ରେଢ଼ାଖୋଳରେ ବଢୁଛି ବିଜେପି, ସୁରକ୍ଷିତ ଆସନ ଚିନ୍ତାରେ ପୂଜାରୀ

pujari naerayan

ସମ୍ବଲପୁରରୁ ଆସନ ଉପରେ ରୋହିତଙ୍କ ଲକ୍ଷ୍ୟ । ଜୟନାରାୟଣଙ୍କୁ ଟକ୍କର ଦେବେ ରୋହିତ ପୂଜାରୀ । ମଇଦାନ ସଜାଡୁଛନ୍ତି ରୋହିତ । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ନେଇ ଏବେ ସମ୍ବଲପୁରରେ ଜୋରଦାର ଚର୍ଚ୍ଚା ଚାଲିଛି । ନିଜ ରେଢ଼ାଖୋଲ ବିଧାନସଭା ଆସନ ଛାଡ଼ି ସେ ଏବେ ସମ୍ବଲପୁର ବିଧାନସଭା କ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରିବେ । ଏନେଇ ନିଜର ମଇଦାନ ସଜାଡୁଛନ୍ତି । ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ୪ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ରେଢ଼ାଖୋଲ ଲମ୍ବା ଅବଧି ଧରି ରାଜ୍ୟର ଶାସକ ଦଳ ବିଜେଡି କବ୍‌ଜାରେ ରହିଆସିଛି । ପୂର୍ବତନ ରାଜ୍ୟସଭା ସାଂସଦ ସନାତନ ବିଶି ରେଢ଼ାଖୋଲରୁ ବିଧାନସଭାକୁ ନିର୍ବାଚିତ ହେବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ । 

ସନାତନ ବିଶିଙ୍କ ପରେ ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲରୁ ପ୍ରତିନିଧିତ୍ୱ କରିବା ସହିତ ପ୍ରଥମେ ସ୍ୱାସ୍ଥ୍ୟ ଓ ପରେ ଅର୍ଥମନ୍ତ୍ରୀ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ । ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହେବା ପରେ ଇଂ. ରୋହିତ ପୂଜାରୀ ବିଜେଡିର ଗଡ଼ ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ନିଜ ଭାଗ୍ୟ ପରୀକ୍ଷାକରି ସଫଳ ହୋଇଥିଲେ । ପ୍ରଥମ ଥର ବିଧାୟକ ହେବା ପରେ ଉପମୁଖ୍ୟ ସଚେତକ ପଦ ପାଇଥିଲେ । ଦ୍ୱିତୀୟ ଥର ନିର୍ବାଚନ ଜିତିବା ପରେ ସେହି ଉପମୁଖ୍ୟ ସଚେତକ ପଦ ବଜାୟ ରଖିଥିଲେ ।

ଗତ ୨୦୨୨ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ନବକଳେବର ସମୟରେ ତାଙ୍କ ଭାଗ୍ୟ ଫିଟିଥିଲା । ଉଚ୍ଚଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ମିଳିଥିଲା । ମନ୍ତ୍ରୀ ପଦ ମିଳିବା ପରେ ସମ୍ବଲପୁରକୁ ତାଙ୍କ ପ୍ରଥମ ଆଗମନ ଅବସରରେ ତାଙ୍କୁ ଯେଉଁ ଭଳି ଭାବେ ସ୍ୱାଗତ କରାଯାଇଥିଲା, ରୋହିତ ବାବୁ ଅଭିଭୂତ ହୋଇଯାଇଥିଲେ । ସମ୍ବଲପୁର ମହାନଗରବାସୀଙ୍କ ଏଭଳି ଭଲ ପାଇବା ଦେଖି ସେବେଠାରୁ ରୋହିତ ପୂଜାରୀ ସମ୍ବଲପୁର ବିଧାନସଭା କ୍ଷେତ୍ର ଉପରେ ନଜର ପକାଇଥିବା ଦେଖିବାକୁ ମିଳିଛି । ସମ୍ବଲପୁର ମହାନଗର ତଥା ବିଧାନସଭା କ୍ଷେତ୍ର ଅଂଚଳରେ ପୂର୍ବାପେକ୍ଷା ତାଙ୍କ ରାଜନୈତିକ ଗତିବିଧି ବଢ଼ାଇ ଦେଇଛନ୍ତି । ସେ ଛୋଟ ଛୋଟ କାର୍ଯ୍ୟକ୍ରମରେ ବି ସାମିଲ ହୋଇ ନିଜର ରାଜନୈତିକ ପତିଆରା ଆହୁରି ବଢ଼ାଇବାର ପ୍ରୟାସ କରୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି ।

Share this story