ଓଡ଼ିଶାର ଦୀନ ଦରିଦ୍ର ଲୋକଙ୍କ ସ୍ୱାର୍ଥ ପ୍ରସଙ୍ଗକୁ ଲୋକଲୋଚନକୁ ଆଣିବାକୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ସମାଜ’ର ପରିକଳ୍ପନା କରିଥିଲେ। ଇଂରେଜ ଶାସନ ବିରୋଧ ଲଢ଼େଇରେ ‘ସମାଜ’ର ଭୂମିକା ଥିଲା ଅକଳ୍ପନୀୟ। ପରିବର୍ତ୍ତିତ ସମୟରେ ଏହା ସାପ୍ତାହିକୀରୁ ଦୈନିକର ରୂପ ନେଇଥିଲା। ସେ ସମୟରେ ‘ସମାଜ’ ଥିଲା ଓଡ଼ିଆଙ୍କ ପାଇଁ ବିଶ୍ୱାସର ପତ୍ର, ଗରିବ ଓଡ଼ିଆଙ୍କ ମୁଖପତ୍ର, ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ଅଭିଧାନ। ଏପରିକି ଏହି ଲକ୍ଷ୍ୟରୁ ବିଚ୍ୟୁତ ନ ହେବା ନିମନ୍ତେ ପଣ୍ଡିତ ଗୋପବନ୍ଧୁ ‘ସମାଜ’କୁ ପଞ୍ଜାବକେଶରୀ ଲାଲା ଲଜପତ ରାୟଙ୍କ ଦ୍ୱାରା ସ୍ଥାପିତ ‘ଲୋକସେବକ ମଣ୍ଡଳ’ (ସର୍ଭାଣ୍ଟ ଅଫ୍ ଦି ପିପୁଲ ସୋସାଇଟି) ହାତରେ ଅର୍ପଣ କରି ଦେଇଥିଲେ। ନିଜ ପରିବାର ବା ଦାୟାଦଙ୍କୁ ଏଥିରେ ଅଂଶୀଦାର କରି ନ ଥିଲେ। ସମୟ କ୍ରମେ ‘ସମାଜ’ ଓ ଲୋକସେବକ ମଣ୍ଡଳ ସହ ଯୋଡ଼ି ହୋଇଥିଲେ ରାଜଶ୍ରୀ ପୁରୁଷୋତ୍ତମ ଦାସ ଟଣ୍ଡନ, ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ, ପୂର୍ବତନ ଉପରାଷ୍ଟ୍ରପତି କୃଷ୍ଣକାନ୍ତ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାଶ, ପଦ୍ମଭୂଷଣ ଡ଼. ରାଧାନାଥ ରଥଙ୍କ ପରି ଉତ୍ତୁଙ୍ଗ ଓ ବିଜ୍ଞ ବ୍ୟକ୍ତିତ୍ୱ। ଏହା ସହିତ ‘ସମାଜ’ର ଲାଭାଂଶ ଓଡ଼ିଶାର ଗରିବ ଲୋକଙ୍କ କଲ୍ୟାଣ ନିମନ୍ତେ ବ୍ୟୟ ହେବ ବୋଲି ମଧ୍ୟ ଗୋପବନ୍ଧୁ ସେତେବେଳେ ଇଚ୍ଛାପତ୍ର କରି ଯାଇଥିବା ମଧ୍ୟ ଅନେକ ସମୟରେ ‘ସମାଜ’ କର୍ତ୍ତୃପକ୍ଷ କହି ଆସିଛନ୍ତି। ମାତ୍ର ଆଜି ଯଦି ଗୋପବନ୍ଧୁ ବଞ୍ଚିଥାଆନ୍ତେ, ତେବେ ବର୍ତ୍ତମାନ ସମୟରେ ‘ସମାଜ’ ଯେଉଁ ସମୟ ଓ ସ୍ଥିତି ଦେଇ ଗତି କରୁଛି; ତାକୁ ଦେଖି ମୁଣ୍ଡ ପିଟି ମରିଯିବାକୁ ଇଚ୍ଛା କରିଥାଆନ୍ତେ।
‘ସମାଜ’ ସହ ଜଡ଼ିତ ଥିବା ଲୋକଙ୍କ କଥାକୁ ଯଦି ସତ୍ୟ ବୋଲି ବିବେଚନା କରାଯାଏ ତେବେ ସେଠାରେ ଏବେ ପ୍ରତିଦିନ ଚାଲିଛି କ୍ଷମତା ପାଇଁ ଲଢ଼େଇ। ଲୋକସେବକ ମଣ୍ଡଳ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଓ ସଦସ୍ୟ ପଦ ସହ ‘ସମାଜ’ର ପରିଚାଳନା ମଣ୍ଡଳୀର ମୁଖ୍ୟ ପାଇଁ ନିୟମିତ ଯୁଦ୍ଧ ଚାଲିଛି। ଦିଲ୍ଲୀ, କାନପୁର, ପାନିପତ୍ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ବିପୁଳ ଭୂ-ସମ୍ପତ୍ତି, କୋଠାବାଡ଼ିକୁ ଦଖଲରେ ରଖିବା ପାଇଁ ପ୍ରତିଯୋଗିତା ବି ଆରମ୍ଭ ହୋଇଛି। ସେହିପରି ଓଡ଼ିଶାରେ ‘ସମାଜ’ ଉପରେ କର୍ତ୍ତୃତ୍ତ୍ୱ ରଖିବା ଏବଂ ନିଜର ପତିଆରା ଜାହିର କରିବା ପାଇଁ ଲୋକସେବକ ମଣ୍ଡଳର ସଦସ୍ୟମାନେ କୁଆଡ଼େ ସର୍ବଦା ବ୍ୟସ୍ତ ଥିବା କୁହାଯାଉଛି। ମୋଟ ୮/୧୦ ଜଣ ସଦସ୍ୟଙ୍କ ମଧ୍ୟରୁ ଓଡ଼ିଶାର ୩ ସଦସ୍ୟ ଅଛନ୍ତି ଏବଂ ବିଭିନ୍ନ ପ୍ରସଙ୍ଗରେ ଏମାନଙ୍କ ମଧ୍ୟରେ ମତଭେଦ ତୀବ୍ର। ଏହାର ସୁଯୋଗ ଅନ୍ୟ ରାଜ୍ୟରେ ଥିବା ଲୋକସେବକ ମଣ୍ଡଳର ସଦସ୍ୟମାନେ ନେଉଛନ୍ତି। ଓଡ଼ିଶାରେ ‘ସମାଜ’ ଓ ଏହାର ସମ୍ପତ୍ତିକୁ ସେମାନେ ବ୍ୟକ୍ତିଗତ ସମ୍ପତ୍ତି ପରି ବ୍ୟବହାର କରୁଛନ୍ତି। ବିଭିନ୍ନ ବୈଠକ ଓ ଅନ୍ୟାନ୍ୟ ଉପଲକ୍ଷ୍ୟରେ ସପରିବାର ଗସ୍ତ କରି ଓଡ଼ିଶାର ଜନସାଧାରଣଙ୍କ ପାଇଁ ବ୍ୟୟ ହେବାକୁ ଥିବା ରାଶିକୁ ବିନର୍ବୟ କରୁଛନ୍ତି। ବିଡ଼ମ୍ବନା ହେଉଛି ‘ସମାଜ’ର ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନେ ଏହାକୁ ବିରୋଧ କରିବା ତ ଦୂରର କଥା, ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଚାପଲୁସୀର ସବୁ ସୀମା ଅତିକ୍ରମ କରିଥିବା ଅଭିଯୋଗ ହେଉଛି। ଏପରିକି ନିଜ ଅପାରଗତାକୁ ଘୋଡ଼ାଇବା ପାଇଁ କିଛି ଅଧିକାରୀ ଓ କର୍ମଚାରୀ ଯେଉଁପରି ସ୍ତରକୁ ଖସି ଯାଇଛନ୍ତି ତାହା କହିବାକୁ ବି ଲାଜ ଲାଗିବ।
ଗୋପବନ୍ଧୁ ଦାସ, ଲାଲବାହାଦୂର ଶାସ୍ତ୍ରୀଙ୍କ ପରି ମହାନ ଓ ପ୍ରଣମ୍ୟ ପୁରୁଷମାନେ ଦିନେ ଯେଉଁ ପଦ ମଣ୍ଡନ କରିଥିଲେ; ସେହି ପଦରେ ବସିଥିବା ଆଜିକାଲି ଦେଖାଯାଉଥିବା ମଣିଷମାନଙ୍କୁ ଲାଜରେ ମୁଣ୍ଡ ନଇଁଯିବା ପରି ଲାଗୁଛି। ହେଲେ କାହିଁକି ? କାହିଁକି ‘ସମାଜ’କୁ ଯୁଦ୍ଧଭୂଇଁ କରିଛନ୍ତି କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷ ? ଏହାପଛରେ କି ସ୍ୱାର୍ଥ ରହିଛି? ଲୋଭ ନା ବ୍ୟକ୍ତିଗତ ମହତ୍ୱାକାଂକ୍ଷା ? ଲୋକସେବକ ମଣ୍ଡଳ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିମାନଙ୍କ ଜୀବନ ଓ ‘ସମାଜ’ ସହ ସେମାନଙ୍କର ସମ୍ପର୍କର କାହାଣୀ, ‘ସମାଜ’ ଦଖଲ ନିମନ୍ତେ ଷଡ଼ଯନ୍ତ୍ର, ବ୍ୟକ୍ତିଗତ ସ୍ୱାର୍ଥ, ମହାତ୍ୱାକାଂକ୍ଷାର ଚର୍ଚ୍ଚିତ କାହାଣୀର ମୁଖ୍ୟ ଚରିତ୍ରଟି ହେଉଛି ‘ଲୋଭ’। ସେ ଲୋଭ ହେଉଛି କ୍ଷମତା ପାଇଁ, ପତିଆରା ପାଇଁ। ସଭାପତି, ସମ୍ପାଦକ, ସମାଜ ପରିଚାଳନାମଣ୍ଡଳୀ ମୁଖ୍ୟ ପଦ ପାଇଁ।
ନିକଟରେ ଘଟିଥିବା ଏକ ଘଟଣାକ୍ରମ ଏହାର ଜ୍ୱଳନ୍ତ ଉଦାହରଣ। ଲୋକସେବକ ମଣ୍ଡଳର ସଭାପତି ନିଜ କ୍ଷମତା ପ୍ରୟୋଗକରି ସମ୍ପାଦକ ପଦରୁ ଜଣେ ସଦସ୍ୟଙ୍କୁ ବିଦାୟ ଦେଇଛନ୍ତି।
ତାଙ୍କ ସ୍ଥାନରେ ଜଣେ ଓଡ଼ିଆ ସଦସ୍ୟ ଅବସ୍ଥାପିତ କରିଛନ୍ତି। ଜାତୀୟ ସମ୍ପାଦକ ଭାବରେ ନିଯୁକ୍ତି ସହ ତାଙ୍କୁ ସମସ୍ତ କ୍ଷମତା ବି ପ୍ରଦାନ କରିଛନ୍ତି ସଭାପତି l ଏହାକୁ ନେଇ ସମାଜ ଓ ଲୋକ ସେବକ ମଣ୍ଡଳରେ ଆରମ୍ଭ ହୋଇ ବିଦ୍ରୋହ। ଖଣ୍ଡିତ ଅହଂକାରକୁ ପୁନର୍ବାହାଲ କରିବା ପାଇଁ ଲୋକସେବକ ମଣ୍ଡଳର ଅନ୍ୟ ଦୁଇ ଓଡ଼ିଆ ସଦସ୍ୟ ମଧ୍ୟ ଅଣଓଡ଼ିଆ ସଦସ୍ୟଙ୍କ ସହ ହାତ ମିଳାଇବାକୁ ପଶ୍ଚାତପଦ ହୋଇ ନାହାନ୍ତି। ରାଷ୍ଟ୍ରୀୟ ସଭାପତିଙ୍କୁ କ୍ଷମତାଚ୍ୟୁତ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ବିଡ଼ମ୍ବନା ହେଉଛି ଏଥିରେ ଏକ ନିର୍ଦ୍ଦିଷ୍ଟ କର୍ମଚାରୀ ଗୋଷ୍ଠୀ ବି ସକ୍ରିୟ ହୋଇଛନ୍ତି l ସଭାପତିଙ୍କୁ ପଦଚ୍ୟୁତ କରିବା ପାଇଁ ଓ ସମ୍ପାଦକଙ୍କୁ ହଟାଇବାକୁ ଆଇନଗତ ପରାମର୍ଶ ଆରମ୍ଭ ହୋଇଛି l ସେପଟେ ମଧ୍ୟ ଅନ୍ୟ ଗୋଷ୍ଠୀ ଚୁପ୍ ନାହାନ୍ତି l ବିପଦ ଆସିଲେ BOM ଭାଙ୍ଗି ଦେବାକୁ ପ୍ରସ୍ତୁତ ଅଛନ୍ତି l ୟା କୁ ନେଇ ସମାଜ ଦୁଇ ଭାଗରେ ବିଭକ୍ତ ହୋଇଥିବା ଜୋରସୋରରେ ଚର୍ଚ୍ଚା ଧରିଛି।