ଖେଳ ଏଇଠି : ସୁରଜଙ୍କ ବିଜୟ ବ୍ୟବଧାନ ଓ ରାଜୁ ଦାସଙ୍କ ଭୋଟ ପାଖାପାଖି ସମାନ
bjd bjp

ଧାମନଗର ଉପନିର୍ବାଚନରେ ପୁଣି ଥରେ ପଦ୍ମ ଫୁଟିଲା ପଦ୍ମ।।  ଧାମନଗରବାସୀ ଭାରତୀୟ ଜନତା ପାର୍ଟି ଉପରେ ଭରସା ରଖିଛନ୍ତି । ଏଠାକାର ମତଦାତାମାନେ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଅଧିକ ଭୋଟ ଦେଇ ବିଜୟୀ କରାଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ୨୦୧୯ ସାଧାରଣ ନିର୍ବାଚନରେ ବିଷ୍ଣୁସେଠୀଙ୍କୁ ୮୦,୧୧୧ ଖଣ୍ଡ ଭୋଟ୍‌ ମିଳିଥିଲା। ନିକଟତମ ପ୍ରାର୍ଥୀ ରାଜେନ୍ଦ୍ର ଦାସ (ବିଜେଡି)ଙ୍କୁ ୭୫,୪୮୬ ଖଣ୍ଡ ଭୋଟ ମିଳିଥିଲା। ବିଷ୍ଣୁ ସେଠୀ ୪୬୨୫ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ଧାମନଗର ଉପନିର୍ବାଚନରେ ସୂର୍ଯ୍ୟବଂଶୀ ସୂରଜ ୯୭୪୨ ଖଣ୍ଡ ଭୋଟ୍‌ରେ ଜିତି ସାରିଛନ୍ତି ।

ସୂଚନାଯୋଗ୍ୟ, ଗତ ୩ ତାରିଖ ଦିନ ଧାମନଗରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାର ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା। ଭୋଟ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପକ୍ଷରେ ଜନାଦେଶ ଆସିଥିଲା। ଅର୍ଥାତ ଭୋଟଗଣତିର ବିଭିନ୍ନ ରାଉଣ୍ଡରେ ବିଜେପିକୁ ଅଧିକ ଭୋଟ୍‌ ମିଳୁଥିବାର ପରିଲକ୍ଷିତ ହେଉଥିଲା ଏବଂ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ବିଜେପି ଆଗୁଆ ଥିବା ଜଣାପଡ଼ିଛି। ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଭଦ୍ରକରୁ ଭୁବନେଶ୍ବର ଯାଏଁ ବିଜେପିର କର୍ମୀମାନେ ଉତ୍ସାହିତ ଦେଖାଯାଇଛନ୍ତି। ନାଚ, ଗୀତ, ମିଠା ବାଣ୍ଟିବା କାମରେ ବ୍ୟସ୍ତ ରହୁଛନ୍ତି।

କିନ୍ତୁ ଠିକ ଏହି ସମୟରେ ପରାଜୟକୁ ନେଇ ବିଜେଡି ଶିବିର ଅବାକ ହୋଇଯାଇଛି । ବିଶେଷକରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୨ବର୍ଷର ଶାସନ, ୨୫ବର୍ଷର ନେତୃତ୍ୱ ଓ ସଂଗଠନ ପରିଚାଳନା ଉପରେ କଳାଦାଗ ଲଗାଇଛନ୍ତି କିଛି ନିର୍ଦ୍ଧିଷ୍ଟ ନେତା । ଏହାସହିତ ଧାମନଗର ରେ ବିଜୁ ପ୍ରେମୀ ଓ ନବୀନ ପଟ୍ଟନାୟକଙ୍କ ଖାସ୍ ଅନୁଗତମାନଙ୍କୁ ଅଣଦେଖା କରାଯିବା ଓ ସ୍ଥାନୀୟ ବରିଷ୍ଠ ନେତାମାନେ କୋଣଠେସା ହେବାର ପ୍ରତିଫଳନ ଧାମନଗର ନିର୍ବାଚନୀ ଫଳାଫଳରେ ସ୍ପଷ୍ଟ ଭାବେ ପ୍ରତୀତ ହୋଇଛି । କିଛି ସ୍ଥାନୀୟ ନେତା ମଧ୍ୟ ଆତ୍ମଘାତୀ କାମ କରିଥିବା ନେଇ ସୂଚନା ଆସୁଛି । ରାଜୁ ଦାସ ମଧ୍ୟ ଖେଳ ବୁଲାଇଦେଇଥିବା ସ୍ପଷ୍ଟ ବାରି ହୋଇପଡୁଛି । କାରଣ ୯ ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ସୁର୍ଯ୍ୟବଂଶୀ ସୁରଜ ଜିତିଥିବା ବେଳେ ରାଜୁ ସ୍ୱାଧୀନ ଭାବେ ୮ ହଜାର ଭୋଟ ପାଇଛନ୍ତି । ଏଣୁ ରାଜୁ ଦାସଙ୍କ ପ୍ରାର୍ଥୀତ୍ବ କୁ ବିରୋଧ କରୁଥିବା ନେତା ବିଜେଡିର ପରାଜୟ ପାଇଁ ମୁଖ୍ୟତଃ ଦାୟୀ ବୋଲି ଏବେ ଆଲୋଚନା ଜୋର ଧରିଛି ।

Share this story