୋଲି ଶୁଣାଯାଉଛି। ସମସ୍ତ ବିବାଦ ପଛରେ ଥିବା ଦୁଇ ନେତାଙ୍କ ମଧ୍ୟ ଜଣେ ରାଜନୈତିକ ବ୍ୟାପାର କମିଟିରେ ରହି ସର୍ବଦା ଦଳ ବିରୋଧରେ କାମ କରୁଛନ୍ତି, ନିର୍ବାଚନ ପୂର୍ବରୁ ଦଳ ବିରୋଧୀ ବୟାନ ମାନ ଦେବା ସହ ନିଜର ରାଜନୈତିକ ଅସ୍ତିତ୍ବ ହରାଇଥିବା ନେତା ଜଣକ ଶେଷ ମୁହୂର୍ତ୍ତରେ ନିଜର ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ କରି ଦଳକୁ ଦୁଇଟି ଜାଗାରେ ପରାଜୟର ସାମ୍ନା କରେଇଥିଲେ। ଆଉ ଜଣେ ନିଜ ଦ୍ୱାରା ସୃଷ୍ଟି କରିଥିବା ଜଣେ ଯୁବ ନେତାଙ୍କ ଠାରୁ ଚଳିତ ନିର୍ବାଚନରେ ଅତି ଲଜ୍ଜିତ ହୋଇ ପରାଜିତ ହେବା ପରେ ନିର୍ବାଚନ ମଣ୍ଡଳୀରେ ପ୍ରବେଶ ବନ୍ଦ ହୋଇଯାଇଛି। ଉଭୟ ନିଜକୁ ଯୁବ ନେତା ବୋଲାଉଥିବା ହିଁ ଦଳର ସମସ୍ତ ବିଶୃଙ୍ଖଳା ଘଟଣା ପଛରେ ଥିବା ଜଣାପଡିଛି। ଶଙ୍ଖ ଭବନରେ ଦଳୀୟ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରୁଥିବା ନେତା ଓ ତାଙ୍କ ସହଯୋଗୀଙ୍କୁ ଚିହ୍ନଟ ସରିଥିବା ବେଳେ ଦଳ ଦ୍ୱାରା ଗଠିତ ରାଜନୈତିକ କମିଟି ସେମାନଙ୍କର ନାଁ ସିଧାସଳଖ ସଭାପତିଙ୍କ ନିକଟକୁ ପଠାଇଥିବା ଜଣାପଡିଛି। ଏଭଳି ସ୍ଥିତିରେ ଯଦି ଦଳ ପକ୍ଷରୁ ଆକ୍ସନ ହେବ ତେବେ ସବୁ ବାଟ ବନ୍ଦ ହେଇଯିବ ଜାଣି ଏବେ ଉଭୟ ବାଉଳି ଚାଉଳି ହେଉଛନ୍ତି ଓ କିଛି ବରିଷ୍ଠ ନେତାଙ୍କୁ ଭେଟି କାକୁତି ମିନତୀ ହେଉଥିବା ଜଣାପଡ଼ିଛି।