ରଥ ପରେ ବିଜେଡି ଫାଇନାଲ୍ କରିବ ପୁରୀ ବିଧାୟକ ଟିକେଟ

Spread the love

ପୁରୀ ବିଜେଡିରେ ଲଢ଼େଇ । ଜଣେ ଛାତ୍ର ନେତା ତ ଆଉ ଜଣେ ବିଲ୍ଡର । କିଏ ହେବ ବିଜେଡିର ଆଗାମୀ ନେତା ସେକୁ ନେଇ ଚାଲିଲାଣି ଛକାପଞ୍ଝା । ବିଲ୍ଡରରୁ ନେତା ସାଜିଥିବା ସୁନୀଲ ମହାନ୍ତିଙ୍କୁ ପୃଷ୍ଠପୋଷକତା କରୁଛନ୍ତି ତାଙ୍କ ବାପା ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି । ହେଲେ ଛାତ୍ରନେତାରୁ ରାଜନେତା ପାଲଟିଥିବା ସୁବାଶୀଷ ଖୁଣ୍ଟିଆ ବା ଲକିଙ୍କୁ ଦଳର ପୁରୁଖାମାନେ ପୃଷ୍ଠପୋଷକତା କରୁଛନ୍ତି । ସୁନୀଲ ବାପାଙ୍କ ସଂଗଠନରୁ କାଣିଚାଏ ନେଇ ରାଜନୀତି କରିବାକୁ ଓହ୍ଲାଇଛନ୍ତି । ହେଲେ ଲକି ବିଜେଡି ନେତା, ଶୁଭେଚ୍ଛୁ ଓ କର୍ମୀଙ୍କୁ ନେଇ ମଇଦାନରେ ଚାଲିଛନ୍ତି । ପୁରୀରୁ ଏମାନଙ୍କ ମଧ୍ୟରୁ କିଏ ମଙ୍ଗ ଧରିବ ତାହା ଏବେ ସବୁଠି ଚର୍ଚ୍ଚା ।

ପୁରୀ ବିଧାନସଭା ଆସନ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ମହେଶ୍ୱରଙ୍କୁ ନେଇ ଯେତିକି ଚର୍ଚ୍ଚା ତାଙ୍କ ପଛରେ ଥିବା ଜମି କେଳେଙ୍କାରୀ ବା ଗାୟତ୍ରୀ ପଣ୍ଡା ମାମଲା ଅଭିଯୋଗକୁ ନେଇ ସବୁବେଳେ ଚର୍ଚ୍ଚା । ମହେଶ୍ଵରଙ୍କ ପାଖକୁ ଯାଇ ତାଙ୍କୁ ତାଙ୍କରୀ ଅନୁଗତ ଜୟନ୍ତ ଷଢଙ୍ଗୀ ବି ଚିତପଟାଙ୍ଗ କରିବା ଚର୍ଚ୍ଚାର ବିଷୟ ହୋଇଥଲା ହେଲେ ଏବେ ପୁରୀ ବିଜେଡିର ମଙ୍ଗ କିଏ ଧରିବ ସେ ନେଇ ଧରିଲାଣି ଚର୍ଚ୍ଚ । ଜାଣିବାକୁ ଚାଁହୁଥିବେ ଏବେ ଠୁ ଏତେ କଥା କାହିଁକି ହେଲେ ରାଜ୍ୟ ରାଜନୀତିର ପାଣିପାଗକୁ ଦେଖିଲେ ନିର୍ବାଚନ ଟା ୨୦୧୩ ଶେଷ ବେଳକୁ ହେବା କିଛି ବଡ଼ କଥା ନୁହେଁ । କାରଣ ବିଜେଡି ତ କେତେ ପୂର୍ବରୁ ପ୍ରସ୍ତୁତି ଚଳାଇଛି । ଆଉ ଏବେ ଧର୍ମେନ୍ଦ୍ର ବି କହିଲେଣି କଲେ ଆଗୁଆ ହେବ । ଏହା ହେଲେ ପୁରୀ ବିଜେଡି କଥା ଟା ଆଲୋଚନା କୁ ଆସିବା ତ ସ୍ୱାଭାବିକ । ପୁରୀ ବିଜେଡିରେ ମହେଶ୍ୱର ପ୍ରାର୍ଥୀ ହେବାକୁ ଆଉ ଲୋକେ ଗ୍ରହଣ କରୁନାହାନ୍ତି । ତାଙ୍କ ଦଳ ବି ଆଉ ତାଙ୍କୁ ପ୍ରାର୍ଥୀ ନ କରିବାକୁ ନେତାଏ କହିଲେଣି । କାରଣ ତାଙ୍କର ଇମେଜ ଆଉ ବୟସ ଗ୍ରହଣୀୟ ହେଉନାହିଁ । ତା ପରେ ତାଙ୍କ ଶାରୀରିକ ସ୍ଥିତିକୁ ଦେଖିଲେ ତାଙ୍କୁ ବିଧାୟକ ନ କରିବା ଭଲ ବୋଲି ତାଙ୍କ ସମର୍ଥକ ମାନେ କହୁଛନ୍ତି ।

ଅନ୍ୟପଟେ ମହେଶ୍ୱର ନହେଲେ ବିଜେଡି ହେଉକି ବିଜେପି ବା ବାପା ପରେ ପୁଅଙ୍କୁ ଟିକେଟ ଦେଇ ଉତ୍ତରାଧିକାରୀ କରିବା ପ୍ରଥା ଚାଲିଛି । ସତେ ଯେମିତି ଗଣତନ୍ତ୍ର ତା ରାଜତନ୍ତ୍ର । ବାପାର ଆସନ ଦାବିଦାର ପୁଅ ବା ଝିଅ । ସେହି ନ୍ୟାୟରେ ମହେଶ୍ଵରଙ୍କ ପୁଅ ସୁନୀଲ ଦାବିଦାର । ହେଲେ ବାପାଙ୍କ ଠୁ କଲେ ସେ ଆହୁରି ବିବାଦୀୟ । ସୁନୀଲ ବିଲଡର ଥିଲେ ତାଙ୍କ ବିଲ୍ଡରଇ ବ୍ୟାପାରରେ କାଳେ ଚକ ଜମିକୁ ବେଆଇନି ଭାବେ ଭାଙ୍ଗି ବାଟମଙ୍ଗଳାରେ ବଡ଼ ବଡ଼ ଆପାର୍ଟମେଣ୍ଟ କରିଛନ୍ତି । ଆଉ ଚକ ଜମିକୁ ଭାଙ୍ଗିଥିବା ତହସିଲଦାରଙ୍କୁ ମାନଙ୍କୁ ମହେଶ୍ୱର କୁଆଡେ ପୁରସ୍କାର ଦେଇ ସଦର ବିଡ଼ିଓ ମଧ୍ୟ କଲେ । ସେତେବେଳେ ସେ ସେଇ ଆପାର୍ଟମେଣ୍ଟ ଗୁଡିକୁ ଅନୁମତି ବି ଦେଲେ । ଏମିତି ବିବାଦ ତ ଅଛି ବିଲଡର ରୁ ନେତା ହେଲେ ବିଜେଡିର ଛବିରେ କଳା ପଡିବ ନିଶ୍ଚିତ । ସେଥିପାଇଁ କଲେ ଦଳର କେତେକ ପୁରୁଖା ତାଙ୍କ ପାଖ ମାଡୁନାହାନ୍ତି ।

ଅନ୍ୟପକ୍ଷରେ ବିଜେଡି ରେ ଆଉଜଣେ ଦାବିଦାର ହେଉଛନ୍ତି ଲକି । ସେ ହେଉଛନ୍ତି ଛାତ୍ର ନେତା । ସେବାୟତ ସମ୍ପ୍ରଦାୟରେ ବି ଦୀର୍ଘ ବର୍ଷ ଧରି ସେ ଦଳର ସଂଗଠନ ସମ୍ଭାଳୁଛନ୍ତି । ଅନେକ ସମୟରେ କଲେ ସେ ଦଳର ବିପଦ ବେଳେ ଛିଡା ହୋଇଛନ୍ତି । ସରକାରଙ୍କ ପ୍ରତିଟି କାର୍ଯ୍ୟରେ ସେ ସାମିଲ ହୋଇଛନ୍ତି । ସେବାୟତଙ୍କ ସ୍ୱାର୍ଥ ସାଧନ ହେଉ କି ଲୋକଙ୍କ ପ୍ରସଙ୍ଗ ଲକି ଙ୍କୁ ହିଁ ଖୋଜା ପଡେ । ଦଳର ବହୁ ପୁରୁଖା ବି ତାଙ୍କୁ ସମର୍ଥନ କରୁଛନ୍ତି । ସେ କାଳେ ଏବେ ଲୋକଙ୍କ ପସନ୍ଦ ପାଲଟିଛନ୍ତି । ପୁରୀ ସଦର ଓ ପଂଚାୟତ ସମିତି ବିଜେଡି ହାତକୁ ଯିବା ପଛରେ ଲକିଙ୍କ କାଳେ ବଡ ହାତ ରହିଛି । ସଦରରେ ବି ଲୋକଙ୍କ ଅସୁବିଧା ବୁଝିବାରେ ସେ କାଳେ ମହେଶ୍ୱରଙ୍କୁ ଟପି ଗଲେଣି । ତାଙ୍କ ପଛରେ ସେମିତି କିଛି କାଳିମା ନାହିଁ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି । ପୁରୀ ବିଜେଡିର ମଙ୍ଗୁଆଳ ଲଢ଼େଇରେ ଥିବା ଏହି ଦୁଇଜଣଙ୍କ ମଧ୍ୟରୁ ଦଳ କାହାକୁ ଟିକେଟ ଦେଉଛି ତାହା ସମୟ କହିବ ।

Leave a Reply

Your email address will not be published. Required fields are marked *