ଚିନ୍ତାରେ ଶ୍ବଶୁର ରମାରଞ୍ଜନ ବଳିୟାରସିଂ, ଏବେ କରିବେ କଣ ?
padamapur electioon

ବହୁ କସରତ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି। ଦିବଙ୍ଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡି ଆଜି ତାର ପ୍ରାର୍ଥୀ ଭାବେ ଘୋଷଣା କରିଛି। 

ଏ ନେଇ ଦଳର ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷାଙ୍କୁ ଦଳୀୟ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ସେ ଇତିହାସରେ ସ୍ନାତକୋତ୍ତର କରିବା ପରେ ବେଙ୍ଗାଲୁରୁରେ ଆଇନରେ ସ୍ନାତକ କରିଛନ୍ତି । ବର୍ଷା ହେଉଛନ୍ତି ଉପକୂଳ ଓଡ଼ିଶାର ବିଜେପି ନେତା ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂଙ୍କ ପୁତ୍ରବଧୂ।

ପ୍ରାର୍ଥୀ ଘୋଷଣା ପୂର୍ବରୁ ଗଣମାଧ୍ୟମ ରମାରଞ୍ଜନଙ୍କୁ ପ୍ରଶ୍ନ କରିଥିଲେ ଯେ ବର୍ଷାଙ୍କୁ ପ୍ରାର୍ଥୀ କରିପାରେ ବିଜେଡି । ଏହାର ଉତ୍ତରରେ ସେ କହିଥିଲେ, ମୁଁ ଦଳର ସାଧାରଣ ଏବଂ ଶୃଙ୍ଖଳିତ ସଭ୍ୟ, ତେଣୁ ଏ ପ୍ରଶ୍ନର କୌଣସି ଯଥାର୍ଥତା ନାହିଁ । ତେବେ ଦଳ ନା ବୋହୂ ଆଗ ପ୍ରଶ୍ନରେ ସେ କହିଥିଲେ ମୁଁ ଦଳର କର୍ମୀ ଦଳ ପାଇଁ କାମ କରିବି ।

ଗୋଟିଏ ପଟେ ଦଳ ଆଉ ଗୋଟିଏ ପଟେ ବୋହୂ, ରମାରଞ୍ଜନ କାହାକୁ ସହଯୋଗ କରିବା ତାହା ଗୋଟିଏ ବଡ ପ୍ରଶ୍ନ । ବର୍ଷା କିନ୍ତୁ ଏହାକୁ ନେଇ ସ୍ପଷ୍ଟ ଉତ୍ତର ରଖିଛନ୍ତି । ସେ କହିଛନ୍ତି ବିଜେଡିରୁ ପ୍ରାର୍ଥୀ ହେବା ପୂର୍ବରୁ ଉଭୟ ପରିବାର ମଧ୍ୟରେ ଆଲୋଚନା ହୋଇଛି । ଏଥିପାଇଁ ତାଙ୍କୁ କେହି ବାଧ୍ୟ କରିନାହାନ୍ତି । ଉଭୟ ପରିବାର ଆଶୀର୍ବାଦ ମୋ ସହ ରହିଛି । ମୋ ନିଷ୍ପତ୍ତିକୁ ମଧ୍ୟ ଉଭୟ ପରିବାର ସହମତି ଜଣାଇଛନ୍ତି ।

ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ଏ ସଂକ୍ରାନ୍ତରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବିଧିବଦ୍ଧ ଘୋଷଣା କରିଥିଲା।  ଆଜି  ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ତେଣେ ସତ୍ୟଭୂଷଣ ସାହୁଙ୍କୁ  କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି । ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ ତାରିଖରେ ପରଲୋକ ହେବା ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।

Share this story