ଦୌଡ଼ରେ କେଉଁ ଦଳର କିଏ ଆଗରେ, ପଢନ୍ତୁ
୨୦୨୪ ପୂର୍ବରୁ ହୋଇପାରେ ସାଧାରଣ ନିର୍ବାଚନ। ତେବେ ସାଧାରଣ ନିର୍ବାଚନରେ ଛାମୁଆ ସଙ୍ଗଠନଗୁଡିକର ରହିଥାଏ ଗୁରୁତ୍ଵପୂର୍ଣ୍ଣ ଭୂମିକା। ଯାହାକୁ ଲକ୍ଷ୍ୟ ରଖି ଦଳଗୁଡିକ ଛାମୁଆ ସଙ୍ଗଠନ ସଜାଡ଼ିବାକୁ ଅଣ୍ଟା ଭିଡିଲେଣି। ବିଶେଷ କରି ବିଜେଡି ଓ ବିଜେପିରେ ଛାମୁଆ ନେତା ବଦଳାଇବା ନେଇ ଦଳ ଭିତରେ ଚର୍ଚ୍ଚା ଜୋର ଧରିଛି । ବିଜେଡିର ଉଭୟ ଛାତ୍ର ଓ ଯୁବ ସଭାପତି ବଦଳାଇବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେପିର ଯୁବ ମୋର୍ଚ୍ଚାର ନୂଆ ସଭାପତି କରାଯିବା ନେଇ ମଧ୍ୟ ଶୁଣାଯାଉଛି । ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ଅଭିଳାଶ ପଣ୍ଡାଙ୍କ ନାମ ଦୌଡ଼ରେ ଥିବା ଯୁବନେତାଙ୍କ ମଧ୍ୟରେ ଆଲୋଚନା ହେଉଛି ।
ସେହିପରି ବିଜେଡିର ଯୁବ ସଭାପତି ଦୌଡ଼ରେ ନିଗମ ଅଧ୍ୟକ୍ଷ ତିନି ଦଳ ଖୋଜୁ ଚିନ୍ମୟ ସାହୁ, ବିଧାୟକ ରୁଦ୍ରପ୍ରତାପ ମହାରଥି, ଛାତ୍ର ବିଜେଡି ରାଜ୍ୟ ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ସମେତ ଅନ୍ୟ କିଛି ଯୁବ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି। ଅନୁରୂପ ଭାବେ ଛାତ୍ର ବିଜେଡି ରାଜ୍ୟ ସଭାପତି ନେଇ କଟକର ଛାତ୍ର ନେତା ହରିଶଙ୍କର ରାଉତ, ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ୱାଇଁ, ମହାସଚିବ ଇପ୍ସିତା ସାହୁ ପ୍ରମୁଖଙ୍କ ନାମ ଦୌଡ଼ରେ ରହିଛି। ତେବେ ସଭାପତି ବଦଳିବା ସହ ଟିମ୍ରେ ପରିବର୍ତ୍ତନ କରାଯିବ କିମ୍ବା ନାହିଁ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦଳର ବରିଷ୍ଠ ନେତାଙ୍କ ବୈଠକରେ ଏ ନେଇ ଚୂଡାନ୍ତ କରାଯିବ ବୋଲି କୁହାଯାଇଛି । ଜାନୁୟାରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେଡିର ଯୁବ ଓ ଛାତ୍ର ମୁଖ୍ୟଙ୍କ ପରିବର୍ତ୍ତନ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ଅନୁରୂପ ଭାବେ କଂଗ୍ରେସର ଛାମୁଆ ସଙ୍ଗଠନଗୁଡିକରେ ମଧ୍ୟ ପରିବର୍ତ୍ତନର ଦାବି ଉଠିଲାଣି । ଦଳୀୟ ନେତାମାନେ ଛାମୁଆ ସଙ୍ଗଠନରେ ନୂଆ ନୂଆ ଯୁବ ଓ ଛାତ୍ରନେତାମାନଙ୍କୁ ସୁଯୋଗ ଦେବାକୁ ଦାବି କରୁଛନ୍ତି। ଏ ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିକଟରେ ମଧ୍ୟ ଦାବି କରି ଥିବା ବହୁ ଯୁବନେତା କହିଛନ୍ତି। ତେବେ କଂଗ୍ରେସରେ ପୂର୍ବଭଳି ସାଙ୍ଗଠନିକ ନିର୍ବାଚନ ଜରିଆରେ ଛାମୁଆ ସଭାପତି ନିଯୁକ୍ତ କରାଯିବ ନା ଚୟନ କରାଯିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା
ଯୁବକଂଗ୍ରେସ ନେତା କହିଛନ୍ତି ।