ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଜୟନାରାୟଣ

Soa Ad
Spread the love

ଭୁବନେଶ୍ବର : ବିରୋଧୀଦଳ ନେତା ତଥା ବିଧାୟକ ଜୟନାରାୟଣ ମିଶ୍ର ଦୁଇଟି ମାମଲାରେ ଆଗୁଆ ଜାମିନ ଲୋଡ଼ି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସମ୍ବଲପୁର ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ଦୁର୍ବ୍ୟବହାର ଓ ଧମକ ଦେବା ନେଇ ଶ୍ରୀ ମିଶ୍ର ଓ ଅନ୍ୟମାନଙ୍କ ବିରୋଧରେ କ୍ଷେତରାଜପୁର ଥାନାରେ ୨୦୨୨ରେ ଏତଲା ରୁଜୁ ହୋଇଥିଲା। ଫେବ୍ରୁଆରି ୧୫ରେ ତହସିଲଦାର ଜବର ଦଖଲ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ବିଧାୟକ ଓ ତାଙ୍କ ସମର୍ଥକମାନେ ଘଟଣାସ୍ଥଳରେ ପହଞ୍ଚି ଧମକ ଚମକ ଦେଇଥିବା ଅଭିଯୋଗ ହୋଇଥିଲା।

ଶ୍ରୀ ଅମାତଙ୍କ ଅଭିଯୋଗ ଆଧାରରେ କ୍ଷେତରାଜପୁର ଥାନରେ ମାମଲା ରୁଜୁ ହୋଇଥିଲା। କ୍ଷେତରାଜପୁର ଥାନାର ଏହି ମାମଲାରେ ଫଣୀଭୂଷଣ ମିଶ୍ର ଓ ପ୍ରଭୁଦତ୍ତ ପଣ୍ଡାଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ ପରେ ଜାମିନରେ ଛାଡ଼ିବାକୁ ଗତ ମେ’ ୧୧ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏଥି ସହିତ ଗତ ଫେବ୍ରୁଆରିରେ ସମ୍ବଲପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ବେଳେ ପୁଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ନେଇ ଟାଉନ୍‌ ଥାନାରେ ୨ଟି ପୃଥକ ମାମଲା ରୁଜୁ ହୋଇଥିଲା। ଶ୍ରୀ ମିଶ୍ରଙ୍କ ବିରୋଧରେ ଟାଉନ ଥାନାରେ ଧନୁପାଲି ଥାନା ଆଇଆଇସି ଅନୀତା ପ୍ରଧାନ ଏତଲା ଦେଇଥିଲେ। ଆଇଆଇସିଙ୍କ ଏତଲା କ୍ରମେ ଟାଉନ ଥାନା ପକ୍ଷରୁ ଶ୍ରୀ ମିଶ୍ରଙ୍କ ନାଁରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିଲା। ଜବାବରେ ବିଜେପି ମହିଳା ‌ମୋର୍ଚ୍ଚାର ସମ୍ବଲପୁର ଶାଖା ପକ୍ଷରୁ ଆଇଆଇସି ଅନୀତା ପ୍ରଧାନଙ୍କ ନାଁରେ ଏତଲା ‌ଦିଆଯାଇଥିଲା। ଆଇଆଇସିଙ୍କ ଏତଲା ଆଧାରରେ ରୁଜୁ ମାମଲାରେ ଆଗୁଆ ଜାମିନ ଲୋଡ଼ି ଶ୍ରୀ ମିଶ୍ର ହାଇକୋର୍ଟରେ ଆବେଦନ ଦାୟର କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।