କଂଗ୍ରେସ ନେତା କାହିଁକି ଦେଲେ ଏମିତି ବିବାଦୀୟ ବୟାନ ?
କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା କହିଲେ ବରିଷ୍ଠ ନେତା । ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ କଥା ଆଢୁଳରେ ପ୍ରଧାନମନ୍ତ୍ରୀଙ୍କୁ ମାରିବା କଥା କହିଛନ୍ତି । ବୟାନକୁ ନେଇ ବିବାଦ ଛିଡ଼ାହେବା ପରେ ୟୁଟର୍ଣ୍ଣ ନେଇଛନ୍ତି ପଟେରିଆ। ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଏକ କାର୍ଯ୍ୟକ୍ରମକୁ ସମ୍ବୋଦ୍ଧିତ କରି ଏଭଳି କହିଛନ୍ତି ପଟେରିଆ । ସେ କହିଛନ୍ତି, ଧର୍ମ, ଜାତି, ଭାଷା ଆଧାରରେ ଦେଶକୁ ବିଭାଜନ କରିବାକୁ ଉଦ୍ୟମ କରୁଛନ୍ତି ପ୍ରଧାନମନ୍ତ୍ରୀ । ଦଳିତ, ଆଦିବାସୀ ଓ ସଂଖ୍ୟା ଲଘୁଙ୍କ ପାଇଁ ଏହା ବିପଦ ।
ମୋଦି ନିର୍ବାଚନ ପ୍ରକ୍ରିୟା ବନ୍ଦ କରିବାକୁ ଚାହୁଁଛନ୍ତି । ତେଣୁ ମୋଦିଙ୍କୁ ମାରି ସମ୍ବିଧାନ ବଞ୍ଚାଇବାକୁ ହେବ ବୋଲି କହିଥିଲେ । ପଟେରିଆଙ୍କ ବୟାନ ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ଆରମ୍ଭ ହୋଇଛି । ମଧ୍ୟପ୍ରେଦଶ ବିଜେପି ନେତା ଭିଡିଓ ସେୟାର କରି ପଟେରିଆଙ୍କୁ ଘେରିବା ସହିତ ଗିରଫ ପାଇଁ ଦାବି କରିଛନ୍ତି ।
ତାଙ୍କ ଭାଷଣର କିଛି କ୍ଲିପ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହୋଇଛି । ଏହାକୁ ନେଇ ମଧ୍ୟପ୍ରଦେଶର ପନ୍ନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କୁ ଗିରଫ କରିବା ଲାଗି ବିଜେପି ଦାବି କରିଛି । ଏହି ମନ୍ତବ୍ୟ ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କୁ ନିନ୍ଦା କରିଛନ୍ତି । ଭାରତ ଯୋଡ଼ ଯାତ୍ରାର ନାଟକ କରୁଥିବା ଲୋକଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି ବୋଲି ସେ କହିଛି । ଏ ଦିଗରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ଏହା ମହାତ୍ମା ଗାନ୍ଧୀଙ୍କ କଂଗ୍ରେସ ନୁହେଁ ଇଟଲୀର ମୁସୋଲିନ ମାନସିକତାର କଂଗ୍ରେସ ।