ରାଜ୍ୟରେ ଚାଲିଛି ଡ଼ମି ସରକାର

Soa Ad
Spread the love

▶️ ଶପଥ ନେବାର ୪୮ ଘଣ୍ଟା ପରେ ମଧ୍ୟ ମନ୍ତ୍ରୀଙ୍କୁ ମିଳିନି ବିଭାଗ

▶️ ସମୀକ୍ଷା ଆଳରେ ଲୋକଦେଖାଣିଆ ପବ୍ଲିସିଟି ଷ୍ଟଣ୍ଟ କରୁଛନ୍ତି ମୋହନ ସରକାର

ଭୁବନେଶ୍ୱର: ରାଜ୍ୟରେ ଏବେ ନୂଆ ସରକାରର ଯୁଗ ଆରମ୍ଭ ହୋଇଛି। ଦୀର୍ଘ ୨୫ବର୍ଷ ପରେ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାରକୁ ଆସିଥିବା ବିଜେପି ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଅକଳରେ ପଡିଯାଇଥିବା ଦେଖିବାକୁ ମିଳିଛି। କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଗତ ୧୨ ତାରିଖ ଦିନ ବହୁ ଆଡ଼ମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୯ ରାଜ୍ୟର ମୁଖ୍ୟମନ୍ତ୍ରୀ, ୫ରୁ ଅଧିକ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତରେ ଶପଥ ପାଠ କରିଥିଲା। କୁହାଯାଉଥିଲା ଏକ ସର୍ବ ଶକ୍ତିମାନ ସରକାରର ଶପଥ ପାଠର କାର୍ଯ୍ୟକ୍ରମ ଚାଲିଛି। ଯେଉଁଠି ଖୋଦ ନିଜେ ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ରହିଥିଲେ। କିନ୍ତୁ ଖୁବ କମ ସମୟ ମଧ୍ୟରେ ଲୋକଙ୍କ ସମାଲୋଚନାର ଶିକାର ହେବାକୁ ପଡ଼ିଛି ମୋହନ ସରକାରଙ୍କୁ। ଶପଥ ପାଠର ୪୮ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏତେ ପର୍ଯ୍ୟନ୍ତ ନୂତନ ମନ୍ତ୍ରୀ ମାନଙ୍କୁ କୌଣସି ବିଭାଗ ଦିଆଯାଇନାହିଁ। ଓଡ଼ିଶାରେ ଦୀର୍ଘ ଦିନ ପରେ କ୍ଷମତାକୁ ଆସିଥିବା ବିଜେପି ପ୍ରଥମ ଦିନରୁ ହିଁ ଝୁଣ୍ଟି ପଡିଥିବାର ଦେଖିବାକୁ ମିଳିଛି। ନୂତନ ମୁଖ୍ୟମନ୍ତ୍ରୀ ଶପଥ ପାଠ ପରେ ବିନା କୌଣସି ବିଭାଗ ବଣ୍ଟନ ନକରି ସିଧାସଳଖ ଲୋକସଭା ଭବନ ଯାଇ କ୍ୟାବିନେଟ ବୈଠକ କରିଥିଲେ। ଯାହାକୁ ନେଇ ଘୋର ସମାଲୋଚନାର ଶିକାର ହେବାକୁ ପଡ଼ିଛି ମୋହନ ସରକାରକୁ।

ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ନିଜ X ଆକାଉଣ୍ଟରେ ସିଧାସଳଖ ଏନେଇ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ପ୍ରଥମ ଥର ପାଇଁ ବିନା ମନ୍ତ୍ରୀଙ୍କ କୌଣସି ବିଭାଗ ବିନା ରାଜ୍ୟରେ କ୍ୟାବିନେଟ ବୈଠକ ହୋଇଛି। ତାଙ୍କର ଲମ୍ବା ସମୟର ସାମ୍ବାଦିକତା ଭିତରେ ଏଭଳି ସେ କେବେ ଦେଖିନାହାନ୍ତି। ପୂର୍ବ ସରକାରରେ ଶପଥପାଠର ଏକ କିମ୍ବା ଦୁଇ ଘଣ୍ଟା ମଧ୍ୟରେ ବିଭାଗ ବଣ୍ଟନ କରାଯାଇଥାଏ। ସେ ଆହୁରି ମଧ୍ୟ ଲେଖିଛନ୍ତି କିପରି ବିନା କୌଣସି ବିଭାଗ ବିନା ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକ କଲେ ନିଜ ନିଜର ବିଭାଗ ବିଷୟରେ ନଜାଣି। ଏଥିରୁ ଲାଗୁଛି ବିଜେପି ମଧ୍ୟରେ ସବୁ କିଛି ଠିକ ଚାଲିନାହିଁ।

ସେହିପରି କିଛି ବୁଦ୍ଧିଜୀବୀ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ରରୁ ମନ୍ତ୍ରୀ ତାଲିକା ପାସ ହେଇ ସିଧାସଳଖ ରାଜ୍ୟପାଳଙ୍କ ପାଖକୁ ଆସିବ ଏବଂ ସେ ହିଁ ତାହାକୁ ସାର୍ବଜନୀନ କରିବେ। ଆଉ ଏକ ଦିଗକୁ ଲକ୍ଷ୍ୟ କଲେ ଜଣାପଡୁଛି ନୂତନ ସରକାର ଗଠନ କରିଥିବା ଓଡ଼ିଶା ବିଜେପି ପୂର୍ବ ପ୍ରସ୍ତୁତି ଜମା କରିନଥିଲା। ସେମାନେ କେବେ ବି ଭାବି ନଥିଲେ କି ହଠାତ ତାଙ୍କର ଦଳ କ୍ଷମତାକୁ ଆସିଯିବ। ନିର୍ବାଚନ ପ୍ରଚାର ବେଳେ କହିଥିଲେ ଜୁନ ୪ରେ ସରକାର ଆସିଲେ ଜୁନ ୬ରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ହେବ ଏବଂ ଜୁନ ୧୦ରେ ଶପଥ ଗ୍ରହଣ ହେବ। କିନ୍ତୁ ହେଲା ସମ୍ପୂର୍ଣ୍ଣ ଓଲଟା। ଜୁନ ୬ ବଦଳରେ ଜୁନ ୧୧ରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେଲା ଏବଂ ଶପଥ କାର୍ଯ୍ୟକ୍ରମ ୧୦ ବଦଳରେ ୧୨ରେ ହେଲା। ସରକାରକୁ ଆସିବା ପରେ ନୂତନ ସରକାର ବିଭିନ୍ନ ସମୀକ୍ଷା ଆଳରେ ପବ୍ଲିସିଟି ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ପ୍ରାୟୋଜିତ ଓ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଅତିରଞ୍ଜିତ କରି ଦେଖାଉଛନ୍ତି। ରାଜ୍ୟ ଶାସନ ବିଷୟରେ ଅଜ୍ଞ ଥିବା ନୂତନ ମୁଖ୍ୟମନ୍ତ୍ରୀ ପ୍ରଥମେ ନୂତନ ସରକାର କିପରି ପରିଚାଳନା କରିବ ସେ ଚିନ୍ତା ନକରି ଅନାବଶ୍ୟକ ସମୀକ୍ଷା, ବରପୁତ୍ର ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ଭଳି କାର୍ଯ୍ୟକୁ ସାଧାରଣ ଲୋକ ନାପସନ୍ଦ କରିଛନ୍ତି।

ଯେଉଁଠି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁରେ ୩୦ ରୁ ଅଧିକ X ଆକାଉଣ୍ଟ ରହିଛି ଏବଂ ତାହା ମଧ୍ୟରୁ କେଉଁଟା ଅସଲି କିମ୍ବା ନକଲି ତାକୁ ଖୋଜିବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଗୋଟେ ଦିନ ଲାଗିଥିଲା ସେଠି କିପରି ଲୋକଙ୍କ କାମ ହେବ ଦେଖିବାକୁ ବାକି ରହିଲା।