ପଦ୍ମ ନାଡ଼ ଓପାଡି ଛିଡାଇ ଫୋପାଡିବେ ଭାଲୁ

କୋରାପୁଟ ଜିଲ୍ଲାର ଗୋଡ଼ିଆ ପୋଖରୀରେ କାଁ ଭାଁ କୁଆଁ ମେଲୁଥିବା ପଦ୍ମ ନାଡ଼କୁ ଭାଲୁଭାଇନା ଓପାଡ଼ିବାକୁ
କୁଆଡ଼େ ବଜ୍ର ଶପଥ ନେଇଛନ୍ତି ବୋଲି ଦକ୍ଷିଣରୁ ଖବର ମିଳିଛି। ଅବଶ୍ୟ ଏହି ଶପଥ ପଛରେ ଯେଉଁ କାରଣଟି ରହିଛି ତାହାକୁ ବି ଅଯଥାର୍ଥ ବୋଲି କୁହାଯାଇ ପାରିବ ନାହିଁ । ମାଟି ପାଇଁ ପାର୍ଟି ସହ ଲଢ଼ିବାକୁ ବାହାରି ପଡୁଥିବା ଭାଲୁ ପଦ୍ମ ପାର୍ଟିବାଲାଙ୍କୁ ଛାଡ଼ନ୍ତେ ବା କେମିତି? ଶୁଣିବା କଥା ହେଲା ଖୁବ୍ ଶୀଘ୍ର କେନ୍ଦ୍ର ପଦ୍ମ ସରକାରଙ୍କ ନିଷ୍ପତ୍ତି ବିରୋଧରେ କୋରାପୁଟରେ ଅଖଚକ ଜାମ କରିବାକୁ ଭାଲୁ ଏଣ୍ଡ କୋ ନିଷ୍ପତ୍ତି ନେଇଛନ୍ତି। ଏହା ପଛରେ କାରଣଟି ହେଉଛି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତି ଅବହେଳା ।
କେନ୍ଦ୍ରରେ କଂଗ୍ରେସ ଅମଳରେ ଏହି ବିଶ୍ବବିଦ୍ୟାଳୟ ସ୍ଥାପନ ହୋଇଥିଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତେବେଳେ ଏହି ଅନୁଷ୍ଠାନକୁ ହାତ ଖୋଲି ସମସ୍ତ ସହାୟତା ଯୋଗାଇ ଦେଇଥିଲେ । ଢ଼େର ବର୍ଷ ପରେ ଏବେ ବିଶ୍ବବିଦ୍ୟାଳୟର ଅବସ୍ଥା ଯେପରି ହୋଇଛି ତାହା କହିଲେ ନ ସରେ । ଏଠି ଅଧ୍ୟାପକ ନାହାନ୍ତି, କର୍ମଚାରୀଙ୍କ ସଂଖ୍ୟା ବି ଆଙ୍ଗୁଳି ଗଣତି । ନୂଆ କର୍ମଚାରୀ ନିଯୁକ୍ତି ପ୍ରସଙ୍ଗରେ ଶଙ୍ଖ ସାଂସଦ ମାନସ ସଂସଦରେ କେନ୍ଦ୍ର ସରକାରଙ୍କ ନିକଟରେ ଉଦ୍ବେଗ ପ୍ରକାଶ କରିଥିଲେ ବି କିଛି ଲାଭ ହୋଇନାହିଁ ।
ଏବେ ଶୁଣାଗଲାଣି ଏହି ବିଶ୍ବବିଦ୍ୟାଳୟ କୁଳପତି କୁଆଡ଼େ ଆଉ କୋରାପୁଟରେ ବସିବେ ନାହିଁ । ଅର୍ଥ ସହସ୍ର କିଲୋମିଟର ଦୂରରେ ତାଙ୍କ ପାଇଁ ନୂଆ କାର୍ଯ୍ୟାଳୟ ସ୍ଥାପନ ହେବାକୁ ଯାଉଛି ବୋଲି କିଛି ଲୋକ କହୁଛନ୍ତି । ଏଥିରେ କୋରାପୁଟିଆ ରାଗି ପାଚି ଲାଲ୍ । ପୂର୍ବରୁ ଶଙ୍ଖ ପ୍ରଦୀପ ଏହାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି; ଆଉ ଏବେ ଭାଲୁ ପଦ୍ମ ନାଡ଼ ତାଡ଼ିବାକୁ ଦଳବଳ ଧରି
ସଜିଲ ହେଲେଣି ।