ବିଜେପି ଏମପି ଟିକେଟରେ କଟକରୁ ଲଢ଼ିବେ ଅଶ୍ୱିନୀ ବୈଷ୍ଣବ

ରେଳ ବୈଷ୍ଣବ ଅଶ୍ବିନୀ କୁଆଡ଼େ ଆଜିକାଲି ସହସ୍ରାୟୁ ସହର କଟକ ମୁହାଁ । ଏକ ସମୟରେ ପରେ ସେ ଯେପରି କାହାଣୀ କହୁଛନ୍ତି, ପୋଖତ ରାଜନୀତିଆମାନେ ବି ତାଙ୍କ ପାଖରେ ଫେଲ୍ ମାରିଯିବେ । ନିକଟରେ ତାଙ୍କ ବିଭାଗର ଏକ କାର୍ଯ୍ୟକ୍ରମ ରାଜଧାନୀରେ ହେବା ପାଇଁ ଆପାତତଃ ଚୂଡ଼ାନ୍ତ ହୋଇଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ବୈଷ୍ଣବଙ୍କ ହସ୍ତକ୍ଷେପ ପରେ ତାହା ଭୁବନେଶ୍ବର ବଦଳରେ କଟକକୁ ସ୍ଥାନାନ୍ତରିତ କରି ଦିଆଗଲା । ୟା' ପଛରେ କୁଆଡ଼େ ଏକ ନିର୍ଦ୍ଦିଷ୍ଟ କାରଣ ଥିବା କୁହାଯାଉଛି।
ଆଗାମୀ ଲୋକସଭା ନିର୍ବାଚନରେ ବାଲେଶ୍ବରରୁ ଠିଆ ହେବା ପାଇଁ ତାଙ୍କର ଆଗ୍ରହ ଥିଲା, ମାତ୍ର ସେଠାରେ ପଦ୍ମ ଦଳର ଦୁର୍ବାସା ଷଡ଼ଙ୍ଗୀ ମହାଶୟଙ୍କୁ ସ୍ଥାନଚ୍ୟୁତ କରିବା ଏତେ ସହଜ ହେବ ନାହିଁ ଭାବି ସିଏ ଏବେ କୁଆଡ଼େ କଟକ ମୁହାଁ | କଟକରୁ ଗଲା ନିର୍ବାଚନରେ ପୁଲିସ ବାବୁ ପ୍ରକାଶ ଠିଆ ହୋଇଥିଲେ, ସିଏ ପୁଣି ଯେ ଟିକେଟ୍ ପାଇବେ ସେଥ୍ନେଇ କୌଣସି ସ୍ଥିରତା ନାହିଁ । ତେଣୁ କଟକକୁ ବୈଷ୍ଣବ ନିଜ ପାଇଁ ସୁରକ୍ଷିତ ବୋଲି ମନେ କରୁଛନ୍ତି । ପୁରୁଣା ‘ଭାଈ’ ସମ୍ପର୍କକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହେବାକୁ ସ୍ବପ୍ନ ଦେଖୁଛନ୍ତି। ସେଇଥପାଇଁ କୁଆଡ଼େ କଟକରେ କାର୍ଯ୍ୟକ୍ରମ ପାଇଁ ସିଏ ବେଶୀ ଆଗ୍ରହ ପ୍ରକାଶ କରିଥିବା କଥା କୁହାଯାଉଛି।
ଆଖିବୁଜି କ୍ଷୀର ପିଉଥୁବାବେଳେ ବିଲେଇ ତାକୁ କେହି ଦେଖୁ ନ ଥିବା ମନେମନେ ଭାବିଥାଏ, ମାତ୍ର ସେତେବେଳେ ସାରା ଦୁନିଆ ତାକୁ କ୍ଷୀର ପିଉଥିବା ଦେଖୁଥିବା ସେ କଥା ସେ ଭୂଲି ଯାଇଥାଏ | ହେଲେ ବୈଷ୍ଣବ ସିନା ଡ଼ାଳେଡ଼ାଳେ ଯାଉଛନ୍ତି, ଏଠି ଶଙ୍ଖ ଦଳିଆ ପରା ପତ୍ରେପତ୍ରେ ତାଙ୍କ ଉପରେ ନିଘା ରଖୁଛନ୍ତି । ଏ କଥା ବୈଷ୍ଣବ ଜାଣନ୍ତି କି ନାହିଁ କେଜାଣି ?