ହରଡ଼ଘଣାରେ ଯୁବ ବିଧାୟକ : ଆଜି ଦିଆଯିବ ଏତଲା

MLA Tirtol

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକା ଦାଶଙ୍କ ବହୁଚର୍ଚ୍ଚିତ ପ୍ରେମ କାହାଣୀରେ ଆଜି ପୁଣି ନୂଆ ମୋଡ଼ ଆସିଛି । ଦାମ୍ପତ୍ୟ ଜୀବନ ଆରମ୍ଭ ହେବା ପୂର୍ବରୁ ଝଡ଼ ଦେଖାଦେଇଛି । କାଲି ଦିନ ଭରି ଜଗତସିଂହପୁର ସବ୍‌ରେଜିଷ୍ଟ୍ରାରଙ୍କ ଦପ୍ତରରେ ସୋମାଲିକା ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ ସୁଦ୍ଧା ବିବାହ ପାଇଁ ଆସିବାକୁ ଥିବା ବିଧାୟକଙ୍କ ଦେଖା ମିଳି ନ ଥିଲା। ପାଲଟା ବିଧାୟକଙ୍କ କିଛି ନିକଟ ସଂପର୍କୀୟ ତାଙ୍କୁ ଧମକଚମକ ଦେଇଥିବା କଥା ସୋମାଲିକା ଅଭିଯୋଗ ଆଣିଛନ୍ତି। ସେ ଦୃଷ୍ଟିରୁ ପୂର୍ବରୁ ଦେଇଥିବା ଏତଲାକୁ ପୁଣି ଖୋଲାଯିବ ବୋଲି ସୋମାଲିକା ଗଣମାଧ୍ୟମ ସମ୍ମୁଖରେ ସ୍ପଷ୍ଟ କରିଛନ୍ତି। 

ଗତକାଲିକୁ ଠିକ୍ ମାସେ ତଳେ ଉଭୟ ବିଜୟ ଶଙ୍କର ଓ ସୋମାଲିକା ପରସ୍ପରକୁ ବିବାହ କରିବାକୁ ଜଗତସିଂହପୁର ସବ୍ ରେଜିଷ୍ଟାରଙ୍କ କୋର୍ଟରେ ଆବେଦନପତ୍ର ଦାଖଲ କରିଥିଲେ। ସେଦିନ ଆବଶ୍ୟକତାନୁସାରେ ସବୁ ଦସ୍ତାବିଜ୍‌ରେ ଦସ୍ତଖତ କରି ସାରି ବିଧାୟକ ବିଜୟ ଶଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ନିଜ ଅସୁସ୍ଥ ମା’ଙ୍କ ନିକଟକୁ ଚାଲି ଯାଇଥିଲେ । କାଲି ୩୦ ଦିନିଆ ଅବଧି ପୂରୁଥିବାରୁ ଉଭୟ ବିବାହ ପାଇଁ ଆସିବା କଥା । ମାତ୍ର ବିଧାୟକ ବିବାହ ପାଇଁ ନଆସିବାରୁ ଘଟଣାଚକ୍ର ସଂପୂର୍ଣ୍ଣ ଓଲଟି ଯାଇଛି । 

ଏନେଇ ସୋମଲିକାଙ୍କ କହିବା କଥା, ଗତ ମାସରେ ଆବେଦନପତ୍ର ଦାଖଲ ପରେ ଉଭୟ ପରିବାରବର୍ଗଙ୍କ ଭିତରେ ଆଲୋଚନା ହୋଇ ଆଜି ତାରିଖରେ ମୁଦି ପିନ୍ଧା ଉତ୍ସବ ରଖାଯାଇଥିଲା । କିନ୍ତୁ ବିଧାୟକ ନିଜ ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି। ପାଲଟା ତାଙ୍କ ସଂପର୍କୀୟଙ୍କ ଆଡୁ ନାଲି ଆଖି ଦେଖାଯାଇଛି। ଅଶ୍ରାବ୍ୟ ଭାଷା ପ୍ରୟୋଗ କରାଯାଉଛି। ହୁଏତ ବିଧାୟକଙ୍କୁ ସେମାନେ ନିଜ ହେପାଜତ୍‌ରେ ରଖି ବିବାହରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି, ନଚେତ୍ ବିଧାୟକ ନିଜେ ଧରାଛୁଆଁ ଦେବାକୁ ପ୍ରସ୍ତୁତ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସୋମାଲିକା। ବିଧାୟକଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି ନାରୀ ନେତ୍ରୀ ସ୍ନିଗ୍ଧାରାଣୀ ବିଶ୍ଵାଳ । ଯିଏକି ସୋମାଲିକାଙ୍କ ସହ ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ବିଧାୟକ ଗତକାଲି ଠାରୁ ନିଜ ମୋବାଇଲ ଫୋନ୍‌ରେ କୌଣସି ପ୍ରକାରର ଉତ୍ତର ଦେବାକୁ ପ୍ରସ୍ତୁତ ନଥିବା ସୋମାଲିକା ଜଣାଇଛନ୍ତି । ନିକଟ ଅତୀତରେ ବିଧାୟକ ଏବଂ ସୋମାଲିକାଙ୍କ ଯୁଗଳ ବନ୍ଦୀ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ
ସୋମାଲିକା ଏସ୍‌ପିଙ୍କ କାର୍ଯ୍ୟାଳୟରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗପତ୍ରରେ କିନ୍ତୁ କ’ଣ ଉଲ୍ଲେଖ କରାଯାଇଥିଲା ତାହା ଏପର୍ଯ୍ୟନ୍ତ ଗୋପନୀୟ ରହିଛି। ହେଲେ ପୂରା ଘଟଣାର ମୋଡ଼ ବଦଳି ଯାଇଥିଲା, ଯେତେବେଳେ ଉଭୟ ସୋମାଲିକା ଓ ବିଜୟ ଶଙ୍କର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଜିଲ୍ଲା ସବ୍‌ରେଜିଷ୍ଟ୍ରାରଙ୍କ ଦପ୍ତରରେ ଆବେଦନପତ୍ର ଦାଖଲ କରିଥିଲେ। ୩୦ ଦିନିଆ ଅବଧି ସରିବା ସାଙ୍ଗକୁ ପୂର୍ବ ପ୍ରତିଶ୍ରୁତି ମୁତାବକ ଆଜି ବାପା ସଂଗ୍ରାମ କିଶୋରୀ ଦାଶ, ନାରୀ ନେତ୍ରୀ ସ୍ନିଗ୍ଧାରାଣୀ ବିଶ୍ୱାଳଙ୍କ ସମେତ ନିଜ ପକ୍ଷର ଆଇନଜୀବୀଙ୍କ ସହ ସୋମାଲିକା ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଧାୟକ ବିଜୟ ଶଙ୍କରଙ୍କୁ ଅପରାହ୍ନ ପ୍ରାୟ ୩ଟା ପର୍ଯ୍ୟନ୍ତ ଅପେକ୍ଷା କରି ବସି ବସି ନିରାଶ ହୋଇଥିଲେ।

MLA Tirtol

ଏଣେ ଜଣେ ବରିଷ୍ଠ ଆଇନଜୀବୀଙ୍କ କହିବା କଥା, ୩୦ ଦିନିଆ ନୋଟିସ୍ ଅବଧି ଅର୍ଥ, ଏହି ସମୟ ଭିତରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ। ପରବର୍ତ୍ତୀ ୬୦ ଦିନ ଭିତରେ ହିଁ ଉଭୟ ପକ୍ଷ ସବ୍ ରେଜିଷ୍ଟ୍ରାରଙ୍କ ଦପ୍ତରରେ ପହଞ୍ଚି ବିବାହ ନିମନ୍ତେ ସହମତି ଜଣାଇବେ। ତା’ପରେ ହିଁ ବିବାହ ପ୍ରମାଣପତ୍ର ଜାରି ହେବ । ଏଠି ୬୦ ଦିନ ବିତି ନ ଥିବାରୁ ବିଧାୟକ ଆଜି ତାରିଖରେ ଉପସ୍ଥିତ ହେବାକୁ ଉଚିତ୍ ମଣିନଥିବା ଅନୁମାନ କରାଯାଉଛି । 

ଅନ୍ୟପଟେ ବିଧାୟକ ବିଜୟ ଶଙ୍କର ନିଜ ପ୍ରତିକ୍ରିୟା ରଖି ବିବାହ କରିବାକୁ କାହାକୁ ମନା କରିଛି ତାହାର ପ୍ରମାଣ ଆଗେ ରଖାଯାଉ ବୋଲି ପାଲଟା କଥା ଉଠାଇଛନ୍ତି। ଏହାଛଡ଼ା ନିୟମ ଦୃଷ୍ଟିରୁ ୬୦ ଦିନ ମହଲତ ଅଛି। ତେଣୁ କୌଣସି ପ୍ରକାର ଆଇନକୁ ମୁଁ ଅସମ୍ମାନ କରି ନାହିଁ ବୋଲି ବିଧାୟକ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଆଇନ ଅମାନ୍ୟ କରୁଥିବାରୁ ଆଜି ହିଁ ଅନ୍‌ଲାଇନ୍‌ରେ ବିଧାୟକଙ୍କ ବିରୋଧରେ ଏତଲା ପ୍ରଦାନ କରାଯିବ। ପରଦିନ ଅଫ୍‌ଲାଇନ୍‌ରେ ଥାନାରେ ଏହା ଦାଖଲ ହେବ ବୋଲି ରୋକଠୋକ୍
ଜଣାଇଛନ୍ତି ସୋମାଲିକା। ଘଟଣା କେଉଁ ମୋଡ଼ ନେଉଛି ଏବେ ତାହାକୁ ଅପେକ୍ଷା। ସେପଟେ ବିଜୟଙ୍କ କିଛି ସମ୍ପର୍କୀୟ ସୋମାଲିକାଙ୍କ ବାହାଘରକୁ ବିରୋଧ କରିବା ସହ ତାଙ୍କୁ ଧମକ ଚମକ ଦେଉଥିବାରୁ ତାଙ୍କ ବିରୋଧରେ ମଧ୍ୟ ଏତଲା ହୋଇପାରେ ବୋଲି ସୂଚନା ମିଳିଛି ।

Share this story