ସେଦିନ ହଠାତ ଗଳାବାଟ ଦେଇ ବିରୋଧୀ ଦଳ ନେତା ନବୀନ ନିବାସରେ କାହିଁକି ଫୁଙ୍କିଲେ ଶଙ୍ଖ ?

bhupindar singh

ଗଣତନ୍ତ୍ର ଭାରତର ରାଜନୀତି ଇତିହାସରେ ଏକ ବିରଳ ଘଟଣା ଘଟିଲା ଓଡ଼ିଶାରେ । ଏହି ରାଜ୍ୟର ବିରୋଧୀ ଦଳର ନେତା ଭାରତୀୟ ଜାତୀୟ କଂଗ୍ରେସ ଦଳ ତ୍ୟାଗକରି ଏକ ଆଞ୍ଚଳିକ ଦଳ ବିଜୁ ଜନତା ଦଳରେ ସାମିଲ ହେବା ଓଡ଼ିଶା ରାଜନୀତି ଇତିହାସରେ ଏକ ବିରଳ ଘଟଣା । ଚତୁର୍ଦ୍ଦଶ ବିଧାନସଭାର ବିରୋଧୀଦଳ ନେତା ତଥା ଭାରତୀୟ ଜାତୀୟ କଂଗ୍ରେସର ଅନ୍ୟତମ ପୁରୁଖା ତୁଙ୍ଗନେତା ଭୂପିନ୍ଦର ସିଂହ ନିଜ ଦଳ ତ୍ୟାଗକରି ଶାସକ ବିଜେଡ଼ିରେ ଯୋଗଦାନ କଲେ ତା୮-୩-୧୪ ରିଖରେ । ତାଙ୍କ ସହ କଂଗ୍ରେସ ବିଧାୟକ ଦଳର ସଂପାଦକ ତତ୍କାଳୀନ ବ୍ରଜରାଜନଗର ବିଧାୟକ ଅନୁପ ସାଏ ମଧ୍ୟ ବିଜେଡ଼ିରେ ସାମିଲ ହେଲେ । ଏହି ଦୁଇନେତା ନବୀନ ନିବାସ ଯାଇ ବିଜେଡ଼ି ମୁଖ୍ୟ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତକରି ନିଜ ନିଜର ଆନୁଗତ୍ୟ ପ୍ରକାଶ କରିଥିଲେ । ଏହି ଦୁଇଜଣଙ୍କୁ ନବୀନ ପଟ୍ଟନାୟକ ସ୍ୱାଗତ କରିବା ସହ ଏମାନଙ୍କ ମିଶ୍ରଣ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି କହିଥିଲେ । 

ଏହି ଦୁଇ ନେତା ବିଜେଡ଼ିରେ ମିଶିବା ନିମନ୍ତେ ପୂର୍ବରୁ ବିଜେଡ଼ିର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ହୋଇସାରିଥିଲା । ଭୂପିନ୍ଦର ସିଂହ ତାଙ୍କ ବାସଭବନରେ ଥିବାବେଳେ ଅନୁପ ସାଏ ଆସି ତାଙ୍କ ପାଖରେ ପହଞ୍ଚିଥିଲେ। ଉଭୟେ ଗୋଟିଏ ଗାଡ଼ିରେ ସାଂସଦ ପିନାକୀ ମିଶ୍ରଙ୍କ ସହ ନବୀନ ନିବାସ ଯାଇଥିଲେ । ପୂର୍ବରୁ ଦଳର ଉପସଭାପତି କଳ୍ପତରୁ ଦାସ ଓ ବିକ୍ରମ କେଶରୀ ଆରୁଖ ପ୍ରମୁଖ ନେତାମାନେ ନବୀନ ନିବାସରେ ପହଞ୍ଚିଯାଇଥିଲେ । ଏହି ନେତା ଦ୍ବୟଙ୍କୁ ସ୍ବାଗତ ଜଣାଇବା ପାଇଁ ଫୁଲତୋଡ଼ା ଓ ମିଠା ମଗାହେଲା । ଏସବୁ କାର୍ଯ୍ୟ ସଂପାଦନ ପରେ ନେତାଦ୍ବୟ ନବୀନ ପଟ୍ଟନାୟକଙ୍କ ସହ ବାହାରକୁ ଆସି ସେମାନେ ବିଜେଡ଼ିରେ ମିଶିଲେ ବୋଲି ଗଣମାଧ୍ୟମକୁ କହିଥିଲେ । ନବୀନ ପଟ୍ଟନାୟକ ସେମାନଙ୍କୁ ମିଠା ଖୁଆଇଥିଲେ । ସେମାନେ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ମିଠା ଖୁଆଇଥିଲେ । ଏହି ମିଶ୍ରଣ ସମୟରେ ଭୂପିନ୍ଦରଙ୍କର କିଛି ସମର୍ଥକ ମଧ୍ୟ ନବୀନ ନିବାସରେ ଉପସ୍ଥିତ ଥିଲେ ।

ଭୂପିନ୍ଦର ସିଂହଙ୍କ ସହ ତାଙ୍କ ପୁତ୍ର ଦଲ୍ ଜିତ୍ ସିଂହ ମଧ୍ୟ ସେମାନଙ୍କ ସହ ବିଜେଡ଼ିରେ ଯୋଗଦେଲେ । ଭୂପିନ୍ଦର କଂଗ୍ରେସ ଦଳ ତ୍ୟାଗ କରିବା ପଛରେ ଥିବା କାରଣ, ତାଙ୍କୁ କଳାହାଣ୍ଡି ଲୋକସଭା ଆସନରୁ ଟିକେଟ ପାଇବାରୁ ବଞ୍ଚିତ କରାଯିବା କିମ୍ବା ଦଳୀୟ ନିର୍ବାଚନ କମିଟିରେ ତାଙ୍କୁ ଉପେକ୍ଷା କରାଯିବା ଘଟଣା ହୋଇପାରେ । ଯେଉଁଥିପାଇଁ କି ଭୂପିନ୍ଦର କଂଗ୍ରେସ ଦଳ ପ୍ରତି ବୀତସ୍ପୃହ ହୋଇ ଶେଷରେ କଂଗ୍ରେସ ଦଳ ତ୍ୟାଗ କରିଥିବାର ଜଣାଯାଏ । ଏଠାରେଉଲ୍ଲେଖଯୋଗ୍ୟ ଯେ ସେ ବିଜେଡ଼ିରେ ଯୋଗଦେବେ ବୋଲି ପୂର୍ବରୁ ଗଣମାଧ୍ୟମ ଜାଣିଥିଲେ । ଯାହାକି ଫେବ୍ରୁଆରି ୨୭ ତାରିଖରେ ଗଣମାଧ୍ୟମରେ ପ୍ରକାଶ ହୋଇଥିଲା । ଏହାପରେ ଭୂପିନ୍ଦର କିଛିଦିନ ପାଇଁ ଅସୁସ୍ଥତା ଆଳରେ ନୀରବ ହୋଇଯାଇଥିଲେ । ମାର୍ଚ୍ଚ ୩ ତାରିଖରେ ଗଣମାଧ୍ୟମ ସାମ୍ନାକୁ ଆସି ଇସ୍ତଫା ଦେଇନଥିବା କଥା ମଧ୍ୟ କହିଥିଲେ । ହେଲେ ଗଣମାଧ୍ୟମରେ ପ୍ରକାଶିତ ଖବର ହିଁ ସତରେ ପରିଣତ ହୋଇଥିଲା । ସେହି ମାର୍ଚ୍ଚ ୩ ତାରିଖରେ ନିଜର ଇସ୍ତଫାପତ୍ର ସେ କଂଗ୍ରେସର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଥିଲେ । ଗଣମାଧ୍ୟମକୁ ଦେଇଥିବା ତାଙ୍କର ଇସ୍ତଫାପତ୍ର ନକଲରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଥିଲା ।

ବିଧାନସଭା ଟେବୁଲ ଉପରେ ରାତି ବିତାଇ ନୂତନ ରେକର୍ଡ ସୃଷ୍ଟି କରିଥିବା ବିରୋଧୀ ଦଳର ନେତା ଭୂପିନ୍ଦର ସିଂହ ଶାସକ ଦଳରେ ସାମିଲ ହୋଇ ଅନ୍ୟ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଓଡ଼ିଶା ରାଜନୀତି ଇତିହାସରେ କୌଣସି ବିରୋଧୀଦଳର ନେତା ଶାସକ ଦଳରେ ମିଶିବା ଏହା ପ୍ରଥମ ଘଟଣା ବୋଲି କୁହାଯାଇଛି । ବିଜେଡ଼ିରେ ସାମିଲ ହେବା ପରେ ଭୂପିନ୍ଦର ସିଂହ କହିଥିଲେ, କଳାହାଣ୍ଡି ଜିଲ୍ଲାର ବିକାଶପାଇଁ ସେ ବିଜେଡ଼ିରେ ସାମିଲ ହୋଇଛନ୍ତି । ଅନୁପ ସାଏ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗୁଁ ତାଙ୍କ ନିର୍ବାଚନମଣ୍ଡଳୀର ବିକାଶ ହୋଇଛି । ଏଣୁ ସେ ଲୋକଙ୍କ ସ୍ବାର୍ଥପାଇଁ ବିଜେଡ଼ିରେ ସାମିଲ ହେଲେ । ବିଜେଡ଼ିରେ ସାମିଲ ହୋଇସାରିବା ପରେ ଭୂପିନ୍ଦର କଂଗ୍ରେସ ବିରୁଦ୍ଧରେ ତାଙ୍କର ତୀବ୍ର ଆକ୍ରୋଶ ଓ କ୍ଷୋଭ ପ୍ରକାଶ କରିଥିଲେ । ଯେଉଁ ଦଳରେ ସେ ମୂଳରୁ ସାମିଲ ହୋଇ ବିଧାୟକ ହୋଇ ମନ୍ତ୍ରୀ ହୋଇଥିଲେ ସେ ପୁଣି ସେହି କଂଗ୍ରେସ ଦଳ ତ୍ୟାଗ କଲେ । 

ବିଡ଼ମ୍ବନାର ବିଷୟ ଯେଉଁ ଭୂପିନ୍ଦର ବିରୋଧୀଦଳ ନେତା ଭାବରେ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରି କହୁଥିଲେ, ଶତାବ୍ଦୀର ସବୁଠୁ ବଡ଼ ଲୁଟ୍ ଖଣିଦୁର୍ନୀତିପାଇଁ ନବୀନ ଦାୟୀ, ସିବିଆଇ ତଦନ୍ତ ଦାବିରେ ସେ ବିଧାନସଭା ଭିତରେ ଓ ବାହାର ଫଟାଉଥିଲେ; ନବୀନବାବୁଙ୍କ ଶାସନକୁ ହିଟଲରୀ ଶାସନର ଆଖ୍ୟା ଦେଉଥିଲେ ସେହି ଭୂପିନ୍ଦର ନବୀନଙ୍କୁ ବଡ଼ବଢ଼ିଆ ଲୋକର ଆଖ୍ୟା ଦେଲେ ବିଜେଡ଼ିରେ ମିଶିବା ଦିନ । ପୁଣି ନବୀନ ତାଙ୍କର ନେତା । ନବୀନ ଯାହା ଚାହିଁବେ ସେଇଆ କରିବେ । ନବୀନ ଜଣେ ରାଜନୀତିଜ୍ଞ ହିସାବରେ ବଢ଼ିଆ । କଳାହାଣ୍ଡି ତଥା ଓଡ଼ିଶାର ବିକାଶ ହୋଇପାରିଛି   ।ଆଗକୁ ଏହି ବିକାଶଧାରା ନବୀନଙ୍କ ନେତୃତ୍ବରେ ତ୍ବରାନ୍ବିତ ହେବ । ଭୂପିନ୍ଦର କଂଗ୍ରେସରେ ମିଶିବା ପୂର୍ବରୁ କଂଗ୍ରେସ ଦଳ ବିଧାୟକ ପଦ ଓ ବିରୋଧୀଦଳ ନେତାପଦରୁ ଇସ୍ତଫା ପ୍ରଦାନ କରିଥିଲେ ।

Share this story