ସୋଆରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍ – କୌସ୍ତଭ ଦାସ ଚାମ୍ପିଅନ

Soa Ad
Spread the love

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଦୁଇ ଦିନିଆ ଅଲ୍ ଓଡ଼ିଶା ସ୍କୁଲ୍ ଚେସ୍ ଚାମ୍ପିଅନ୍‌ସିପ ଶନିବାର ଉଦ୍‌ଯାପିତ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ଚାମ୍ପିଅନ୍ ହୋଇଛନ୍ତି କୌସ୍ତଭ ଦାସ । ଭୁବନେଶ୍ୱର ସେଂଟ ଜାଭିୟର୍ସ ହାଇସ୍କୁଲ,କେଦାର ଗୌରୀର ଛାତ୍ର କୌସ୍ତଭ ୯ ପଏଂଟରୁ ୮.୫ ପଏଂଟ ହାସଲ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । କୌସ୍ତଭ ୯ଟି ମ୍ୟାଚ ଖେଳିଥିବା ବେଳେ ୮ଟିରେ ବିଜୟୀ ହୋଇଥିଲେ ଏବଂ ଗୋଟିଏ ମ୍ୟାଚ୍ ଡ୍ର ହୋଇଥିଲା । ତାଙ୍କୁ ୧୦ ହଜାର ଟଙ୍କା ଓ ଏକ ଟ୍ରଫି ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ୮ ପଏଂଟ ହାସଲ କରି ମଦର୍ସ ପବ୍ଲିକ୍ ସ୍କୁଲ୍‌, ଭୁବନେଶ୍ୱରର ତନ୍ମୟ ତଲିନ୍ ବେହେରା ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।

ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ତଥା ସୋଆ ସହଯୋଗରେ ଅନୁଷ୍ଠିତ ଏହି ଚାମ୍ପିଅନ୍‌ସିପରେ ବିଜୟୀ
ଖେଳାଳୀମାନଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ଟୁର୍ଣ୍ଣାମେଂଟରେ ସାରା ରାଜ୍ୟରୁ ୨୩୦ ଜଣ ୫ ବର୍ଷରୁ ୧୫ ବର୍ଷର
ପିଲାମାନେ ଭାଗ ନେଇଥିଲେ । ଜ୍ୟୋସ୍ନଭ୍ ତାଲୁକ୍‌ଦାର (କେନ୍ଦ୍ରୀୟ ବିଦ୍ୟାଳୟ, ନମ୍ବର ୩, ଭୁବନେଶ୍ୱର), ଲଳିତ ରଞ୍ଜନ ସାହୁ (ଷ୍ଟୁଆର୍ଟ ସ୍କୁଲ୍‌, କଟକ), ଆୟୁଷ୍ମାନ୍ ମହାନ୍ତି (କେନ୍ଦ୍ରୀୟ ବିଦ୍ୟାଳୟ, ନମ୍ବର ୧, ପୁରୀ), ପ୍ରତ୍ୟୁଷ ନାୟକ (ଷ୍ଟୁଆର୍ଟ ସ୍କୁଲ, କଟକ), ଦେବର୍ପିତ ମିଶ୍ର (କେନ୍ଦ୍ରୀୟ ବିଦ୍ୟାଳୟ, ନମ୍ବର ୧, ଭୁବନେଶ୍ୱର), ଶାନ୍ତନୁ ବରାଳ (ପ୍ରଶାନ୍ତି ଇନ୍‌ଟରନ୍ୟାସନାଲ ସ୍କୁଲ, ପୁରୀ), ମହାପାତ୍ର ଆୟୁସ ଆର୍ଯ୍ୟନ୍ (କେନ୍ଦ୍ରୀୟ ବିଦ୍ୟାଳୟ, କଟକ) ଏବଂ ଶାନ୍ତନୁ କୁମାର ଦାଶ (ରବିନ୍ଦ୍ର ବିଦ୍ୟା ନିକେତନ, କେଉଁଝର)ଙ୍କୁ ମଧ୍ୟ ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କର ରେଳ ଓ ଉପକୂଳ ସୁରକ୍ଷା ବିଭାଗର ଆଡିସ୍‌ନାଲ୍ ଡାଇରେକ୍ଟର ଜେନେରାଲ ଅଫ୍ ପୋଲିସ୍ ଶ୍ରୀ ଦୟାଲ ଗଙ୍ଗୱାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆର ପୁର୍ବତନ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀ ମଧୁସୁଦନ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ଗଙ୍ଗୱାର ଏଭଳି ଟୁର୍ଣ୍ଣାମେଂଟର ଆୟୋଜନ କରିଥିବାରୁ ଆୟୋଜକମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଏହାଦ୍ୱାରା
ଅନେକ ଯୁବ ତଥା ସୁନ୍ଦର ଚିନ୍ତାଧାରାର ପିଲାମାନେ ଭବିଷ୍ୟତରେ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଓ ଗ୍ରାଣ୍ଡ ମାଷ୍ଟର ହୋଇପାରିବେ । ଯୁବ ଚିନ୍ତାଧାରାକୁ ସକ୍ରୀୟ କରିବାରେ ଚେସ୍ ଠାରୁ ଭଲ କ୍ରୀଡା ଆଉ କିଛି ନାହିଁ ବୋଲି ଶ୍ରୀ ଗଙ୍ଗୱାର କହିଥିଲେ । ଶ୍ରୀ ପାଢ଼ୀ କହିଥିଲେ ଓଡ଼ିଶାରୁ ପୂର୍ବରୁ ଅନେକ ଭଲ ଚେସ୍ ଖେଳାଳୀ ବାହାରିଛନ୍ତି ଏବଂ ଏହି ଟୁର୍ଣ୍ଣାମେଂଟରେ ଭାଗ ନେଇଥିବା ପିଲାଙ୍କ ମଧ୍ୟରୁ ଭବିଷ୍ୟତରେ ଅନେକ ଭଲ ଖେଳାଳୀ ବାହାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।
ପ୍ରଫେସର ମହାପାତ୍ର କହିଥିଲେ ଯେ ଅଭିଭାବକମାନେ କ୍ରୀଡ଼ାର ମହତ୍ୱକୁ ବୁଝିବା ଦରକାର । ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଏହି ଅବସରରେ କେ. ଟି ଗ୍ଲୋବାଲ ସ୍କୁଲ୍‌, ଭୁବନେଶ୍ୱରର ଅଧ୍ୟକ୍ଷ ଶ୍ରୀ ଡି.ପି. ଖାରେ, ଏଓସିଏର ଇଂଟରନ୍ୟାସ୍‌ନାଲ୍ ଆରବିଟର ଶ୍ରୀ ସୁରେଶ
ଚନ୍ଦ୍ର ସାହୁ, ସମ୍ପାଦକ ଶ୍ରୀ ଦେବବ୍ରତ ଭଟ୍ଟ, କୋଷାଧ୍ୟକ୍ଷ ଶ୍ରୀ ଶଙ୍କର ମିଶ୍ର ଓ ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନିତା ବର୍ମା ଉପସ୍ଥିତ ଥିଲେ ।