ପାରାଦୀପ ମୁହାଁ ଦେବାଶିଷ, ବାରବାଟୀ କଟକରୁ ଶଙ୍ଖ ଟିକେଟରେ ଲଢ଼ିବେ କି ମୋକିମ ?

ଚର୍ଚ୍ଚାରେ ମୋକିମଙ୍କ କ୍ରସ ଭୋଟିଂ । ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ହଲଚଲ । କାହିଁକି ମୋକିମ ଦଳୀୟ ନିଷ୍ପତ୍ତିକୁ ମାନିଲେ ନାହିଁ ? କାହିଁକି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ? ଏହା ପଛର ରହସ୍ୟ କଣ ? ନବୀନଙ୍କ ନିବେଦନ ପରେ ଏହି କ୍ରସ ଭୋଟିଂ ହୋଇଛି କି ? ଯଦି ଏହା ସତ, ତେବେ ମୋକିମ କଣ ବିଜେଡି ମୁଁହା ? ରାଜ୍ୟ ରାଜନୀତିରେ ଏବେ ଏମିତି ଅନେକ ଚର୍ଚ୍ଚା । ମୋକିମ ଏବେ କଟକ ବରବାଟିରୁ କଂଗ୍ରେସ ବିଧାୟକ ଅଛନ୍ତି । ଦେବାଶିଷ ସାମନ୍ତରାୟଙ୍କୁ ହରାଇ ମୋକିମ ଏହି ଆସନରେ ବିଜୟୀ ହୋଇଛନ୍ତି । ତେବେ ଦେବାଶିଷ ସାମନ୍ତରାୟ ପାରାଦୀପ ଆସନରୁ ଲଢେଇ କରିବା ପାଇଁ ମନବଳେଇଥିବା ଚର୍ଚ୍ଚା ହେଉଛି । କିଛିଦିନ ତଳେ ପାରାଦୀପର ଏକ ସଭାରେ ସ୍ପଷ୍ଟ ଭାବେ ଏକଥା କହିଥିଲେ ଦେବାଶିଷ । କେବଳ କହିନଥିଲେ ବରଂ କଡା ଭାଷାରେ ସ୍ଥାନୀୟ ବିଧାୟକଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ସେ କୁଆଡେ ପାରାଦୀପ ଆସିଲେ ନାରୀଙ୍କ ଆଖିରେ ଲୁହ ରହିବ ନାହିଁ ବୋଲି କହିଥିଲେ । ଯଦି ଏମିତି ହୁଏ ତେବେ ବିଜେଡି ମୋକିମଙ୍କୁ ଦଳରେ ସାମିଲ କରି ଏହି ଆସନ ପାଇଁ ଟିକେଟ ଦେଇପାରିବ ବୋଲି ଚର୍ଚ୍ଚା ହେଉଛି ।
ମୋକିମ ଦଳରେ ଯୋଗଦେଇ ପାରନ୍ତି କି ବୋଲି ପ୍ରଶ୍ନର ଉତ୍ତର ଦେଇ କଟକ ମେୟର ସୁବାଷ ସିଂ କହିଛନ୍ତି ପାର୍ଟି ହିଁ ଯାହା ନିଷ୍ପତ୍ତି ନେବ । ସେପଟେ ମୋକିମ କହିଛନ୍ତି ମୁଁ କଂଗ୍ରେସରେ ଅଛି ଆଉ ରହିବି । କିନ୍ତୁ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୪ ସୁଦ୍ଧା କଂଗ୍ରେସ ଦଳ ରହିଲେ ହେଲା । ଏହି କଥା ବିଭିନ୍ନ ଦିଗକୁ ଇଙ୍ଗିତ କରୁଛି।
ଅନ୍ୟପଟେ ମୋକିମଙ୍କ କ୍ରସ ଭୋଟିଂକୁ ଗ୍ରହଣ କରି ପାରୁନାହିଁ କଂଗ୍ରେସ । ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ସୁରେଶ ରାଉତରାୟ ମୋକିମଙ୍କ ଏଭଳି ନିଷ୍ପତ୍ତି କୁ ବିରୋଧ କରିଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସୁର। କ୍ରସ ଭୋଟିଂ ନେଇ ହାଇକମାଣ୍ଡଙ୍କୁ ଜଣାଯାଉଛି । ଭୋଟିଂ ତଥ୍ୟ ମଗାଯାଇଛି ରିପୋର୍ଟ ଆସିଲା ପରେ ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି ପିସିସି ସଭାପତି । ତେବେ ମୋକିମ ବିଜେଡିରେ ଯୋଗଦେଇପାରନ୍ତି କି ବୋଲି ପଚରାଯାଇଥିବା ପ୍ରଶ୍ନରେ ଶରତ କହିଛନ୍ତି କି "ଆମ ଭିତରେ କିଛି ମତଭେଦ ନାହିଁ" । 'ମୁଁ ଚାହେଁ ସେ କଂଗ୍ରେସରେ ରୁହନ୍ତୁ' ।
ତେବେ ଦେଖିବାର କଥା ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ କରି ଦଳୀୟ ଶୃଙ୍ଖଳା ଉଲଙ୍ଘନ କରିଥିବା ମହମ୍ମଦ ମୋକିମଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଉଛି କଂଗ୍ରେସ ।