ବିଜେପିରେ ଭାଲେଣି, କୁନାଙ୍କୁ କିଏ ଲଗାଇଲା ଚୁନା ?
ଜିତିବା ବାଜି ପଦ୍ମପୁରରେ କେମିତି ହାରିଲା ପଦ୍ମ ଦଳ ? ଏତେ ଦିନ ଆଗରୁ ଲୋକଙ୍କ ସହିତ ମିଶି କାର୍ଯ୍ୟକ୍ରମ ଜାରି ରଖୁଥିଲେ କୁନା। ଲୋକଙ୍କ ଭଲ ପାଇବା ତାଙ୍କ ପଛରେ ଥିଲା। ପୁରା ଢଗଡ଼ା ନେତା। ଏହା ପରେ ବି ହାରିଲେ କେମିତି ସେ ? ତାଙ୍କ ତୁଳନାରେ ବର୍ଷା ନୂଆ। ତାଙ୍କ ବିରୋଧରେ ବଢ଼େଇଙ୍କ ସମର୍ଥକ କାମ ଆରମ୍ଭ କରିଥିଲେ । କିନ୍ତୁ ଦେଖିଲା ବେଳକୁ ମୁଗୁରା ମୁହଁ ମେଲା । ହାରିଲେ ତ ହାରିଲେ କୁନା ଏକଦମ ୪୨ ହଜାର ଭୋଟରେ । ସେ ନିଜେ ବି ବିଶ୍ଵାସ କରିପାରୁ ନାହାନ୍ତି । ଦଳର ମୁଣ୍ଡିଆଳମାନେ ବି ହତ ବାକ ।
କଂଗ୍ରେସ ୨୮ହଜାର ପାଖାପାଖୁ ଭୋଟ ବିକିଚି । କେତେ ଓ କିଏ ପାଇଚି ବିକ୍ରି ଟଙ୍କା ଏକଥା କଂଗ୍ରେସର ବହୁ ନେତା ଜାଣନ୍ତି । କିନ୍ତୁ ବାକି ୧୪ ହଜାର କୁଆଡୁ ଆସିଲା ? ବାପା ବିଜୟ କେବେ ବି ଏତେ ଭୋଟରେ ଜିଣି ନଥିଲେ। ଝିଅ ତ ଯାଦୁ କରିଦେଲେ । ଅସଲ କଥା ଯେ ପଦ୍ମଦଳିଆ ବି ବିକ୍ରି ହେଇଛନ୍ତି। ଏମିତି ବହୁ ବୁଥ୍ ଅଛି ଯେଉଁଠି ପଦ୍ମକୁ କିଛି ଭୋଟ ମିଳିନାହିଁ ବୋଲି କହିହବ । ଇଏ କେମିତି ହେଲା ? କାଳେ ଉପକୂଳିଆ ନେତାଙ୍କ ଉପରେ ପଶ୍ଚିମ ଓଡ଼ିଶାର ବଡ଼ ପଦ୍ମ ନେତାମାନଙ୍କର ଭରସା ରହି ବର୍ନ, ସେହେତୁ ସବୁ ଦାୟିତ୍ଵ ଟେକି ଦିଆଯାଇଥିଲା ପୂଜାରୀ ଓ ପଣ୍ଡାଙ୍କୁ ।
କିଏ ଆସିବ, କିଏ ଭାଷିବ ସବୁ କଥା ଏଇ ଦି’ଜଣ ଠିକ କରିଥିଲେ । ବହୁଦିନରୁ ଘାଟି ଜଗିଥିଲେ ଏମାନେ । କିନ୍ତୁ ୟାଙ୍କ ଭିତରୁ କିଏ କି ଖେଳ କଲା ଯେ ପାଖାପାଖୁ ୩୦ଟି ବୁଥର ଏଜେଣ୍ଟଙ୍କୁ କିଣି ନେଲେ ଶଙ୍ଖ ଦଳିଆ। କୁନା ଜାଣିଲା ବେଳକୁ ଖେଳ ଶେଷ । ଯେଉଁ ଚକ୍ଟର କରିଥିଲା ଶଙ୍ଖ ସେଥିରେ ଫସିଗଲା ପଦ୍ମ। କୁହାଯାଉଚି ଯେ ଏଇ ଦୁଇ ଏମର୍ପିଙ୍କ ବିରୋଧରେ ପଦ୍ମଦଳ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଲାଣି । ପୂଜାରୀ ତ ରାଧାଙ୍କୁ ହରେଇଥିଲେ। ପୂଜାରୀ ଓ ପଣ୍ଡା ମିଶି କୁନାଙ୍କୁ ଲଣ୍ଡା କରିଦେଲେ। ଏଇ ଦୁଇ ନେତାଙ୍କର ଭାରି ରାଗ ପ୍ରଧାନଙ୍କ ଉପରେ ।
ଏହି ଡରରେ ପ୍ରଧାନେ ସବୁ ଦାୟିତ୍ଵ ଦେଇଥିଲେ ସେମାନଙ୍କୁ । ଷ୍ଟ୍ରାଟେଜି ବି କୁଆଡ଼େ ସେମାନେ ତିଆରି କରୁଥିଲେ। ଏବେ କୁହାଯାଉଚି ଯେ ପଣ୍ଡା ଓ ପୂଜାରୀଙ୍କ ଭିତରେ ବି ଭାରି ଅପଡ଼ । ଭୋଗିଲେ କୁନା। ଏଥର ପଦ୍ମ ପୁରରେ ଭଲ ଏକତା ଦେଖେଇଥିଲେ ପଦ୍ମ ନେତାମାନେ । କିନ୍ତୁ ଶଙ୍ଖ କୌଶଳକୁ କାଟିବା ପାଇଁ ପୂଜାରୀ ଓ ପଣ୍ଡାଙ୍କ ପାଖରେ କିଛି ଉପାୟ ନଥିଲା। ବରଗଡ଼ରେ ଆଲୋଚନା ହଉଚି ଯେ ଜିତିବା ବାଜି କେମିତି ହାରି ହୁଏ ସେ କୌଶଳ ପୂଜାରୀଙ୍କଠୁ ଶିଖୁ ତାଙ୍କ ଦଳ। ଏବେ ବଂଶଲ ବାବୁ ଆସିବେ ଷ୍ଟ୍ରାଟେଜି ବନେଇବା ପାଇଁ । ପ୍ରଥମେ ତାଙ୍କୁ ନେତାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଷ୍ଟ୍ରାଟେଜି ବନେଇବାକୁ ପଡ଼ିବ।