ଭୋଟ ପୂର୍ବରୁ ଜନମତକୁ ପ୍ରଭାବିତ କରିବା ପାଇଁ ବିଜେପିର ଅଲୋଡ଼ା ପ୍ରୟାସ

padmapur

ପଦ୍ମପୁର ରାଜନୀତିରେ ହାଇଡ୍ରାମା । ନିର୍ବାଚନ ତାରିଖ ଯେତେ ପାଖେଉଛି ସେତିକି ଦେଖିବାକୁ ମିଳୁଛି ଟାର୍ଗେଟ୍ ପଲିଟିକ୍ସ । ସବୁ ରାଜନୈତିକ ଦଳଙ୍କୁ ଏବେ ବିକାଶ ଚିନ୍ତା ଘାରିଛି । କିଏ ସୁନାର ପଦ୍ମପୁର ସ୍ୱପ୍ନ ଦେଖାଉଛି ତ କିଏ ପ୍ରତିଶୃତିର ପାହାଡ ଜନତାଙ୍କ ଆଗରେ ଛିଡା କରୁଛି । ଉପ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ପଦ୍ମପୁରରେ ‌ଆଜି ହଠାତ୍‌ କେନ୍ଦ୍ରୀୟ ଟିମ୍‌ର ରେଡ୍‌ ହୋଇଛି। ଏକାଧିକ ସ୍ଥାନରେ ଚାଲିଛି ଆଇଟି ରେଡ୍ । ଗତକାଲି ପଦମପୁର ଆସିଥିଲେ ୨ କେନ୍ଦ୍ରମନ୍ତ୍ରୀ । ଯେଉଁଠି କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରିଥିଲେ ଚାଷୀ । ଚାଷୀଙ୍କ ବିରୋଧ ପରେ କେନ୍ଦ୍ରୀୟ ଟିମ୍ ଦ୍ବାରା ଚଢାଉ କରାଯାଉଥିବା ଅଭିଯୋଗ ହୋଇଛି ।

ଭୋଟ ପୂର୍ବରୁ ଲୋକଙ୍କ ମନରେ ଭୟ ସୃଷ୍ଟି କରାଯାଉଥିବା ଅଭିଯୋଗ ହୋଇଛି । ନିର୍ବାଚନକୁ ସପ୍ତାହେ ଥିବା ବେଳେ କାହିଁକି କରାଗଲା ଚଢାଉ? କେନ୍ଦ୍ରୀୟ ଟିମର ରେଡ୍କୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତର ୨୪ ଘଣ୍ଟା ନପୂରୁଣୁ ରେଡ୍କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ହଟଚମଟ ସୃଷ୍ଟି କରିବାକୁ ରେଡ୍ କରାଯାଉଥିବା ଅଭିଯୋଗ ହୋଇଛି।

ଯେଉଁସ୍ଥାନରେ ରେଡ୍‌ ହୋଇଛି ଘର ଭିତରେ ରେଡ୍‌ ଚାଲିଥିବା ବେଳେ ବାହାରେ ଏକେ ୪୭ ରାଇଫଲ ସହ ସିଆରପିଏଫ ଯବାନମାନେ ରହିଛନ୍ତି। ଘର ଭିତରୁ କାହାକୁ ବାହାରକୁ ଛଡ଼ା ଯାଉନି କିମ୍ବା ବାହାର ଲୋକଙ୍କୁ ଭିତରକୁ ଯିବାକୁ ଅନୁମତି ମିଳୁନି।ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ବଡ଼ପଡ଼ାର ଗଜୁ ଅଗ୍ରୱାଲଙ୍କ ଘରେ ଏକକାଳୀନ ରେଡ୍ କରାଯାଉଛି। ଆୟକର ବିଭାଗ ପକ୍ଷରୁ ଏକାଧିକ ଟିମ ରେଡରେ ସାମିଲ ଅଛନ୍ତି। ବହିଦାରପଡ଼ାରେ ଥିବା ମହମ୍ମଦ ସାଜିଦଙ୍କ ଦୁଇଟି ଯାକ ଘରେ ଏକକାଳୀନ ରେଡ୍‌ କରାଯାଇଛି। ତେବେ ରେଡ୍‌ କ’ଣ ପାଇଁ କରାଯାଉଛି, ସେ ବିଷୟରେ କେହି ବି ମୁହଁ ଖୋଲି ନାହାନ୍ତି।

ତେବେ ନିର୍ବାଚନ ପୂର୍ବରୁ ବିଜେପି ସରକାରର ଏପରି କାମକୁ ବିଜେଡି ଓ କଂଗ୍ରେସ ନିନ୍ଦା କରିଛି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି କେନ୍ଦ୍ର ସରକାରଙ୍କ ଏପରି କାର୍ଯ୍ୟ ନିନ୍ଦନୀୟ। ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୟଭୀତ କରବାକୁ ଚେଷ୍ଟା କରାଯାଉଛି। ବିଜେପି ସରକାର ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଏହି ଫର୍ମୁଲା ଆପଣେଇଛି । ଯେଉଁଠି ତାଙ୍କର ଜିତିବା ସମ୍ଭାବନା କମ୍‌ ସେଠାରେ ଏପରି କାର୍ଯ୍ୟ କରାଯାଉଛି। ଆଇଡି ବିଭାଗ ଯଦି ରେଡ୍‌ କରିବାର ଥିଲା ନିର୍ବାଚନ ପରେ ମଧ୍ୟ କରାଯାଇପାରିଥାନ୍ତା। କିନ୍ତୁ ଆଗକୁ ଡିସେମ୍ବର ୫ରେ ଭୋଟ ଥିବା ବେଳେ ଆଜି ରେଡ୍‌ କରି ଲୋକଙ୍କୁ ନିର୍ବାଚନ ପୂର୍ବରୁ ବିଜେପି ଭୟଭିତ କରୁଛି ବୋଲି ତାରାପ୍ରସାଦ ବାହିନୀପତି କହିଛନ୍ତି।

ଅନ୍ୟପଟେ ଏବେ ଭୋଟର ମଧ୍ୟ ଆକ୍ଟିଭ ହୋଇ ନିଜେ ନେତା ବଛିବେ । ସବୁଦଳ ସବୁ ନିର୍ବାଚନରେ ପ୍ରତିଶ୍ରୁତି ଦେଇଆସୁଛନ୍ତି। ଏହା ବିଶ୍ବାସଯୋଗ୍ୟ ନୁହେଁ । ଯଦି ଚାଷୀଙ୍କୁ ଠକୁଛନ୍ତି, ଅନ୍ୟମାନଙ୍କୁ କଣ କରୁଥିବେ ବୋଲି ଭୋଟର କହୁଛନ୍ତି । ବିଜେଡିର ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା ମଧ୍ୟ କହିଛନ୍ତି ଯଦି କେନ୍ଦ୍ରୀୟ  ସଂସ୍ଥା ଇଡିର ରେଡ୍‌ କରିବାର ଥିଲା ତେବେ ଆଗରୁ କଣ ପାଇଁ କରାଗଲାନି। କେଉଁଠି ରେଡ୍‌ ହେବ ସେ ସୂଚନା ସଂସ୍ଥା ପାଖରେ ଆଗରୁ ଥିବା କିନ୍ତୁ ବର୍ତ୍ତମାନ ନିର୍ବାଚନ ସମୟରେ ରେଡ୍‌ କରି ବିଜେପି ପରାଜୟ ଭୟରେ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି। ସେପଟେ ଆଇଟି ରେଡ ନେଇ ବିଜେଡି ବିଧାୟକ ସୁଦାମ ମାରାଣ୍ଡି କହିଛନ୍ତି ବିଜେପି ପଦମପୁର ହାରିବ ବୋଲି ବହୁ ପୂର୍ବରୁ ଜାଣିଥିଲା । ତେଣୁ ଜାଣି ଶୁଣି ଏପରି କରୁଛି । ଲୋକେ ଏହାର ଜବାବ ଦେବେ ।

Share this story