ମ୍ୟାଡାମଙ୍କୁ ବ୍ରଜରାଜନଗର ମନା ! ଏକଚାଟିଆ ନୀତି ବିଜେପିରେ ଚଳିବନି

ଆଜି ରାଜ୍ୟ ବିଜେପି ବ୍ରଜରାଜନଗର ନଗର ଉପନିର୍ବାଚନ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରିଛି। ଏଥିରେ ଦଳର ପ୍ରଭାରୀ ତଥା ସାଂସଦ ଡ଼ି. ପୁରନ୍ଦେଶ୍ୱରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସମ୍ବିତ ପାତ୍ର, ସଭାପତି ସମୀର ମହାନ୍ତି, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀ, ବିଧାୟକ ମନମୋହନ ସାମଲ ଓ ପୂର୍ଵତନ ସଭାପତି କେଭି ସିଂହଦେଓ ଉପସ୍ଥିତ ଥିଲେ। କିନ୍ତୁ ଏହି ବୈଠକରେ ଭୁବନେଶ୍ୱର ସାଂସଦ ଉପସ୍ଥିତ ନଥିଲେ କି ପ୍ରଭାରୀଙ୍କ ସ୍ୱାଗତ ପାଇଁ ଏୟାରପୋର୍ଟ ଯାଇନଥିଲେ। ଏଠାରେ ପ୍ରଶ୍ନ ସୃଷ୍ଟି ହୋଇଛି କି ସେ ଏହି ବୈଠକରେ କାହିଁକି ଅନୁପସ୍ଥିତ ଥିଲେ। ତାଙ୍କୁ ଡକାଯାଇନଥିଲା ନା ସେ ଜାଣିଶୁଣି ଯୋଗ ଦେଇନଥିଲେ। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଦଳ ତାଙ୍କୁ ଏହି ଉପନିର୍ବାଚନରେ କୌଣସି ଦାୟିତ୍ୱ ଦେବାକୁ ଚାହୁଁନି ଏବଂ ସେନେଇ ଆଜିର ବୈଠକରେ ମଧ୍ୟ ଆଲୋଚନା ହେଇଛି।
ପୂର୍ବରୁ ଅପରାଜିତା ଦଳର ବିନା ନିର୍ଦ୍ଦେଶ ରେ ଅନେକ କାର୍ଯ୍ୟକ୍ରମ କରିଛନ୍ତି। ସେହିପରି ଗତକାଲି ମଧ୍ୟ ମୟୁରଭଞ୍ଜ ଜିଲ୍ଲା ଯାଇ ଏକ ମନ୍ଦିର ଉଦଘାଟନ ଉତ୍ସବ ଯୋଗ ଦେବା ବାହାନାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।ସେଠାରେ ମଧ୍ୟ ଦଳର ଅନ୍ତଃକନ୍ଦଳ ଦେଖିବାକୁ ମିଳିଛି । ବିଜେପି ପକ୍ଷରୁ କେହି ଯେପରି ସେଠାରେ ଅପରାଜିତାଙ୍କୁ ସହଯୋଗ କରିବେ ନାହିଁ ସେନେଇ ମୟୁରଭଞ୍ଜ ବିଜେପି ଜିଲ୍ଲା ସଭାପତିଙ୍କୁ ରାଜଧାନୀରୁ ଫୋନ ଯାଇଥିଲା ବୋଲି ସୂଚନା ମିଳିଛି।
ଏଥର ଦଳ ତାଙ୍କୁ ଉପନିର୍ବାଚନ ଠାରୁ ଦୂରେଇ ରଖିବାକୁ ଚାହୁଁଛି। ଶୁଣାଯାଉଛି ସେ ନିଜର ଜଣେ ଅନୁଗାମୀଙ୍କୁ ବ୍ରଜରାଜନଗରରୁ ଠିଆ କରେଇବା ପାଇଁ ଚାହୁଁଥିଲେ ହେଲେ ତାହା ସମ୍ଭବ ହେଲା ନାହିଁ। ତେଣୁ ସେ ନିଜେ ଏହି ଉପନିର୍ବାଚନରେ କୌଣସି ଦାୟିତ୍ୱ ନେବେନି ବୋଲି ରାଜ୍ୟ ବିଜେପି ଶିବିରରେ ଶୁଣିବାକୁ ମିଲିଛି ।