ସବୁଠି ପଦଯାତ୍ରା, ତିର୍ତ୍ତୋଲ ବ୍ଲକରେ ନାହିଁ : ନବୀନଙ୍କ ଆଦେଶକୁ ବିଜୟଙ୍କ ବେଖାତିର କାହିଁକି ?

tirtol mla biajay

ରାଜ୍ୟ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅକ୍ଟୋବର ୨ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ସାରା ରାଜ୍ୟରେ ସରକାରଙ୍କ ଯୋଜନାର ସଫଳ ରୂପାୟନର ବାର୍ତା  ଜନସାଧାରଣଙ୍କ ପାଖରେ ପହଞ୍ଚିବା ପାଇଁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି  । କିନ୍ତୁ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି ତିର୍ତ୍ତୋଲ  ବ୍ଲକରେ  । ଦେଢ଼ ମାସ ଧରି ବିଭିନ୍ନ ସ୍ଥାନରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲେ ହେଁ ତିର୍ତ୍ତୋଲ ବ୍ଲକର କୌଣସି ଜୋନ୍‌ରେ ପଦଯାତ୍ରା ହୋଇ ପାରିନାହିଁ । ଯାହା ତିର୍ତ୍ତୋଲ ବ୍ଲକରେ ବିଜେଡିର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି ।

 ବିଧାୟକ ବିଜୟ ଶଙ୍କର ଦାସ ତିର୍ତ୍ତୋଲ ଚେଳିତୋଳ ବାଲିଯାତ୍ରାକୁ ସଫଳ କରିବାପାଇଁ ଦିନ ରାତି ଏକ କରିଦେଇଥିଲେ । ରାଜ୍ୟ ସରକାର  ତଥା ବିଜେଡି ମୁଖିଆଙ୍କ ବାର୍ତା  ଭୁଲିଗଲେ ନା ତାଙ୍କ ପାଖାପାଖି  ଖାସ ଲୋକମାନେ କରାଇଦେଲେ ନାହିଁ ତାହା ତିର୍ତ୍ତୋଲ ରାଜନୀତିରେ ବେଶ୍ ଚର୍ଚ୍ଚାର ଖୋରାକ ହୋଇଛି। ବିଧାୟକ ବାଲିଯାତ୍ରାରେ ତିର୍ତ୍ତୋଲ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା କରିବା ଘଟଣା ଅସନ୍ତୋଷର ବୀଜ ବୁଣିଥିଲା। ବାଲିଯାତ୍ରାରେ ସେମାନଙ୍କୁ ଏକ ପ୍ରକାର ଅପମାନ କରାଯାଇଥିବା ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି । ତେବେ ତିର୍ତ୍ତୋଲ ବିଧାୟକ କାହା କଥାରେ ପରିଚାଳିତ ହୋଇ ବିଜେଡି ମୁଖିଆଙ୍କ କଥାକୁ ଏଡାଇ ଯାଇଛନ୍ତି ତାହା ନାନା ପ୍ରଶ୍ନବାଚୀସୃଷ୍ଟି କରିଛି। 

ସ୍ଥାନୀୟ ଅଞ୍ଚଳରେ ଏବେ ବିଜେଡି ଦଳର ସ୍ଥିତି କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଧାୟକ ତିର୍ତ୍ତୋଲ ଅଞ୍ଚଳକୁ ଅଣଦେଖା କରୁଥିବା ବେଳେ ଏଠାରେ ଦଳ ଭିତରେ ଗୋଷ୍ଠୀ ସୃଷ୍ଟି କରି ନବୀନ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପଦଯାତ୍ରା ଭୁଲିଯାଇଛନ୍ତି ବୋଲି ହେଉଛି । ଏଭଳି ବ୍ୟତିକ୍ରମ ପାଇଁ ଦଳୀୟ କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା । ଏପରିକି ଚଳିତ ବାଲିଯାତ୍ରା ଗଣପର୍ବ ନୁହଁ ବରଂ ପାରିବାରିକ ଯାତ୍ରାରେ ପରିଣତ ହୋଇଛି ବୋଲି ସମାଲୋଚନା କରାଯାଉଛି ।

Share this story