ଓଡିଶା ଚିକିତ୍ସା ବିଜ୍ଞାନରେ ପ୍ରଥମ, ଅଙ୍ଗଦାନ ଯୋଗୁଁ ବଞ୍ଚିଗଲା ୪ ଜୀବନ

Spread the love

ଅଙ୍ଗଦାନ ମହାପୁଣ୍ୟ । ଗୋଟିଏ ଜୀବନ ବଦଳରେ ଗୋଟିଏ ଶରୀରର ୫ ଟି ଅଙ୍ଗ ଦାନ କରି ବହୁମୂଲ୍ୟ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ବାଙ୍କୀ ଅଞ୍ଚଳର ପ୍ରସଞ୍ଜିତ ମହାନ୍ତିଙ୍କ ପରିବାର । ସାରା ରାଜ୍ୟରେ ଏଭଳି ବିରଳ ପ୍ରତିରୋପଣ କରି ଚିକିତ୍ସା ବିଜ୍ଞାନରେ ଉଦାହରଣ ସୃଷ୍ଟି କରିଛି Sum Ultimate ।

ସମସ୍ତଙ୍କ ଆଗରେ ପ୍ରକୃତିସ୍ଥ ହେବାର ଛଳନା ସିନା କରୁଛନ୍ତି ହେଲେ ସମସ୍ତଙ୍କୁ ଲୁଚି କାନ୍ଦିବା ବେଳେ ଅଟକୁନି ଆଖିର ଲୁହ । ଏ ହେଉଛନ୍ତି ମୃଦୁମଞ୍ଜରୀ । ମୃତ ପ୍ରସଞ୍ଜିତ ମହାନ୍ତିଙ୍କ ପତ୍ନୀ। ପ୍ରିୟ ମଣିଷ ସିନା ପର କରି ଆରପାରିକୁ ଚାଲିଗଲେ। ହେଲେ ତାଙ୍କର ୫ଟି ଅଙ୍ଗଦାନ ଯୋଗୁ ବଞ୍ଚିଗଲା ୪ଟି ଜୀବନ । ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ Sum Ultimate ରେ ଭର୍ତ୍ତି ହୋଇଥିଲେ 43 ବର୍ଷୀୟ ପ୍ରସଞ୍ଜିତ। ବ୍ରେନ ଡେଡ଼ ହୋଇଯିବା ନେଇ ପରିବାର ସଦସ୍ୟଙ୍କୁ ଅବଗତ କରାଇଥିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏହା ପରେ ରକ୍ତ ସମ୍ପର୍କୀୟ ଦେଖାଇଥିଲେ ମହାନତା। ଗୋଟିଏ ଶରୀରରୁ ୨ ଟି ବୃକକ, ୨ ଟି ଫୁସଫୁସ ଓ ଗୋଟିଏ ଯକୃତ ଦାନ କରି ଓଡିଶା ଚିକିତ୍ସା ଇତିହାସରେ ସୃଷ୍ଟି କରିଥିଲେ ବିରଳ ଉଦାହରଣ । କୁହାଯାଏ ଅଙ୍ଗଦାନ ମହାପୁଣ୍ୟ, କିନ୍ତୁ ଛାତିକୁ ପଥର କରି ଅନ୍ୟର ଜୀବନ ବଞ୍ଚାଇବାର ସାହସ, ବାସ୍ତବରେ ସମାଜ ପାଇଁ ବେଶ ପ୍ରେରଣାଦାୟୀ ।

କୋଲକାତାର ଏକ ଘରୋଇ ହସ୍ପିଟାଲରେ ୪୫ ଦିନ ଧରି ମୃତ୍ୟୁ ସହ ଲଢ଼ୁଥିବା ୧୬ ବର୍ଷୀୟ ଯୁବକକୁ ୨ ଟି ଫୁସଫୁସ, ଦିଲ୍ଲୀରେ ଅନ୍ୟ ଜଣେ ଗୁରୁତର ରୋଗୀଙ୍କୁ ଯକୃତ ପ୍ରତିରୋପଣ କରାଯାଇଛି। ସେହିପରି ୨ ଟି ବୃକକ କୁ କଟକ ବଡ଼ ମେଡିକାଲରେ ସାରାଂଖିତ ରଖାଯାଇଛି। କମିଶନରେଟ ପୋଲିସର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗ୍ରୀନ କରିଡର କରାଯାଇ ଅଙ୍ଗ ଗୁଡିକୁ ବାହାର ରାଜ୍ୟକୁ ପଠାଯାଇଛି । Sum Ultimate ୨୦ ଜଣ ସ୍ୱାସ୍ଥ୍ୟ ବିଶେଷଜ୍ଞ ଅସମ୍ଭବକୁ ସମ୍ଭବ କରିଛନ୍ତି। ପ୍ରସଞ୍ଜିତଙ୍କ ଏଭଳି ଅକାଳ ବିୟୋଗ ବେଳେ ପତ୍ନୀ ମୃଦୁ ମଞ୍ଜରୀଙ୍କୁ ଚାକିରୀ ଦେଇ ମାନବିକତା ବଞ୍ଚିଥିବା ଆଉ ଥରେ ପ୍ରମାଣ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।

ନ୍ୟାସନାଲ ଅର୍ଗାନ୍‌ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ ର ତଥ୍ୟରୁ ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ଓଡ଼ିଶାରେ ସମୁଦାୟ ୨୭୧ ଜଣ ଜୀବିତ ବ୍ୟକ୍ତି ଅଙ୍ଗ ଦାନ କରିଥିବା ଜଣାପଡିଛି । ପ୍ରତେକ ଦିନ ଅଙ୍ଗ ପ୍ରତିରୋପଣ ଅପେକ୍ଷାରେ ୧୭ ଜଣ ପ୍ରାଣ ହରାଉଥିବା ବେଳେ ଲୋକେ ଅଙ୍ଗଦାନ ଦିଗରେ ଅଧିକ ସଜାଗ ହେବାର ଆବଶ୍ୟକତା ରହିଛି ।