ଡକ୍ଟର କ୍ରିଷନ୍ କୁମାରଙ୍କୁ ଚାରିଧାମ ପ୍ରକଳ୍ପ ଦାୟିତ୍ୱ

Soa Ad
Spread the love

କେନ୍ଦ୍ରୀୟ ଡେପୁଟେସନରେ ଥିବା ଓଡ଼ିଶା କ୍ୟାଡରର ଯୁବ ଆଇଏଏସ୍ ଅଫିସର ଡକ୍ଟର କ୍ରିଷନ୍ କୁମାରଙ୍କୁ ମିଳିଛି ବଡ଼ ଦାୟିତ୍ୱ । ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା ପରେ ଜାତୀୟ ରାଜପଥ ବିକାଶ ନିଗମ (NHIDCL) ଦାୟିତ୍ୱ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡକ୍ଟର କୁମାରଙ୍କୁ ଦେଇଛନ୍ତି । ତାଙ୍କୁ ଏନଏଚଆଇଡିସିଏଲର ପରିଚାଳନା ନିର୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି କେନ୍ଦ୍ର ସରକାର । ଡକ୍ଟର କ୍ରିଷନ୍ କୁମାରଙ୍କର ଓଡିଶା ବ୍ରିଜ ନିର୍ମାଣ ନିଗମ (OBCC) ଜରିଆରେ ରାଜ୍ୟରେ ବଡ଼ବଡ଼ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଓ ସଫଳତାର ସହ ବାତ୍ୟା ଫାଇଲିନ ମୁକାବିଲାର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ପିଏମଓ ତାଙ୍କୁ ଚାରିଧାମ ପ୍ରକଳ୍ପ ଦାୟିତ୍ୱ ଦେଇଛନ୍ତି ।

ଚାରିଧାମ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଏକ ଉଚ୍ଚାଆକାକ୍ଷୀଂ ପ୍ରକଳ୍ପ । ଏହି ବୃହତ ଭିତ୍ତିଭୂମି ପ୍ରକଳ୍ପ ହିମାଳୟ ପାଦଦେଶରେ ଥିବା ଦେଶର ଚାରିଟି ପ୍ରମୁଖ ଧର୍ମୀୟସ୍ଥଳୀକୁ ସଂଯୋଗ କରିବ । ଏହି ପ୍ରକଳ୍ପ ଦ୍ୱାରା ଜମୁନୋତ୍ରୀ, ଗଂଗୋତ୍ରୀ, କେଦାରନାଥ ଓ ବଦ୍ରିନାଥକୁ ସଡକ ଭିତ୍ତିଭୂମିର ବିକାଶ କରାଯିବ । ଏଥିପାଇଁ ୧୨ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସିଲକ୍ୟାରା ବେଣ୍ଡ-ବାରକୋଟ ଟନେଲ କାର୍ଯ୍ୟ ବି ଏନଏଚଆଇଡିସିଏଲ ହାତକୁ ନେବ । ଗତ ନଭେମ୍ବର ୧୨ ତାରିଖରେ ନିର୍ମାଣଧୀନ ଏହି ଟନେଲର ଗୋଟେ ଅଂଶ ଭୁଶୁଡି ପଡିଥିଲା । ସେ ସମୟରେ ୪୧ ଜଣ ଶ୍ରମିକ ଫାଶିଯାଇଥିଲେ । ୧୬ ଦିନ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଦୁର୍ଘଟଣା ଦେଶରେ ବୃହତ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣରେ ଥିବା ଚ୍ୟାଲେଞ୍ଜ ସାମ୍ନାକୁ ଆସିଥିଲା । ଏଭଳି ଏକ ମେଗା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଏନଏଚଆଇଡିସିଏଲ ନିଜକୁ ରୂପାନ୍ତରଣ କରିବାର ଆବଶ୍ୟକତା ରହିଛି ।

ସେହିଭଳି ଆଗାମୀ ଦିନରେ ଏନଏଚଆଇଡିସିଏଲ ଯୋଜିଲ୍ଲା ଟନେଲ ପ୍ରକଳ୍ପକୁ ହାତକୁ ନେବ । ନିର୍ମାଣଧୀନ ଏହି ୯.୫ ମିଟର ଚଉଡା, ୭.୫୭ ମିଟର ଉଚ୍ଚ ଓ ୧୪.୨ କିଲୋମିଟର ଲମ୍ବା । ଘୋଡା ନାଳ ଢାଞ୍ଚାରେ ଏକକ ଟ୍ୟୁବ ଭଳି ଦୁଇ ଲେନ ବିଶିଷ୍ଟ ଏହି ଟନେଲ ସମୁଦ୍ର ଲେବୁଲରୁ ୧୧ ହଜାର ୫୭୫ ଫୁଟ ଉଚତାରେ ନିର୍ମାଣ କରାଯାଉଛି । ଏହା କାଶ୍ମୀରର ଗଣ୍ଡେର୍ବାଲ ଓ କାର୍ଗିଲର ଦ୍ରାସ ସହରକୁ ସଂଯୋଗ କରିବ । ଯୋଜିଲ୍ଲା ଟନେଲ ଚାଇନା ସୀମା ନିକଟବର୍ତ୍ତୀ ଦେଇ ଯିବ। ଏହାଦ୍ୱାରା ସେନା ଏବଂ ଶ୍ରୀନଗର ଓ ଲେହ ଲୋକଙ୍କୁ ବର୍ଷତମାମ ଗମନାଗମନ ସୁବିଧା ଯୋଗାଇବ । ଏଥିସହିତ ଏନଏଚଆଇଡିସିଏଲ ଆସାମ ମେଘାଳୟ ସେତୁ ପ୍ରକଳ୍ପର କାର୍ଯ୍ୟକାରିତା ଦାୟିତ୍ୱ ମଧ୍ୟ ହାତକୁ ନେବ । ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ ହେବାକୁ ଥିବା ଏହି ୧୯.୨୮ କିଲୋମିଟର ଲମ୍ବା ସେତୁ ଆସାମର ଉତ୍ତରରେ ଥିବା ଧୁବ୍ରି ଓ ମେଘାଳୟର ଦକ୍ଷିଣରେ ଥିବା ଫୁଲବାରୀକୁ ସଂଯୋଗ କରିବ । ଏହା ଜାତୀୟ ରାଜପଥ ୧୨୭(ବି)ର ଏକ ଅଂଶ । ଏହା ଦେଶର ସବୁଠାରୁ ଲମ୍ବା ସେତୁ ।

ଏନଏଚଆଇଡିସିଏଲ ଦେଶର ବିଭିନ୍ନ ରାଜ୍ୟର ୧୩ ଟି ସମ୍ବେଦନଶୀଳ ସ୍ଥାନରେ ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣର ଦାୟିତ୍ୱ ବହନ କରିବ । ଆଣ୍ଡାମାନ ନିକୋବର, ଅରୁଣ।ଚଳ ପ୍ରଦେଶ, ଆସାମ, ଜମ୍ମୁ କାଶ୍ମୀର, ଲଦାଖ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ପଶ୍ଚିମବଙ୍ଗ, ତ୍ରିପୁରା ଓ ଉତ୍ତରାଖଣ୍ଡର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ କରିବ ଏନଏଚଆଇଡିସିଏଲ ।