କିଏ ହେବେ ଓଡ଼ିଶାର ଆଗାମୀ ମୁଖ୍ୟ ଶାସନ ସଚିବ ?

ଏହି ମାସ ସରୁଛି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ । ୬ ମାସ ବଢିଥିଲା ଯାହା ଏ ମାସ ସରୁଛି । ଏବେ ଚର୍ଚ୍ଚା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବ? ମୁଖ୍ୟ ଶାସନ ସଚିବ ପଦ ହାତେଇବାକୁ ଚାଲିଛି ଜୋରଦାର ଲବି । ଲବି ଲିଷ୍ଟରେ ପ୍ରଦୀପ ଜେନା ଓ ପ୍ରଦୀପ୍ତ ମହାପାତ୍ରଙ୍କ ଭଳି ବରିଷ୍ଠ ଓଡ଼ିଆ ଆଇଏଏସ ଅଫିସର ଥିବା ବେଳେ ଅଣ ଓଡ଼ିଆ ଅଫିସରଙ୍କ ଭିତରେ ମୋନା ଶର୍ମା, ରାଜକୁମାର ଶର୍ମା, ଜି. ଭି.ଭେନୁଗୋପାଲ ଓ ରାଜେଶ ବର୍ମାଙ୍କ ନାଁ ବି ରହିଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇପାରିନି । ସରକାର କାହା ଉପରେ ଭରଷା କରିବେ । ପ୍ରଦୀପ ଜେନାଙ୍କ ଉପରେ ସରକାର ଭରଷା କରିପାରିଥାନ୍ତେ । କିନ୍ତୁ ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗର କିଛି ଖୋଳତାଡ ପରେ ତାଙ୍କ ଉପରେ ଭରଷା କରାଯାଇ ପାରିବ କି ନାହିଁ ଚିନ୍ତାରେ ଅଛନ୍ତି । ପ୍ରଦୀପ୍ତ ମହାପାତ୍ର ତ କେବେ ଠୁ କଣଠେସା ହୋଇସାରିଛନ୍ତି । ଏବେ ଆସିବା ଅଣ ଓଡ଼ିଆ ଅଫିସରଙ୍କ ପାଖକୁ । ସେମାନଙ୍କ ଉପରେ କେତେଦୂର ବିଶ୍ୱାସ କରିବେ, ସେନେଇ ଦ୍ୱନ୍ଦ ଲାଗି ରହିଛି ।
ଅବଶ୍ୟ ମୁଖ୍ୟ ଶାସନ ସଚିବ ପଦବୀରେ ଅଣଓଡ଼ିଆ ଅଫିସର ବସିବା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ । ଯେହେତୁ ପୋଲିସ ଡିଜି ବି ଅଣଓଡ଼ିଆ ରହିସାରିଛନ୍ତି । ତେଣୁ ମୁଖ୍ୟ ଶାସନ ସଚିବ ଜଣେ ଅଣଓଡ଼ିଆ ବି ହୋଇପାରନ୍ତି, ତାହାକୁ ଏଡାଇ ଦିଆଯାଇନପାରେ । ଏସବୁ ଲବି ଭିତରେ, ଶୁଣାଯାଉଛି କି କିଛି ବରିଷ୍ଠ ଆଇଏଏସ ଅଫିସର ମୁଖ୍ୟ ଶାସନ ସଚିବ ପଦବୀ ପାଇଁ ଚାପ ସୃଷ୍ଟି କରିବାକୁ ଛୁଟିରେ ରହୁଛନ୍ତି । ଲବିରେ ଥିବା ରାଜକୁମାର ଶର୍ମାଙ୍କୁ ମିଳିବା କଷ୍ଟକର । କାରଣ ତାଙ୍କର ଅବସର ଆଉ ୭ରୁ ୮ ମାସ ଅଛି । ବର୍ଷେରୁ କମ୍ କାର୍ଯ୍ୟକାଳ ରହିଲେ ମୁଖ୍ୟ ଶାସନ ସଚିବ ପଦ ଦିଆଯିବାର ନିୟମ ନାହିଁ । ମୋନା ଶର୍ମାଙ୍କ କଥା ବି ଗ୍ରହଣୀୟ ହୋଇପାରେ । ଏ ପର୍ଯ୍ୟନ୍ତ ଥିବା ଆଶୟୀଙ୍କ ଉପରେ ଭରଷା କରିପାରୁନାହାନ୍ତି ସରକାର । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବଢାଇବାକୁ ଚିନ୍ତା କରୁଛନ୍ତି । ସୁରେଶ ମହାପାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ସବୁ କାମ ସରକାରଙ୍କ ନିର୍ଦ୍ଦେଶରେ କରୁଛନ୍ତି । ଗତ ଫେବୃଆରୀରେ ତାଙ୍କ କାର୍ଯ୍ୟକାଳ ସରିଥିବା ବେଳେ ତାଙ୍କୁ ଆଉ ୬ ମାସ ମୁଖ୍ୟ ଶାସନ ସଚିବ ପଦବୀରେ ବସାଇଥିଲେ ସରକାର ।
ଅନ୍ୟପଟେ ଦେଖିବାକୁ ଗଲେ ୧୯୯୦ ବ୍ୟାଚ୍ ର ଆଇଏଏସ ଅଫିସର ସଞ୍ଜୀବ ଚୋପ୍ରା ବି ମୁଖ୍ୟ ଶାସନ ସଚିବ ପଦବୀରେ ବସିବା ପାଇଁ ଲବି କରୁଥିବା ଚର୍ଚ୍ଚା ହେଉଛି । କିନ୍ତୁ ନବୀନ ସରକାର ଏବେ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ପାରିନାହାନ୍ତି, କାହାକୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କରିବେ । ସୁରେଶ ମହାପାତ୍ରଙ୍କ ଭଳି ଆନୁଗତ୍ୟ ଦେଖାଉଥିବା ଅଫିସର ଏଯାଏଁ ବୋଧେ ଖୋଜି ପାଇନାହାନ୍ତି । ଖୋଜିବା ପ୍ରକ୍ରିୟା ଜାରି ରହିଛି । ଏପେଟ ଲବିରେ ଥିବା ଅଫିସରଙ୍କ ଆନୁଗତ୍ୟ ପରୀକ୍ଷା ବି ଚାଲିଛି । ଯଦି ସେମାନଙ୍କ ମଧ୍ୟରୁ କେହି ସଫଳ ହୋଇଗଲେ, ତେବେ ଆଗକୁ ନୂଆ ମୁଖ୍ୟ ଶାସନ ସଚିବ ପଦବୀରେ ବସିବେ, ନହେଲେ ସୁରେଶ ମହାପାତ୍ରଙ୍କୁ ଆହୁରି ୬ ମାସ କାର୍ଯ୍ୟକାଳ ବଢାଇବାକୁ ଯୋଜନା କରୁଛନ୍ତି । ଆଉ ଏମାନଙ୍କ ଅନୁଗତ୍ୟ ପରୀକ୍ଷା ଆହୁରି ୬ ମାସ କରାଯିବ । ଦେଖାଯାଉ କିଏ ସରକାରଙ୍କ ବିଶ୍ୱାସଭାଜନ ହୋଇପାରୁଛି । ନୂଆ ମୁଖ୍ୟ ଶାସନ ସଚିବ ଆସିବେ ନା ସୁରେଶ ପୁଣି ଆସନରେ ବସିବେ, ତାହା ଦେଖିବାକୁ ବାକି ରହିଲା ।