ସୋଆ ପକ୍ଷରୁ ମାଣ୍ଡିଆ ଦିବସ-୨୦୨୬ ପାଳିତ


ଭୁବନେଶ୍ୱର, ନଭେମ୍ବର ୧୦ : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ୍ (ଆଇଏଏସ୍‌)ର କ୍ଷେତ୍ର ବିଜ୍ଞାନ ବିଭାଗ, ବିଶ୍ୱ ଜୀବନ ସେବା ସଂଘ ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲଦାର ଅନ୍ତର୍ଗତ ଗୋପାଳପ୍ରସାଦ ଗ୍ରାମରେ ମାଣ୍ଡିଆ ଦିବସ-୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ମାଣ୍ଡିଆର ପୁଷ୍ଟିକର ଗୁଣ, ସ୍ୱାସ୍ଥ୍ୟ ଉପକାରିତା, ବୈଜ୍ଞାନିକ ପଦ୍ଧତିରେ ଚାଷ ଏବଂ ଏହାର ଆର୍ଥିକ ଓ ବାଣିଜ୍ୟିକ ଗୁରୁତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା । ଅତିଥିମାନେ ମାଣ୍ଡିଆ ଓ ଲଘୁ ଶସ୍ୟ ଆଧାରିତ ପ୍ରଦର୍ଶନୀ ଉଦ୍‌ଘାଟିତ କରାଯାଇଥିବା ବେଳେ କୃଷିକ୍ଷେତ୍ର ପରିଦର୍ଶନ ମଧ୍ୟ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ମାଣ୍ଡିଆରେ ପୋଷକ ଗୁଣ, ଚାଷ ପ୍ରଣାଳୀ, ଆର୍ଥିକ ଲାଭ ଓ ମନୁଷ୍ୟର ସ୍ୱାସ୍ଥ୍ୟ ଉପରେ ଏହାର ଅନୁକୂଳ ପ୍ରଭାବ ପଡିଥାଏ । କେବଳ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକାର ନୁହେଁ ବରଂ ଏହାର ଚାହିଦା ବର୍ତମାନ ବହୁମାତ୍ରାରେ ବଢିବାକୁ ଲାଗୁଛି । ମାଣ୍ଡିଆକୁ କିପରି ଚାଷ କରିବା ଏବଂ ଅମଳ କରିବାରେ କଣ ସବୁ ସମସ୍ୟା ଦେଖାଯାଉଛି ତାହା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ବୋଲି ସେ ଚାଷୀମାନଙ୍କୁ ଆହ୍ୱାନ ଦେବା ସହିତ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ ।

ଏହି ଅବସରରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିବା ସହିତ ଏହି ଦିବସର ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । ସେହିପରି କନ୍ଧମାଳର ଅବସରପ୍ରାପ୍ତ ଉପକୃଷି ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଜୟ କୁମାର ସାହୁ, ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ମନୋରଞ୍ଜନ ମିଶ୍ର, ଓଡିଶା ବିଶ୍ୱ ଜୀବନ ସେବା ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବୈଦ୍ୟନାଥ ବରାଳ ଓ ଟାଙ୍ଗୀ ସ୍ଥିତ ଗୋପାଳପ୍ରସାଦ ଗ୍ରାମର ସରପଂଚ ଶ୍ରୀମତି ପ୍ରିୟମ୍ବଦା ବେହେରା ଯୋଗଦେଇ ମାଣ୍ଡିଆର ପୋଷଣୀୟ ମୂଲ୍ୟ, ମାନବ ସ୍ୱାସ୍ଥ୍ୟ ପାଇଁ ଏହାର ଉପାଦେୟତା ଏହାକୁ କିପରି ଉନ୍ନତ ଚାଷୀ ପ୍ରଣାଳୀ ତଥା କୃଷକଙ୍କ ଆୟ ବୃଦ୍ଧି ଓ ବଜାର ସମ୍ଭାବନାରେ ଏହାର ଭୂମିକା ବିଷୟରେ ନିଜ ନିଜର ମତାମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ଆଇଏଏସ୍‌ର ଛାତ୍ରଛାତ୍ରୀମାନଙ୍କର ଦ୍ୱାରା ଏକ ସଚେତନତାମୂଳକ ନାଟକ ପରିବେଷଣ କରାଯାଇଥିଲା । ଏଥିରେ ‘ବୈଜ୍ଞାନିକ ପ୍ରଣାଳୀରେ ଲଘୁଶସ୍ୟ ଚାଷ’ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚିତ ହୋଇଥିବାବେଳେ ପ୍ରଗତିଶୀଳ କୃଷକମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ସହିତ ମାଣ୍ଡିଆ ଚାଷର ବିଭିନ୍ନ ବୈଜ୍ଞାନିକ ଦିଗ ଉପରେ ଆଲୋଚନା ଓ କୃଷକମାନଙ୍କ ମତ ବିନିମୟ କରାଯାଇଥିଲା । ଏହି ଅବସରରେ ଶସ୍ୟ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ର୍ରଫେସର ବାସୁଦେବ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଏହି ଦିବସ ମୁଖ୍ୟ ଉଦ୍ଦେଶ୍ୟ ଓ ଏହାର ମହତ୍ୱ ବିଷୟରେ ମତବ୍ୟକ୍ତ କରିଥିବା ବେଳେ ଶସ୍ୟ ବିଜ୍ଞାନ ବିଭାଗର ଆସୋସିଏଟ୍ ପ୍ରଫେସର (ଡକ୍ଟର) ଶୁଭପ୍ରଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।