ମୁଖ୍ୟ ସାମ୍ମୁଖ୍ୟ ନା ବିଜେପି ? କାହା ହାତ ଧରିବେ ନବୀନ ?
କାହାକୁ ଭରଷା କରିବେ ନବୀନ । ମୋଦୀଙ୍କ ସହ ରହିବେ ନା ନୀତିଶଙ୍କ ହାତ ଧରିବେ । ନବୀନଙ୍କ ସହ ଶତ୍ରୁତା ମୋଦୀଙ୍କ ପାଇଁ ଭାରି ପଡିପାରେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରରେ କାହା ସହିତ ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସାଧାରଣ ନିର୍ବାଚନକୁ ଆଉ ୨ ବର୍ଷରୁ କମ୍ ସମୟ ରହିଛି । ଏହା ପୂର୍ବରୁ ନବୀନଙ୍କ ଆଭିମୁଖ୍ୟ ଉପରେ ନଜର ରଖିଛନ୍ତି ଅନେକ ରାଜନୈତିକ ଦଳ ।
ଓଡିଶାରେ ଦୁଇ ଉପନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କୁ ମୁହାଁମୁହିଁ ଟାର୍ଗେଟ କରୁଛନ୍ତି । କିନ୍ତୁ ନବୀନ ବିରୋଧରେ କେନ୍ଦ୍ରିୟ ନେତୃତ୍ୱ ଏବେବି ଚୁପ ରହିଛନ୍ତି । ଅନ୍ୟପଟେ ୨୦୧୯ ପରେ ବିଜେପି ଆଣିଥିବା ଅନେକ ବିବାଦିୟ ବିଲକୁ ବିଜେଡି ସମର୍ଥନ ଦେଇଥିଲା । ଅନ୍ୟପଟେ ଦେଖିବାକୁ ଗଲେ ଏନଡିଏ ମେଣ୍ଟରୁ ଅନେକ ରାଜନୈତିକ ଦଳ ନିଜର ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି । ଯାହା ପାଇଁ ଆଗାମୀ ଦିନରେ ଅନେକ ବିବାଦୀୟ ବିଲକୁ ସମର୍ଥନ ଦେବା ପାଇଁ ମୋଦୀଙ୍କୁ ଅଡୁଆରେ ପକାଇପାରେ । ତେଣୁ ଆଗାମୀ ଦିନରେ ନବୀନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିବା କେନ୍ଦ୍ର ବିଜେପି ଚର୍ଚ୍ଚା ହେଉଛି ।
୨୦୨୪ ସାଧାରଣ ନିର୍ବାଚନ ବେଳକୁ ମୁଖ୍ୟ ସାମ୍ମୁଖ୍ୟ ଗଢ଼ି ବିଜେପି ବିରୋଧରେ ଯୁଦ୍ଧଂ ଦେହିଃ ଡାକରା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର । ଏହି ସାମ୍ମୁଖ୍ୟରେ ଅଣ ବିଜେପି ଓ ଅଣ କଂଗ୍ରେସ ନେତାଙ୍କୁ ସାମିଲ ହେବାକୁ ଆହ୍ୱାନ କରିଛି ନୀତୀଶଙ୍କ ନେତୃତ୍ୱାଧୀନ ଦଳ । ଆଉ ଏହି ଦଳ ମଧ୍ୟରେ ରହିଛି ନବୀନଙ୍କ ନେତୃତ୍ୱାଧୀନ ବିଜେଡି । ହେଲେ ପଦ୍ମପୁର ଉପନିର୍ବାଚନ ବିଜୟୀ ପରେ ନବୀନ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ମିଶି ରାଜ୍ୟର ବିକାଶ କରିବା କଥା ।
ଯଦିଓ ରାଜ୍ୟରେ ବିଜେପି ସହିତ ବାକଯୁଦ୍ଧ ଚାଲିଛି ହେଲେ ନବୀନଙ୍କ ଏପରି ବୟାନ କେନ୍ଦ୍ର ସହିତ ଶତ୍ରୁତା କମ୍ ବିକାଶ ପାଇଁ ତାଙ୍କ ଦଳ ସହଯୋଗ କରିବେ ବୋଲି ପରୋକ୍ଷରେ ବାର୍ତ୍ତା ଦେଇଛନ୍ତି । ନିକଟରେ ହୋଇଥିବା ନିର୍ବାଚନକୁ ଦେଖିଲେ ଗୁଜୁରାଟ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବିଜେପି ସେତେଟା ଭଲ ପ୍ରଦର୍ଶନ କରିନାହିଁ।
ଅନ୍ୟପଟେ ଦିଲ୍ଲୀରେ ମୋଦୀ ବିରୋଧୀ ଅନେକ ନେତା ରହିଥିବା ବେଳେ ଦଳ ବାହାରେ ମିତ୍ର ସଂଖ୍ୟା କମିବାରେ ଲାଗିଛି । ଅନେକ ରାଜନୈତିକ ଦଳ ମୋଦୀ ବିରୋଧୀ ମେଣ୍ଟ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ନବୀନଙ୍କ ସହ ଶତ୍ରୁତା କରିବାକୁ ବିଜେପିର ପୋଷ୍ଟର ବୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୟାସ କରିବେ ନାହିଁ ବୋଲି କୁହାଯାଉଛି । ଅଣି ବିଜେପି ଶାସିତ ରାଜ୍ୟରେ ବାରମ୍ବାର କ୍ଷମତା ପରିବର୍ତ୍ତନ ହେବାର ନଜିର ରହିଛି । ସେହିପରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ରେଡ୍ ରାଜନୀତିର ଦୃଶ୍ୟପଟ୍ଟ ବଦଳାଇ ଦେଉଛି । ଯେତେବେଳେ ବ୍ଲାକରୋଜ, ଚିଟଫଣ୍ଡ ଓ ଅର୍ଚ୍ଚନା ନାଗ ପ୍ରସଙ୍ଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି ଏପରି ସ୍ଥିତିରେ ମୋଦୀ ବିରୋଧୀ ମେଳିରେ ନବୀନ ସାମିଲ ହେବେ ନାହିଁ ବୋଲି ସୂଚନା ରହିଛି ।