ଉପାସନା ଦଳରେ ମିଶିଲେ ସଂଜୟଙ୍କୁ ମିଳିବନି ସ୍ଥାନ : ବିକଳ୍ପ ଚିନ୍ତାରେ ଦାସବର୍ମା

ଏଥର ବିଜେଡିର ବରିଷ୍ଠ ତଥା ବିବାଦୀୟ ନେତା ସଞ୍ଜୟ ଦାସବର୍ମା କାଳେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଛାଡ଼ିଦେବେ । ସେ ଆଉ ସେଠାରୁ ନିର୍ବାଚନ ଲଢ଼ିବେ ନାହିଁ । ଏମିତି ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ବେଶ କିଛିଦିନ ପୂର୍ବରୁ ସେ କହିଥିଲେ, ଲୁଲୁଙ୍କ ଝିଅ ଅର୍ଥାତ ଉପାସନା ବ୍ରହ୍ମଗିରିରୁ ନିର୍ବାଚନ ଲଢ଼ିଲେ ସେ ଓହରିଯିବେ । ତାଙ୍କର ସେତେବେଳର କଥାକୁ ଯଦି ଦେଖିବା ତେବେ ସଞ୍ଜୟ ବ୍ରହ୍ମଗିରି ଛାଡ଼ିବା ଏକପ୍ରକାର ନିଶ୍ଚିତ । ବ୍ରହ୍ମଗିରିରେ ଉପାସନା ଏବେଠୁ ସକ୍ରିୟ ହେଲେଣି ।
ବିଜେପି ନହେଲେ ବି ବିଜେଡିରୁ ସେ ପ୍ରାର୍ଥୀ ହେବା କାଳେ ନିଶ୍ଚିତ । ତେଣୁ ଏବେଠୁ ସଞ୍ଜୟ ବ୍ରହ୍ମଗିରି ଛାଡ଼ିବେ ବୋଲି ଏକ ପ୍ରକାର ନିଷ୍ପତ୍ତି ନେଇଛନ୍ତି । ବ୍ରହ୍ମଗିରି ଛାଡ଼ିଲେ ତାଙ୍କର ଟାର୍ଗେଟ ସତ୍ୟବାଦୀ । କାରଣ ବ୍ରହ୍ମଗିରିର ୧୧ଟି ପଞ୍ଚାୟତ ସତ୍ୟବାଦୀରେ ମିଶିଛି । କଣାସର ଅନେକ ନେତା ସଞ୍ଜୟଙ୍କ ସହ ରହିଛନ୍ତି । ତାଙ୍କୁ ସତ୍ୟବାଦୀରୁ ବେଶ ସହଯୋଗ ମିଳିବ । ତେଣୁ ସେ ସତ୍ୟବାଦୀକୁ ଟାର୍ଗେଟ କରିଥିବା ତାଙ୍କ ସମର୍ଥକମାନେ କହିଲେଣି ।
ସତ୍ୟବାଦୀକୁ ସଞ୍ଜୟ ଆସିଲେ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ଏବେ ଚର୍ଚ୍ଚା । କାରଣ ବିଜେଡିରେ ତାଙ୍କ ସ୍ଥିତି କାଳେ ଭଲ ନାହିଁ । ପ୍ୟାଚ ପକାଇବା ଭଳି ଚାଲିଛନ୍ତି । ଦଳର ବାର୍ଷିକ ଉଥ୍ସବରେ ତାଙ୍କୁ କହିବାକୁ ସୁଯୋଗ ମିଳିଲା ନାହିଁ । ଆୟୋଜନର କିଛି ବି ଦାୟିତ୍ୱ ତାଙ୍କ ଉପରେ ନଥିଲା । କେବଳ ତାଙ୍କୁ ଡକାଯାଉଥିଲା । ତୃତୀୟ ମହଲା ବା ମୁଖ୍ୟମନ୍ତ୍ରୀଙ୍କ ନିକଟର ମହଲରୁ ତାଙ୍କୁ ଡାକରା ଗଲାନାହିଁ । ରାଜନୈତିକ ନେତାମାନେ ତାଙ୍କୁ ଡାକିଥିଲେ । ବିଜେଡି ସହ ତାଙ୍କ ନାମ ଥିବାରୁ ସେ କାଳେ ବାଧ୍ୟ ହୋଇ ଗଲେ । ମାତ୍ର ସେଠାରେ ତାଙ୍କୁ ଯେପରି ଚର୍ଚ୍ଚା ମଳିଲା, ସେଥିରୁ ସେ ବିଜେଡି ଛାଡ଼ିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ସେପଟେ ବିଜେପି ସହ ତାଙ୍କର ମୂଲଚାଲ ଜୋର ସୋର ହେଲାଣି । ସତ୍ୟାବାଦୀରୁ କାଳେ ସେ ବିଜେପି ପ୍ରାର୍ଥୀ ହେବେ ।
କାରଣ, ସତ୍ୟବାଦୀର ବିଜେପି ପ୍ରାର୍ଥୀ ଏବେ ବିଜେଡି ମୁହାଁ ବୋଲି ଚର୍ଚ୍ଚା ହେଉଛି । ପ୍ରଥମେ କଂଗ୍ରେସ ଓ ପରେ ବିଜେପିରେ ବିଫଳ ହେବା ପରେ ବିଜେଡି ହାତ ଧରି ବିଧାୟକ ହେବାକୁ ଓମ୍ ପ୍ରକାଶ ମିଶ୍ର କାଳେ ସ୍ୱପ୍ନ ଦେଖୁଥିବା ଚର୍ଚ୍ଚା ହେଲାଣି । ତେଣୁ ବିଜେପି ସତ୍ୟବାଦୀ ଖାଲି । ସେହିଠାରୁ ସଞ୍ଜୟ ପ୍ରାର୍ଥୀ ହେବେ । କେବଳ ସେଠାରୁ ନୁହେଁ, ବ୍ରହ୍ମଗିରିରେ ବି ବିଜେପିକୁ ସେ ଜିତାଇବେ । ପୁରୀ ସତର ଓ ପିପିଲିରେ ବି କାଳେ ସେ ବିଜେପିକୁ ଲାଭ ଦେଇପାରିବେ । ଏହାବ୍ୟତୀତ ଓଡ଼ିଶାର ୪୨ଟି ଆସନରେ ବିଜେପି ପାଇଁ ସେ ଫାଇଦା କରାଇବେ ବୋଲି ବିଜେପି ପୁରୁଖାଙ୍କୁ କଥା ଦେଇଛନ୍ତି ।
ହେଲେ ବିଜେପି ସେମିତି କିଛି ନିଷ୍ପତ୍ତି ନେଇପାରିନାହିଁ । ପୁରୁଖାମାନେ ବିଚାର ବିମର୍ଷ କରୁଛନ୍ତି । ସଞ୍ଜୟଙ୍କୁ ଆଣିଲେ ଦଳ କେତେ ଲାଭ ପାଇବ ତାହାର ହିସାବ ଚାଲିଛି । ସଞ୍ଜୟଙ୍କ ପାଇଁ ବିଜେପିରୁ ଗ୍ରୀନ ସିଗନାଲ ଥିବାରୁ ଆଗ ସେ ନିଜ ପାଇଁ ସତ୍ୟବାଦୀକୁ ସୁରକ୍ଷିତ କରିବାକୁ ଯେଜନା କରିଛନ୍ତି । ଏବେ ଆଗକୁ ବଢ଼ିବେ । ନୂଆବର୍ଷରୁ ତାଙ୍କର ବିଜେଡି ବିରୋଧୀ ଆଭିମୁଖ୍ୟ ଜୋର ହେବ ବୋଲି ଚର୍ଚ୍ଚା ଜୋର ଧରିଲାଣି । ଏଭଳି ଗୋଳମାଳିଆ ସ୍ଥିତିରେ ସଞ୍ଜୟଙ୍କ ରାଜନୀତି କ୍ୟାରିୟର କୁଆଡ଼େ ଯାଉଛି ତାହା ସମୟ କହିବ ।