ବୈପ୍ଳବିକ ପରିବର୍ତ୍ତନ ଆଣିଛି ସୋଆ, ୫ ଜି କ୍ୟାମ୍ପସରେ ପିଲା ପାଇବେ ହାଇସ୍ପୀଡ଼ ନେଟ ସେବା

Soa Ad
Spread the love


ଭୁବନେଶ୍ୱର, ୨୩/୦୮: ଓଡ଼ିଶାର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରିଲାୟନ୍ସ ଜିଓ ଦ୍ୱାରା ପ୍ରଥମ ଥର ପାଇଁ ଟ୍ରୁ ୫ ଜି କ୍ୟାମ୍ପସ୍‌ର ମାନ୍ୟତା ପ୍ରଦାନ କରାଯାଇଛି ।
ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଶିଳ୍ପ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ ଓ ଗବେଷଣା କ୍ଷେତ୍ରରେ ସହାୟତା ନିମନ୍ତେ ସୋଆ କ୍ୟାମ୍ପସ୍‌ରେ ଏହି ୫ ଜି ସେବା ଆରମ୍ଭ କରାଯାଇଥିବା ରିଲାୟନ୍ସ ଜିଓ ପକ୍ଷରୁ କୁହାଯାଇଛି ।
ଆୟୋଜିତ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଜିଓ ଓଡ଼ିଶାର ରାଜ୍ୟ ମୁଖ୍ୟ ଶ୍ରୀ ପ୍ରଦୀପ ରାଉତ , ସୋଆ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସୋଆକୁ ୫ ଜି କ୍ୟାମ୍ପସ୍‌ର ମାନ୍ୟତା ସୂଚକ ମାନପତ୍ର ପ୍ରଦାନ କରାଯାଇଥିଲା ।
ଓଡ଼ିଶାରେ ସୋଆକୁ ପ୍ରଥମ ୫ ଜି କ୍ୟାମ୍ପସ ଭାବେ ଘୋଷଣା କରାଯିବା ପରିପ୍ରେକ୍ଷୀରେ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ଜିଓର ନେଟୱର୍କ ଉତମ ଭାବେ କାର୍ଯ୍ୟ କରୁଥିବାରୁ ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ତଥ୍ୟ ଆଦାନପ୍ରଦାନ ନେଇ ଉପକୃତ ହେବେ । କୃଷି ଓ ସ୍ୱାସ୍ଥ୍ୟ ସମ୍ପର୍କୀୟ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ୫ ଜି ଦ୍ୱାରା ଲାଭବାନ ହୋଇପାରିବେ ।
ସୋଆରେ ଏକ ୫ ଜି ଲ୍ୟାବ୍ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି ଓ ଏହି ଲ୍ୟାବ୍‌ରେ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ନେବା ସହ ଏହି ସେବାକୁ କିଭଳି ଅଧିକ ବଳିଷ୍ଠ କରାଯାଇପାରିବ ସେ ଉପରେ ମଧ୍ୟ ସେମାନେ ଗବେଷଣା କରିବେ ବୋଲି ପ୍ରଫେସର ନନ୍ଦ କହିଛନ୍ତି ।
ଦେଶର ମନୋନୀତ ୧୦୦ଟି କେନ୍ଦ୍ର ମଧ୍ୟରେ ୫ ଜି ଲ୍ୟାବ ପ୍ରତିଷ୍ଠା ନିମନ୍ତେ ସୋଆକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ପୂର୍ବରୁ ସୋଆ ଓ ଜିଓ ପ୍ଲାଟଫର୍ମସ ଲିମିଟେଡ (ଜେପିଏଲ୍‌) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇସାରିଛି ବୋଲି ପ୍ରଫେସର ନନ୍ଦ କହିଥିଲେ ।
୫ ଜି ସେବା ମୁଖ୍ୟତଃ ଡିଜିଟାଲ୍ ଶିକ୍ଷା, ଇ-ଗଭର୍ଣ୍ଣାନ୍ସ, ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ, ଗେମିଂ, ସ୍ୱାସ୍ଥ୍ୟ ସେବା, କୃଷି ଓ ଆଇଟି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ । ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ସୋଆରେ ଅନେକଗୁଡ଼ିଏ ବେଷ୍ଟ ଟ୍ରାନ୍ସରିସିଭର୍ ଷ୍ଟେସନ୍ ପ୍ରତିଷ୍ଠା କରାଯାଇଛି ଯାହାଦ୍ୱାରା ଜିଓର ନେଟୱର୍କ ଗତି ଅଧିକ ତୀବ୍ର ହେବ ଓ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ ବୋଲି ଜିଓ ପକ୍ଷରୁ ଶ୍ରୀ ରାଉତ କହିଛନ୍ତି ।
ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜର ଆପ୍ ପ୍ରସ୍ତୁତ କରିବା ସହ ଡ୍ରୋନ୍ ମାଧ୍ୟମରେ ଅଧିକ ଗବେଷଣା କରିପାରିବେ । ଓଡ଼ିଶାର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ସୋଆକୁ ୫ ଜି କ୍ୟାମ୍ପସ୍ ଭାବେ ଘୋଷଣା କରାଯାଇଥିବା ଶ୍ରୀ ରାଉତ କହିଛନ୍ତି ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ୫ ଜି ସେବାର ସୁବିଧା ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ଜିଓ ଓଡ଼ିଶାର କଷ୍ଟମର ସର୍ଭିସ୍ ମୁଖ୍ୟ ଶ୍ରୀ ବିକାଶ ମହାନ୍ତି ।
ଜେପିଏଲ୍ ଏବଂ ସୋଆ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଜେପିଏଲ୍ ଏବଂ ଏହା ସହ ଅନୁବନ୍ଧିତ ତଥା ଗ୍ରୁପ୍‌ର ଅନ୍ୟ କମ୍ପାନୀଗୁଡ଼ିକ ସୋଆ ସହିତ ମିଳିତ ଭାବେ କାର୍ଯ୍ୟ କରିବେ । ଅତ୍ୟାଧୁନିକ ୫ ଜି ଷ୍ଟାଣ୍ଡାର୍ଡ-୫ ଜି ଷ୍ଟାଣ୍ଡଏଲୋନ୍ (ଏସ୍‌ଏ), ଅପ୍ଟିକାଲ୍ ଫାଇବର୍ ନେଟୱର୍କ୍‌ସ ଇତ୍ୟାଦି କ୍ଷେତ୍ରରେ ଗବେଷଣା ଏବଂ ପ୍ରଶିକ୍ଷଣ ଓ ୫ ଜି ପ୍ଲାଟଫର୍ମରେ ନୂତନ ସେବାର ବିକାଶ ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବା ବିଷୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ଜେପିଏଲ୍ ସୋଆ ସହିତ “ଜିଓ ଷ୍ଟାଣ୍ଡଏଲୋନ୍ ଟେକ୍ନୋଲୋଜି ଟେଷ୍ଟ ଲ୍ୟାବ” ପ୍ରତିଷ୍ଠା କରିବା ସହିତ ସୋଆର ଗବେଷକମାନଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବ । ସୋଆ ବିଶ୍ୱବିଦ୍ୟାଳୟରେ ଜେପିଏଲ୍ ଏକ ୫ ଜି ଟେଷ୍ଟ ବେଡ୍ ମଧ୍ୟ ପ୍ରତିଷ୍ଠା କରିବା ପ୍ରସ୍ତାବ ରହିଛି ।
ଗତ ସେପ୍ଟେମ୍ବର ୧୫ ତାରିଖରେ ସୋଆ ଗସ୍ତରେ ଆସିଥିବା ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସୋଆ ଭଳି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଅତ୍ୟାଧୁନିକ ବିଶ୍ୱବିଦ୍ୟାଳୟରେ ଏକ ୫ ଜି ଲ୍ୟାବ୍ ପ୍ରତିଷ୍ଠା ଆବଶ୍ୟକ ବୋଲି ମତ ଦେଇ ଏହି ପ୍ରକଳ୍ପ ନିମନ୍ତେ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୫ ଜି ଟେକ୍ନୋଲୋଜିକୁ ପ୍ରୋତ୍ସାହନ ଦେବା ନିମନ୍ତେ ଆଇଆଇଟି ମାଡ୍ରାସ୍‌ରେ ଏକ ବିଶ୍ୱସ୍ତରୀୟ ୫ ଜି ଲ୍ୟାବ୍ ପ୍ରତିଷ୍ଠା ହୋଇସାରିଛି ବୋଲି ସେ କହିଥିଲେ ।
ସୋଆ ପକ୍ଷରୁ ଏହି ଲ୍ୟାବ୍‌ର ପ୍ରତିଷ୍ଠା ନିମନ୍ତେ ସମସ୍ତ ପ୍ରକାର ଆନୁସଙ୍ଗିକ ଭିତିଭୂମି ଯୋଗାଇ ଦିଆଯିବା ସହ ପ୍ରଶିକ୍ଷଣ ଓ ବିକାଶମୂଳକ କାର୍ଯ୍ୟ ନିମନ୍ତେ ସମସ୍ତ ସହଯୋଗ ବିଷୟରେ ବୁଝାମଣା ହୋଇଥିଲା ।