ନବୀନଙ୍କୁ ଗାଦିଚ୍ୟୁତ କରାଇବା ପାଇଁ କେଉଁମାନେ ପ୍ୟାରୀଙ୍କ ସହ ମିଶି କରିଥିଲେ ଷଡଯନ୍ତ୍ର ?
ତାଙ୍କ ପାଖେ ନଥିଲା ସାମ୍ବିଧାନିକ କ୍ଷମତା। ମାତ୍ର ସେ ଅନେକ ବିଧାୟକଙ୍କୁ ମନ୍ତ୍ରୀ ଓ ଓ ଅନେକ ମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରାଇ ପାରୁଥିଲେ। ରାଜ୍ୟର ଦ୍ୱିତୀୟ କ୍ଷମତାକେନ୍ଦ୍ର ଥିଲା ତାଙ୍କର ସହିଦନଗରସ୍ଥିତ ବାସଭବନ। ତେବେ ସେହି ରାଜନୈତିକ ଚାଣକ୍ୟ ହେଉଛନ୍ତି ବିଶିଷ୍ଟ ପ୍ରଶାସକ ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ର।
ନବୀନ ପଟ୍ଟନାୟକଙ୍କ ଅନେକ ଘନିଷ୍ଠ ଓ ରାଜନୀତି ସହଯୋଗୀ ଥିଲେ ପ୍ୟାରୀ। ଗୋଟେପ୍ରକାର କହିବାକୁ ଗଲେ ନବୀନଙ୍କ ରାଜନୈତିକ ଗୁରୁ ଥିଲେ ପ୍ୟାରୀ। ୧୯୯୯ ମସିହାରେ ଯେତେବେଳେ ନବୀନ ପ୍ୟାରୀଙ୍କ ସହଯୋଗ ଲୋଡିଥିଲେ,ସେହି ଦିନଠାରୁ ବିଜେଡି ଓ ନବୀନଙ୍କ ପାଇଁ ମାର୍ଗଦର୍ଶକ ସାଜିଥିଲେ ପ୍ୟାରୀ। ମାତ୍ର ୨୦୧୨ ମସିହାର ମିଡ୍ ନାଇଟ୍ ଅପରେସନ୍ ପ୍ୟାରୀଙ୍କୁ କଳଙ୍କିତ କରିଦେଇଥିଲା। ସୂଚନାଯୋଗ୍ୟ ଯେ ନବୀନ ପଟ୍ଟନାୟକ ସରକାରକୁ ଆସିବା ପରେ ପ୍ରଥମଥର ପାଇଁ ବିଦେଶ(ଲଣ୍ଡନ) ଗସ୍ତରେ ଯାଇଥାନ୍ତି। ଏହି ସମୟର ଫାଇଦା ଉଠାନ୍ତି ପ୍ୟାରୀମୋହନ। ନିଜର ବାସଭବନରେ ଆରମ୍ଭ ହୁଏ ଗୋପନ ବୈଠକ। ବିଜେଡି ୨ ଗୋଷ୍ଠୀରେ ଭାଗ ହୋଇଯାଏ।
ସାଂସଦ ପ୍ୟାରୀଙ୍କ ପଟୁଆର ବୃଦ୍ଧିହୁଏ। ନେତା ପରେ ନେତାଙ୍କ ସୁଅ ଛୁଟେ ପ୍ୟାରୀଙ୍କ ଘରକୁ। ନବୀନଙ୍କୁ ଗାଦିଚ୍ୟୁତ କରିବା ପାଇଁ ପ୍ୟାରୀ ବିଧାୟକ ଯୋଗାଡ଼ କରିବାକୁ ଲାଗନ୍ତି। ଏଥିସହିତ ରାଜ୍ୟପାଳଙ୍କ ଠାରୁ ନୂତନ ସରକାର ଗଠନର ସମୟ ମଧ୍ୟ ଲୋଡି ସାରିଥିଲେ। ବିଧାୟକଙ୍କ ରହଣି ପାଇଁ ଭୁବନେଶ୍ବରସ୍ଥିତ ପଞ୍ଚ ତାରକା ହୋଟେଲରେ ବ୍ୟବସ୍ଥା ହୋଇ ସାରିଥିଲା। ପ୍ୟାରୀଙ୍କ ଏହି ଯୋଜନାରେ ବହୁ ବିଜେଡି ବିଧାୟକ ପ୍ରମୁଖ ସାମିଲ ହୋଇଥିଲେ। ଯେଉଁମାନେ ଆଜି ବି ବଡ଼ ପଦ ପଦବୀ ଏପରିକି ମନ୍ତ୍ରୀ ଭାବେ କ୍ଷମତାରେ ରହିଛନ୍ତି । ଆଉ କିଛି ମନ୍ତ୍ରୀ ପଦର ମିଠା ସ୍ୱାଦ ଚାଖି ଏବେ ବିଧାୟକ ଭାବେ କାମ ଚଳାଇଛନ୍ତି । ସେହିମାନଙ୍କ ଦ୍ୱାରା ଏକ ସାଧା କାଗଜରେ ବିଧାୟକଙ୍କ ଦସ୍ତଖତ ନିଆଯାଇଥିବାର ଅଭିଯୋଗ ମଧ୍ୟ ଆସିଥିଲା।
ଖବରନୁଯାୟୀ ଏହି ସମୟରେ କୁଆଡେ ପ୍ୟାରୀ ଲଣ୍ଡନରେ ଥିବା ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ କଥା ହୋଇଥିଲେ। କିନ୍ତୁ ପରେ ଏହାକୁ ନେଇ ସରଗରମ ହୋଇଥିଲା ରାଜ୍ୟ ରାଜନୀତି । ନବୀନ ଓଡିଶା ଫେରିବା ପରେ କିଛି ଦାଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଆଉ କିଛି ସହଜରେ ଖସି ଯାଇଥିଲେ । ଏବେ ବି ସେହିଦିନ ଅନେକ ରାଜନେତାଙ୍କ ମନେ ଥିବ ନିଶ୍ଚୟ ।