ରାଜପରିବାର ନୁହେଁ ବରଂ ବଲାଙ୍ଗୀର ବିଜେଡି ଟିକେଟରୁ ଲଢ଼ିବେ ଶ୍ରୀମୟୀ, ଦେଖନ୍ତୁ ଏହି ଭିଡିଓ

ରାଜପରିବାର ଥିବେ ଅନେଇ । ବାଜି ମାରିନେବେ ଶ୍ରୀମୟୀ । ଅର୍କେଶ ନା କଳିକେଶ କିଏ ପଡିବେ ବାଦ ? ବଲାଙ୍ଗୀର ବିଜେଡି ରାଜନୀତିରେ ଏବେ ଚାଲିଛି ଜୋରଦାର ଛକାପଞ୍ଝା । ଯେଉଁଠି ରାଜପରିବାର ନିର୍ଦେଶ ବିନା ବିଜେଡି ରାଜନୀତିରେ ପତ୍ରଟିଏ ମଧ୍ୟ ହଲୁନଥିଲା ସେଠାରେ ଏବେ ଶ୍ରିମୟୀ ଝଡ ଆରମ୍ଭ ହୋଇଛି । ଖାସ କରି ରାଜ୍ୟ ରାଜନୀତିରେ ଏବେ ଶ୍ରିମୟୀଙ୍କ ପ୍ରଭାବ ବିସ୍ତାର ବଲାଙ୍ଗୀର ବିଜେଡି ରାଜନୀତିରେ ସିଂହଦେଓ ରାଜପରିବାରର ଚିନ୍ତା ବଢ଼ାଇଛି । କାରଣ ଏବେ ବଲାଙ୍ଗୀର ବିଜେଡି ରାଜନୀତିରେ ପାୱାର ସେଣ୍ଟର ଭାବେ ଉଭା ହେଲେଣି ଶ୍ରିମୟୀ ମିଶ୍ର । ସଂଗଠନ ଏବେ ଶ୍ରିମୟୀଙ୍କ ସାଥିରେ ଆଗକୁ ବଢୁଛି । ଯାହାକୁ ସହଜରେ ସିଂହଦେଓ ରାଜପରିବାର ହଜମ କରିପାରୁନଥିବା କୁହାଯାଉଛି । ଏପରିକି ଆଗକୁ ଶ୍ରିମୟୀ ହିଁ ରାଜପରିବାର ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇପାରନ୍ତି ବୋଲି ଚର୍ଚା ହେଉଛି । ରାଜପରିବାରର ଟିକେଟରେ ଏବେ ଶ୍ରିମୟୀ ଭାଗ ବସାଇବାକୁ ପ୍ରସ୍ତୁତି ଆରମ୍ଭ କରିଥିବା ନେଇ ବଲାଙ୍ଗୀର ବିଜେଡି ରାଜନୀତିରେ ଚର୍ଚା ।
ଏମିତିରେ ୨୦୧୯ ନିର୍ବାଚନରେ ପରଜା ହେବା ପରେ ବିଜେଡି ରାଜନୀତିରେ ସିଂହଦେଓ ରାଜପରିବାର ପୂର୍ବ ପତିଆରା ହରାଇଛି । ଦଳୀୟ କାର୍ଯ୍ୟକ୍ରମରେ କଳିକେଶ ଓ ଅର୍କେଷ୍ ଙ୍କୁ ଦେଖିବାକୁ ମିଳୁଛି ସତ ହେଲେ ଆଉ ପୂର୍ବ ଭଳି ପତିଆରା ନଥିବା କୁହାଯାଉଛି । ପୁଅ କୁ ରାଜନୀତିରେ ଥଇଥାନ କରିବାକୁ ଯାଇଁ ସକ୍ରିୟ ରାଜନୀତିରୁ ଅନଙ୍ଗ ଉଦୟ ସିଂହଦେଓ ଦୂରେଇବା ଏବେ ସିଂହଦେଓ ରାଜପରିବାର ପାଇଁ ବୁମେରାଙ୍ଗ ସାବ୍ୟସ୍ଥା ହୋଇଥିବା କୁହାଯାଉଛି । ପରିବାରରୁ ଜଣକୁ ଟିକେଟ ଦେବାନୀତିରେ ବିଜେଡି ୨୦୨୪ ନିର୍ବାଚନ ମୈଦାନକୁ ଓଲ୍ହାଇବାକୁ ପାଗ ଭିଡୁଥିବା କୁହାଯାଉଛି । ଆଉ ଯଦି ଏମିତି ହୁଏ ତେବେ ପ୍ରତି ନିର୍ବାଚନରେ ଦୁଇଟି ବିଜେଡି ଟିକେଟ ହାତଉଥିବା ସିଂହଦେଓ ରାଜ ପରିବାରକୁ ଗୋଟିଏ ଟିକେଟରେ ସନ୍ତୁଷ୍ଟ ହେବାକୁ ପଡିପାରେ । ଆଉ ଏଭଳି ସ୍ଥିତିରେ ଅର୍କେଷ୍ ନା କଳିକେଶ କାହାକୁ ବିଜେଡି ମୁଖିଆ ଗ୍ରୀନ ସିଗ୍ନାଲ ଦେବେ ତାହା ଉପରେ ସମସ୍ତଙ୍କର ନଜର ରହିବ । କାରଣ ଉଭୟ ଭାଇ ଗତ ୨୦୧୯ ନିର୍ବାଚନରେ ପରାଜିତ ହୋଇଛନ୍ତି । କିନ୍ତୁ ଏଭଳି ହେଲେ ଫାଇଦାରେ ରହିବେ ଶ୍ରିମୟୀ । ୨୪ ଟିକେଟ ପାଇଁ ବେଶୀ କସରତ କରିବା ପାଇଁ ପଡ଼ିବନି ।
ଅନ୍ୟପଟେ ଶ୍ରିମୟୀଙ୍କ ଟିକେଟ ଲବି କୁ ଷ୍ଟ୍ରଙ୍ଗ କରିବ ବିଜେଡିର ମହିଳା କାର୍ଡ । ଯେହେତୁ ନବୀନ ପ୍ରତିଟି କ୍ଷେତ୍ରରେ ମହିଳା ସଶକ୍ତିକରଣ କୁ ଜୋର ଦେଇ ଆସୁଛନ୍ତି ତେଣୁ ଏହା ଶ୍ରିମୟୀଙ୍କ ପାଇଁ ଆଶୀର୍ବାଦ ପାଲଟି ପାରେ । ଶୁଣିବାକୁ ମିଳୁଛି ବିଜେଡି ଷଷ୍ଠ ଥର କ୍ଷମତାକୁ ଫେରିବାକୁ ମହିଳା ଭୋଟ ବ୍ୟାଙ୍କଙ୍କୁ ଫୋକସରେ ରଖିବ । ଆଉ ଏଭଳି ସ୍ଥିତିରେ ବଲାଙ୍ଗୀର ପାଇଁ ଟିକେଟ ରେସରେ ଶ୍ରିମୟୀ ସର୍ବାଗ୍ରେ ରହିପାରନ୍ତି । ଶ୍ରିମୟୀଙ୍କୁ ଏବେ ଦଳ ମିଡ଼ିଆ ଫେସ କରିଛି ବିଭିନ୍ନ ପ୍ରସଙ୍ଗରେ ଦଳର ମତ ଶ୍ରିମୟୀଙ୍କ ତୁଣ୍ଡରୁ ଶୁଣିବାକୁ ମିଳୁଛି । ଯାହା ଦର୍ଶାଉଛି ଶ୍ରିମୟୀଙ୍କର ଗୁରୁତ୍ୱ ବିଜେଡିରେ ପୂର୍ବାପେକ୍ଷା ଅଧିକ ବଢିଛି । ଯଦି ସବୁ ଚର୍ଚା ଓ ଆଲୋଚନା ସତ ହୁଏ ତେବେ ଶ୍ରିମୟୀଙ୍କୁ ବଲାଙ୍ଗୀରରୁ ଦିଲ୍ଲୀ ପଠାଇ ପାରେ ବିଜେଡି । ଅର୍ଥାତ ବଲାଙ୍ଗୀର ଲୋକସଭା ଆସନରେ ମହିଳା କାର୍ଡ ଖେଳିପାରେ ବିଜେଡି । ସଂଗୀତା ସିଂହଦେଓ ଙ୍କୁ ଚେକ ଦେବାକୁ ଶ୍ରିମୟୀଙ୍କୁ ଅସ୍ତ୍ର କରିପାରେ ଦଳ । ଆଉ ଯଦି ଏଭଳି ସମୀକରଣ ବାସ୍ତବତାର ରୂପ ନିଏ ତେବେ ଅନଙ୍ଗ ଉଦୟ ସିଂହଦେଓଙ୍କ ପରିବାର ହାତରୁ ଦିଲ୍ଲୀ ଟିକେଟ ଖସିବା ଏକ ପ୍ରକାର ଥୟ । ଏଭଳି ସ୍ଥିତିରେ ଅର୍କେଷ୍ ନା କଳିକେଶ କାହାକୁ ଅନଙ୍ଗ ରାଜନୈତିକ ମୈଦାନକୁ ଓଲ୍ହାଇବେ ତାହା ସବୁଠୁ ବଡ଼ ପ୍ରଶ୍ନ ।