ସାଷ୍ଟାଙ୍ଗ ପ୍ରଣାମ ଉପରେ ଭାରି ପଡିବ କି ଝିଅ ଆଖିର ଲୁହ ?
ପ୍ରଚାର ଆରମ୍ଭରୁ ବର୍ଷାଙ୍କ ଆଖିରେ ଲୁହ। ଭାଷଣ ଦେଲା ବେଳେ ସ୍ବର୍ଗତ ବାପା ବିଜୟ ରଂଜନ ସିଂ ବରିହାଙ୍କ କଥା ମନେ ପକାଇ କୋହ ସମ୍ବରଣ କରିପାରୁ ନାହାନ୍ତି। ସ୍ବତଃପ୍ରବୃତ୍ତ ଭାବେ ଜକାଇ ଯାଉଛି ଆଖି। ବର୍ଷାଙ୍କ ଏହି ଲୁହଭରା ଭୋଟ୍ ନିବେଦନ ଏବେ ପଦ୍ମପୁରର ଭୋଟରମାନଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଶେଷତଃ ମହିଳା ଭୋଟରମାନେ ଏଥିପ୍ରତି ଆକର୍ଷିତ ହେବେ ବୋଲି ବିଜେଡି ଆଶା ବାନ୍ଧିଛି । ପଦ୍ମପୁର ଆସନରୁ ୫ ଥର ବିଧାୟକ ଥିବା ବିଜୟ ରଂଜନ ସିଂ ବରିହାଙ୍କ ଆବର୍ତ୍ତମାନରେ ବଡ଼ ଝିଅ ବର୍ଷା ଏବେ ନିର୍ବାଚନୀ ମଇଦାନରେ ।
ସମ୍ମୁଖ ଯୁଦ୍ଧରେ ଦୁଇ ଭେଟେରାନ୍ ନେତା ବିଜେପିର ପ୍ରଦୀପ ପୁରୋହିତ ଓ କଂଗ୍ରେସର ସତ୍ୟଭୂଷଣ ସାହୁ । ନବାଗତା ହେଲେ ମଧ୍ୟ ବାପାଙ୍କ ସମୟରେ ହୋଇଥିବା ବିକାଶ କାର୍ଯ୍ୟକୁ ପାଥେୟ କରି ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଆଶା ବାନ୍ଧିଛନ୍ତି ବର୍ଷା। ଅନୁକମ୍ପା ଭୋଟ୍ ତାଙ୍କ ପାଇଁ ଏକ ଟ୍ରମ୍ପ କାର୍ଡ ହେବ ବୋଲି ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ କରିଛି। ବର୍ଷାଙ୍କ ଲୁହକୁ ମୁକାବିଲା କରିବାକୁ ତଥା ଭୋଟରଙ୍କ ମନ ଜିଣିବାକୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ପଛରେ ନାହାନ୍ତି। ପ୍ରତି ନିର୍ବାଚନୀ ସଭା ଆରମ୍ଭରେ ମଞ୍ଚରୁ ତଳକୁ ଓହ୍ଲାଇ ଆସୁଛନ୍ତି। ଆଉ ସମବେତ ଭୋଟରମାନଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରୁଛନ୍ତି । ସେତେବେଳେ ତାଳି ମାଡ଼ରେ କମ୍ପିଯାଉଛି ସଭାସ୍ଥଳ । କି ଛୁଆ କି ବୁଢ଼ା ସମସ୍ତେ ବେଶ୍ ଭାବବିହ୍ୱଳିତ ହୋଇ ପଡୁଛନ୍ତି। ଶ୍ରୀ ପୁରୋହିତଙ୍କ ସର୍ବସାଧାରଣ ସ୍ଥାନରେ ଏହି ପ୍ରଣାମ ଏଥରକ ବିଜେପି ପ୍ରଚାରକୁ ବେଶ ରୋଚକ ମୋଡରେ ପହଞ୍ଚାଇଛି।
୨୦୧୪ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି ମାତ୍ର ୧୦ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲା। ସେଥିରୁ ଗୋଟିଏ ଥିଲା ପଦ୍ମପୁର। ପଦ୍ମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ବିଜୟ ଯଦିଓ ଅପ୍ରତ୍ୟାଶିତ ନ ଥିଲା, କିନ୍ତୁ ସାରା ରାଜ୍ୟକୁ ଚକିତ କରିଥିଲା। ଗନ୍ଧମାର୍ଦ୍ଦନ ବଞ୍ଚାଅ ଆନ୍ଦୋଳନର ନେତୃତ୍ଵ ନେଇ ଆସୁଥିବା ପ୍ରଦୀପ ୪୫୧୩ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେଡ଼ିର ବିଜୟ ରଂଜନ ସିଂ ବରିହାଙ୍କୁ ହରାଇଥିଲେ । ୨୦୧୯ରେ ସ୍ଥିତି ପୁଣି ଓଲଟିଥିଲା । ବିଜେଡ଼ିର ସ୍ବର୍ଗତ ବରିହା ୫୭୩୪ ଖଣ୍ଡ ଅଧିକ ଭୋଟରେ ବିଜେପିର ପ୍ରଦୀପଙ୍କୁ ହରାଇଥିଲେ।
ଉଭୟ ପ୍ରାର୍ଥୀ ବର୍ଷା ଓ ପ୍ରଦୀପ ଜାଣିଛନ୍ତି ସେମାନଙ୍କ ଏକ ନିର୍ଦ୍ଦିଷ୍ଟ ଭୋଟ ବ୍ୟାଙ୍କ ରହିଛି। ମାତ୍ର ୫ ହଜାରରୁ ୧୦ ଭୋଟ ବ୍ୟବଧାନରେ ହାରଜିତ୍ ନିର୍ଦ୍ଧାରଣ ହେବ। ୮ ମାସ ତଳେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ଫଳ ସମୀକ୍ଷା କଲେ ଏଥର ଉପନିର୍ବାଚନରେ ଏଥର ମଧ୍ୟ ବିଜେଡ଼ି-ବିଜେପି କଡ଼ା ଟକ୍କର ହେବ ବୋଲି ସ୍ପଷ୍ଟ ପ୍ରତୀୟମାନ । ନିର୍ବାଚନ ମଣ୍ଡଳୀର ୮ଟି ଜିଲ୍ଲା ପରିଷଦ ଜୋନକୁ ଉଭୟ ବିଜେଡ଼ି ଓ ବିଜେପି ୪ଟି ଲେଖାଁ ଭାଗ କରି ନେଇଥିଲେ। ପଦ୍ମପୁର ବ୍ଳକର ୩ଟି ଜିଲ୍ଲା ପରିଷଦ ଜୋନରୁ ବିଜେପି ଦୁଇଟି ଓ ବିଜେଡ଼ି ଗୋଟିକରେ ଜିତିଥିଲା। ଏହି ୩ଟି ଜୋନରେ ବିଜେଡି ଓ ବିଜେପି ଭୋଟ୍ ହାର ପାଖାପାଖି ସମାନ ରହିଥିଲା। ପାଇକମାଲ ବ୍ଳକର ୩ଟି ଜୋନରୁ ବିଜେପି ଦୁଇଟି ଓ ବିଜେଡି ଗୋଟିଏରେ ବିଜୟୀ ହୋଇଥିଲା। ଏଠାରେ ମଧ୍ୟ ଦୁଇ ଦଳର ଭୋଟ୍ ହାର ପ୍ରାୟ ସମାନ ଥିଲା। କିନ୍ତୁ ଝାରବନ୍ଧ ବ୍ଳକର ଦୁଇଟି ଜୋନକୁ ବିଜେଡ଼ି କବ୍ଜା କରିଥିଲା। ଏଠାରେ ବିଜେଡି ବିଜେପିଠାରୁ ପ୍ରାୟ ୬ ହଜାର ଭୋଟ୍ ଅଧିକ ପାଇଥିଲା।
ପଦ୍ମପୁର ଏନ୍ଏସିରେ ବିଜେଡ଼ି ୪୭୩୭ ଖଣ୍ଡ, ବିଜେପି ୪୦୭୫ ଭୋଟ୍ ପାଇଥିଲା। ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୮ଟି ଜିଲ୍ଲା ପରିଷଦ ଜୋନ୍ ଓ ଗୋଟିଏ ଏନଏସିରେ ବିଜେଡ଼ି ପାଖାପାଖି ୯୩ ହଜାରଭୋଟ୍ ହାସଲ କରିଥିଲା । ବିଜେପି ମଧ୍ୟ ପ୍ରାୟ ୮୬ ହଜାର ଭୋଟ୍ ନେଇଥିବା ବେଳେ କଂଗ୍ରେସ ଭୋଟ୍ ବ୍ୟାଙ୍କ ୧୧ ହଜାରକୁ ଖସି ଯାଇଛି । ଏବେ ଉପନିର୍ବାଚନରେ ସ୍ଥିତି ବଦଳିଛି। ଧାମନଗର ଭୋଟ୍ ଫଳାଫଳ କହୁଛି ପଞ୍ଚାୟତ ନିର୍ବାଚନ ଭୋଟ୍ ହାର ବଳବତ୍ତର ରହିନପାରେ। ଗତ ଦୁଇଟି ସାଧାରଣ ନିର୍ବାଚନ ଓ ପଞ୍ଚାୟତ ଭୋଟ୍ ହିସାବ କହୁଛି ବିଜେଡି ଓ ବିଜେପି ଭିତରେ କାଣ୍ଟେ କୀ ଟକ୍କର । ଏହାକୁ ହୃଦୟଙ୍ଗମ କରି ଉଭୟ ଦଳ ଭୋଟରଙ୍କ ମନ କିଣିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। କଂଗ୍ରେସର କିଛି ଭୋଟ୍ ହ୍ରାସ ପାଇଲେ ତାହାକୁ ହାତେଇବାକୁ ଦୁଇ ଦଳ ଅଣ୍ଟା ଭିଡ଼ିଛନ୍ତି। ବିଜେଡିର ନବାଗତା ବର୍ଷାଙ୍କ ଲୁହଭରା ଭୋଟ୍ ନିବେଦନ ଲୋକଙ୍କୁ କେତେ ଆକର୍ଷିତ କରୁଛି ତାହା ୮ ତାରିଖ ଗଣତି ପରେ ସ୍ପଷ୍ଟ ହେବ । ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପଙ୍କ ସାଷ୍ଟାଙ୍ଗ ପ୍ରଣାମ ଦ୍ବିତୀୟ ଥର ତାଙ୍କୁ ବିଧାନସଭା ପଠାଇବାରେ ସଫଳ ହେବ କି ନାହିଁ ତାହା ଦେଖିବାକୁ ବାକି ରହିଲା।