Spread the love

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ବିଜ୍ଞାନ ମହାବିଦ୍ୟାଳୟ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରେ ବୁଧବାର ଦୁଇ ଦିନିଆ ବାର୍ଷିକ ଉତ୍ସବ ‘ଅର୍ଣ୍ଣ-୨୦୨୬’ ଆରମ୍ଭ ହୋଇଛି ।
ଏହି ବାର୍ଷିକ ଉତ୍ସବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ପୂର୍ବତନ କୁଳପତି ପ୍ରଫେସର ମନୋରଂଜନ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଜୀବନର ଲକ୍ଷ୍ୟସ୍ଥଳରେ ପହଂଚିବା ନିମନ୍ତେ କଠିନ ପରିଶ୍ରମ, ଅଧ୍ୟବସାୟ ଓ ସମୟାନୁବର୍ତିତା ଆବଶ୍ୟକ ବୋଲି କହିଥିଲେ । ନିଜ ଭିତରେ ସଦାସର୍ବଦା ସକରାତ୍ମକ ଚିନ୍ତାଧାରା ଓ ମନୋଭାବ ଆଣିବା ଜରୁରୀ । କାରଣ ନକରାତ୍ମକ ଚିନ୍ତାଧାରା ଓ ଏହାର କୁପ୍ରଭାବ ଛାତ୍ରଛାତ୍ରୀମାନୁ ଅବନତି ଆଡ଼କୁ ନେଇଯାଇଥାଏ ବୋଲି ପ୍ରଫେସର କର କହିଥିଲେ ।

ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ଜୀବନରେ ପିତାମାତା ଓ ଅଧ୍ୟାପକ ଅଧ୍ୟାପିକା ଗୁରୁ ସାଜିଥିବା ବେଳେ ସେମାନଙ୍କୁ ସମ୍ମାନ ଦେବା ଉଚିତ୍ ବୋଲି ପ୍ରଫେସର କର କହିଥିଲେ । ସାମ୍ପ୍ରତିକ ଯୁଗରେ କୃଷି କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ପ୍ରକାର ସମସ୍ୟାର ସମାଧାନର ସୂତ୍ର ବାହାର କରିବା ସହିତ ସୋଆ କୃଷି ଛାତ୍ରଛାତ୍ରୀମାନେ ଭବିଷ୍ୟତରେ କୃଷି ଉଦ୍ୟୋଗୀ ହୋଇପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ନିଜ ବକ୍ତବ୍ୟରେ କହିଥିଲେ ଯେ ଶିକ୍ଷାନୁଷ୍ଠାନରେ ଅଭିନବ ଶିକ୍ଷା ବ୍ୟବସ୍ଥା ଦ୍ୱାରା ଏହା ଅନେକ ସଫଳତା ହାସଲ କରିପାରିଛି । ତେବେ ଶୃଙ୍ଖଳା, ସମୟାନୁବର୍ତିତା ଓ ଅଧ୍ୟବସାୟ ଭଳି ଗୁଣ ପ୍ରତ୍ୟେକ ଛାତ୍ରଛାତ୍ରୀ ଙ୍କ ଠାରେ ରହିବା ଜରୁରୀ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସର୍ବଦା କିଛି ନୂଆ ଶିଖିବାର ଉତ୍କଣ୍ଠା ରହିବା ଜରୁରୀ ଯାହା ସେମାନଙ୍କୁ ଗବେଷଣା କ୍ଷେତ୍ରରେ ବିଶେଷ ସାହାଯ୍ୟ କରିବ । କୃଷି ଭିତିକ ବିଭିନ୍ନ ପ୍ରକାର ସମସ୍ୟା ଗୁଡିକର ସମାଧାନ ପାଇଁ କିପରି କୃଷକମାନେ ମହାବିଦ୍ୟାଳୟ ସହିତ ଜଡିତ ହୋଇପାରିବେ ସେ ବିଷୟରେ ସେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆର କଂଟ୍ରୋଲର ଅଫ୍ ଏଗଜାମିନେସ୍‌ନ ପ୍ରଫେସର (ଡକ୍ଟର) ମଞ୍ଜୁଳା ଦାସ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ କେବଳ ପୁସ୍ତକ ଜ୍ଞାନ ଦ୍ୱାରା ଶିକ୍ଷାକୁ ସୀମିତ ନ ରଖି ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭାଗୁଡିକୁ ବିକଶିତ କରିବା ଜରୁରୀ ।

ନିଜ ଉପରେ ବିଶ୍ୱାସ ରଖି ପ୍ରତି ମୁହୂର୍ତରେ କିଛି ଶିଖିବାର ଉତ୍କଣ୍ଠା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରହିବା ଦରକାର ବୋଲି ସେ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ବିଭିନ୍ନ ପ୍ରକାର ଶିକ୍ଷଣୀୟ ଉଦାହରଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ବଢିବା ନିମନ୍ତେ ଆହ୍ୱାନ ଦେଇଥିଲେ । ନିଜର ଅଭିଭାବକ ଓ ଶିକ୍ଷକମାନଙ୍କୁ ସଦାସର୍ବଦା ସମ୍ମାନ ପ୍ରଦାନ କରିବା ଆବଶ୍ୟକ । ସେମାନଙ୍କର ଆର୍ଶୀବାଦ ଓ ନିଜ ଭିତରେ ଥିବା ସକାରାତ୍ମକ ଚିନ୍ତାଧାରା ହିଁ ସେମାନଙ୍କୁ ନିଜ ଲକ୍ଷ୍ୟ ସାଧନ କରିବାରେ ସହାୟକ ହେବ । ନିଜର ଓ ସମାଜ ପାଇଁ କିଛି କରିବାର ମନୋଭାବ ରଖିବା ଆବଶ୍ୟକ ଓ ଏଥି ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଆବେଗକୁ ସଦାସର୍ବଦା ଅନୁସରଣ କରି ତାହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରୟାସ କରିବା ଜରୁରୀ ବୋଲି ପ୍ରଫେସର ଦାସ କହିଥିଲେ । ଏହି ଅବସରରେ କୃଷି ମହାବିଦ୍ୟାଳୟର ବାର୍ଷିକ ସ୍ମରଣିକା “ଅର୍ଣ୍ଣ-୨୦୨୬” ଉନ୍ମୋଚିତ ହୋଇଥିଲା । କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ଆଇଏଏସ୍‌୍‌ର ଏକ୍ସଟେନ୍ସନ ଆଣ୍ଡ କମ୍ୟୁନିକେସନ୍ ବିଭାଗର ମୁଖ୍ୟ ପ୍ରଫେସର ବିବୁଧ ପରାଶର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଆଇଏଏସ୍‌ର ବରିଷ୍ଠ ପ୍ରଫେସର, ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିôଲା । ଦୁଇ ଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।