ବୁଝିଲାନି କେନ୍ଦ୍ର: ଜେଇଇ ମେନ୍, ଏନ୍ଇଇଟି ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଜେଇଇ ମେନ୍ ଓ ଏନ୍ଇଇଟି ପରୀକ୍ଷା କରିବା ଲାଗି କେନ୍ଦ୍ର ସରକାର ଜିଦ୍ରେ ଅଟଳ ରହିବା ପରେ ରାଜ୍ୟ ସରକାର ଶୁକ୍ରବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେବେ ବୋଲି ଘୋଷଣା କରିଛନ୍ତି। ସେମାନେ କିଭଳି ସୁବିଧାରେ ରହିବେ ଓ ଯାତାୟତ କରିପାରିବେ, ସେ ଦାୟିତ୍ବ ନେଇଛନ୍ତି ସରକାର। ସେମାନଙ୍କ ରହିବା ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଦକ୍ଷତା ବିକାଶ ବିଭାଗର ପ୍ରମୁଖ ସଚିବ ସଂଜୟ ସିଂହ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ପୂର୍ବରୁ ଏହି ପରୀକ୍ଷା ଦ୍ବୟ ସ୍ଥଗିତ ରଖିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ କରିଥିଲେ। ପ୍ରଥମେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଓ ପରେ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ। ହେଲେ କୌଣସି ବ୍ୟବସ୍ଥା ନ ହେବାରୁ ରାଜ୍ୟ ସରକାର ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ରାଜ୍ୟରେ ଏବେ କୋଭିଡ୍ କଟକଣା ଜାରି ରହିଥିବାବେଳେ ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯାନବାହନ ଚଳାଚଳ ସ୍ବାଭାବିକ ନାହିଁ। ଏଣୁ ମୁଖ୍ୟମନ୍ତ୍ରୀ ଏହି ଛାତ୍ରଛାତ୍ରୀଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବା ଲାଗି ନିର୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀମାନେ କିଭଳି ଭଲରେ ଆସି ପରୀକ୍ଷା ଦେଇ ଫେରିବେ, ସେ ଦାୟିତ୍ବ ନେବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି। ଏପରିକି ପ୍ରବେଶ ପତ୍ର ଦେଖାଇଲେ ସେମାନଙ୍କ ଯାନବାହନକୁ ଛାଡିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି, ଆସନ୍ତା ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ। ପରିକ୍ଷାର୍ଥୀ କେବଳ ସେମାନଙ୍କ ପ୍ରବେଶପତ୍ର ଦେଖାଇଲେ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଯେଉଁ ପରୀକ୍ଷାର୍ଥୀ ନିଜ ସୁବିଧାରେ ଆସିବାକୁ ଚାହିଁବେ, ସେମାନଙ୍କୁ ସରକାର ସହଯୋଗ କରିବେ। ସେମାନଙ୍କ ଯାନବାହନକୁ କୋଭିଡ୍ କଟକଣାମୁକ୍ତ କରାଯିବ। ଯେଉଁମାନେ ସରକାରୀ ବ୍ୟବସ୍ଥାରେ ଆସିବାକୁ ଚାହିଁବେ, ସେମାନେ ଜଣାଇଲେ ତାଙ୍କର ମାଗଣା ନେବା ଆଣିବା ବ୍ୟବସ୍ଥା ମଧ୍ୟ ସରକାର କରିବେ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ୍ ସେଣ୍ଟର କରାଯାଇଛି। ସେଠାରେ ଏକ ସେଲ୍ ଖୋଲିବ ଏବଂ ସରକାର ଟେଲିଫାନ୍ ନମ୍ବର ଜାରି କରିଛନ୍ତି। ସେହି ସେଲ୍କୁ ବ୍ୟକ୍ତିଗତ ଭାବେ ଯାଇ କିମ୍ବା ଫୋନ୍ କରି ପରୀକ୍ଷାର୍ଥୀ ସେମାନଙ୍କ ଆବଶ୍ୟକତା ଜଣାଇଲେ ବ୍ୟବସ୍ଥା କରାଯିବ। ତେବେ ସମସ୍ୟା ସମ୍ପର୍କରେ ଅଗଷ୍ଟ ୩୧ ତାରିଖ ମଧ୍ୟାହ୍ନ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ଜଣାଇବାକୁ ମୁଖ୍ୟ ସଚିବ ସ୍ପଷ୍ଟ କରିଛନ୍ତି। ତା ପରେ ସରକାର ଓଏସ୍ଆର୍ଟିସି, ଘରୋଇ ବସ୍ ଆଦି ବ୍ୟବସ୍ଥା କରି ପରୀକ୍ଷାର୍ଥୀଙ୍କୁ ୭ଟି ପରୀକ୍ଷା କେନ୍ଦ୍ରକୁ ଆଣିବେ ଓ ନେବେ।
ସେହିଭଳି ଯେଉଁମାନେ ରହିବାକୁ ଚାହିଁବେ, ସେମାନେ ଓ ତାଙ୍କ ଅଭିଭାବକଙ୍କୁ ଖାଲିଥିବା ସରକାରୀ ଇଞ୍ଜିନିୟରିଂ କଲେଜ, ପଲିଟେକ୍ନିକ୍, ଘରୋଇ ଇଞ୍ଜିନିୟରିଂ ହଷ୍ଟେଲରେ ନିଃଶୁକ୍ଳରେ ରହିପାରିବେ। ୧୩ ତାରିଖରେ ହେବାକୁ ଥିବା ନିଟ୍ କ୍ଷେତ୍ରରେ ମଧ୍ୟ ଅନୁରୂପ ବ୍ୟବସ୍ଥା ହେବ।