ମନ୍ମଥଙ୍କ ପାଇଁ ବାଟ କ୍ଲିଅର କରୁଛନ୍ତି ବାପା

sura

ଗଲା ଭୋଟ ପୂର୍ବରୁ ଉତ୍ତରାଧିକାରୀଙ୍କୁ ନେଇ ଚାଲିଥିଲା ଘମାଘୋଟ ପାଲା। ଉତ୍ତର ପିଢ଼ିକୁ ଥଇଥାନ କରିବା ପାଇଁ ନେତାଙ୍କ ମଧ୍ୟରେ ଯେପରି ପ୍ରତିଯୋଗିତା ଚାଲିଲା ସେଥୁରୁ ହାତ ଦଳ ବି ବାଦ ପଡ଼ି ନ ଥିଲା । ହାତ ଦଳର ଢ଼େର ନେତା ନିଜ ପିଲାପିଲିଙ୍କୁ ନିର୍ବାଚନରେ ଓହ୍ଲାଇବାକୁ ସୁଯୋଗ ଦେଲେ । ହାରଜିତ୍ ତ ପଛ କଥା, ମାତ୍ର ଭବିଷ୍ୟତ ପାଇଁ ନିଜନିଜ ସ୍ଥାନ ପକ୍କା କରିଦେଲେ । 

ଆଗାମୀ ଭୋଟ ଢ଼େର ଦିନ ବାକିଥିବାବେଳେ ହାତ ଦଳର ବଡ଼ପାଟିଆ ନେତା ସୁର ଭାଇ ନିଜର ଉତ୍ତରାଧିକାରୀ ବାଛି ନୂଆ ଚର୍ଚ୍ଚା ଆରମ୍ଭ କରିଛନ୍ତି। ପାଇଲଟ୍‌ ପୁଅ ତାଙ୍କର ଉତ୍ତରାଧ୍ୟାକାରୀ ହେବେ ବୋଲି କେହିକେହି କହିଲେଣି । ପୁଅ ବି ମନା କରୁନାହାନ୍ତି, ବାପାଙ୍କ ଆଦେଶ ଶିରୋଧାର୍ଯ୍ୟ ବୋଲି ମଧ୍ୟ ସୂଚନା ଦେଇ ସାରିଲେଣି । କଥାଟା ଅବଶ୍ୟ ମନ୍ଦ ନୁହେଁ; ଗଲା ନିର୍ବାଚନ ବେଳେ ସୁର ଭାଇ ଏଥର ତାଙ୍କ ଶେଷ ନିର୍ବାଚନ ବୋଲି କହିକହି ଭୋଟ ମାଗିଥିଲେ । କଥାରେ ସୁରଭାଇ ପୁରା ପକ୍କା, ତେଣୁ ଭବିଷ୍ୟତରେ ଆଉ ନିର୍ବାଚନ ଲଢ଼ିବେ ନାହିଁ । ଘରମଣି କୁଆଡ଼େ ସୁରଭାଇଙ୍କୁ ଦିନକୁ କୋଡ଼ିଏ ଦେଉଛନ୍ତି ଆଉ ସେଥିରେ ରାଜନୀତି ଚାଲିଛି। 

ସେଥିଲାଗି ପୁଅକୁ ଆଗାମୀ ଦିନ ପାଇଁ ପ୍ରସ୍ତୁତ କରାଇଛନ୍ତି। ଭୋଟବେଳେ ପୁଅ ନିଜ ସାଧ୍ୟମତେ ଭୋଟ ବୁଝାବୁଝି କରୁଥିଲେ । ଆଗାମୀ ଦିନରେ ନିଜ ଅଞ୍ଚଳ କଥା ବୁଝିବେ। ହେଲେ ଗୋଟାଏ କଥା ଖାଲି ଅବୁଝା ରହିଛି, ପୁଅ ଲଢ଼ିବେ କେଉଁ ପାର୍ଟିରୁ ? ବାପାଙ୍କ ପଦାଙ୍କ ଅନୁସରଣ କରି କଂଗ୍ରେସରୁ ଲଢ଼ିବେ ନା ଏଥୂପାଇଁ ଆଉ କିଛି ଯୋଜନା ଅଛି ?

Share this story