ୱାର୍ଡ ମେମ୍ବର ଜିତିନଥିବା ନେତା ପୁଣି ନୋଟିସ ପଠାଇବେ ? ଏଭଳି କହି ବର୍ଷିଲେ ସୁର

ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କାରଣ ଦର୍ଶାଅ ନୋଟିସର ଉତ୍ତର ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେ ତାଙ୍କର ଜବାବ୍ ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲଙ୍କୁ ପ୍ରଦାନ କରିଥିବା ଉଲ୍ଲେଖ କରି ତାଙ୍କୁ ବାରମ୍ବାର ଦଳରେ ଅପମାନିତ କରୁଥିବା ପାଲଟା ଅଭିଯୋଗ କରିଛନ୍ତି। ସୁର କହିଛନ୍ତି ଯେ ବିନା ଭୁଲ୍ରେ ମୋତେ ବାରମ୍ବାର ନୋଟିସ୍ କରି ଅପମାନିତ କରାଯାଉଛି। ଏନେଇ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଅଖିଳ ଭାରତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କୁ ଖଡ଼ଗେ ଙ୍କୁ ଜଣାଇବି। ୱାର୍ଡମେମ୍ବର ଜିତି ନ ଥିବା ନେତା ମୋ ବିରୋଧରେ ଷଡ଼ଯନ୍ତ୍ର କରି ମୋତେ କାରଣ ଦର୍ଶାଅ ନୋଟିସ୍ ପଠାଉଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଦଳୀୟ ବିଶୃଙ୍ଖଳା ପ୍ରସଙ୍ଗରେ ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଦୁଇ ବିଧାୟକ ସୁରେଶ ରାଉତରାୟ ଓ ମହମ୍ମଦ ମୋକିମ୍ଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଥିଲା। ଗଲା ୭ ଦିନ ଧରି ସୁରେଶ ରାଉତରାୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇନଥିବା ବେଳେ ଉତ୍ତର ଦାଖଲ କରିବା ପରେ ଦଳର ନେତୃତ୍ବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋ ବିରୋଧରେ ଦଳ ଅନ୍ୟାୟ କରୁଛି। କଂଗ୍ରେସ ପାଇଁ ଆମେ ସବୁ ପ୍ରକାର ସଂଘର୍ଷ କରିଛୁ। ଦଳ ବିରୋଧରେ କଂଗ୍ରେସରେ ‘ସୁର’ ଝଡ଼ କେବେ ହେଲେ ଷଡ଼ଯନ୍ତ୍ର କରିନାହୁଁ କିମ୍ବା ଦଳବିରୋଧୀ ପ୍ରତିକ୍ରିୟା ରଖୁନାହୁଁ। ଠିକ୍ କଥା କହିବାକୁ ମୋତେ କେହି ରୋକିପାରିବେ ନାହିଁ । ବୁଧବାର ରାଜ୍ୟ କଂଗ୍ରେସ ଦଳର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଏହାପୂର୍ବରୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଏଭଳି ପ୍ରତିକ୍ରିୟା ପୁଣି ଥରେ ଦଳର ଅନ୍ତଃକନ୍ଦଳକୁ ପଦାରେ ପକାଉଛି।
ଅନ୍ୟପକ୍ଷରେ ମହମ୍ମଦ ମୋକିମ୍ଙ୍କୁ ଦଳ ବିଶ୍ୱାସକୁ ନେଇପାରୁ ନାହିଁ । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ଦେବା ପରଠାରୁ ମୋକିମ୍ ଦଳଠାରୁ ଦୂରତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି। କଟକ ବାରବାଟୀ ନିର୍ବାଚନୀ କ୍ଷେତ୍ରରେ ଥିବା ମୋକିମଙ୍କ ଅନେକ ସମର୍ଥକ ବିଜେଡିରେ ମିଶିବା ଆରମ୍ଭ କଲେଣି। ନିଜେ ମୋକିମ୍ ମଧ୍ୟ କଂଗ୍ରେସ ଦଳର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉନାହାଁନ୍ତି। ବୁଧବାର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମଧ୍ୟ ମୋକିମ୍ଙ୍କୁ ଦେଖିବାକୁ ମିଳିବ ନାହିଁ କଂଗ୍ରେସ ଶିବିରରେ ଚର୍ଚ୍ଚା ହେଉଛି। ଗୋଟିଏ ପଟେ ପରାଜୟ ରାଜ୍ୟ କଂଗ୍ରେସର ପିଛା ଛାଡୁନଥିବା ବେଳେ ଦଳର ହାତଗଣତି ବିଧାୟକଙ୍କ ବିରୋଧରେ ପିସିସିଙ୍କ କାର୍ଯ୍ୟାନୁଷ୍ଠାନ ଦଳକୁ ମହଙ୍ଗା ପଡ଼ିବ ବୋଲି ରାଜନୈତିକ ଆଲୋଚକମାନେ ମତପୋଷଣ କରୁଛନ୍ତି।