ରାଗ ଓ ଅଭିମାନ କଣ ବୁଝିବେ ବାଲେଶ୍ୱର ବାସୀ ?

modi pratap sadhangi

ନନାଙ୍କ ବିରୋଧରେ ବାଲେଶ୍ଵର ସାରା ଭାରି ରିଆକ୍ସନ । ଗଲାଥର ଜେନାଙ୍କୁ ଚିତପଟାଙ୍ଗ କରି ସମସ୍ତଙ୍କୁ ଅବାକ କରିଦେଇଥିଲେ ନନା। ନନା ଟିଙ୍ଗା କିନ୍ତୁ ସଚ୍ଚୋଟ । ଏହି ଇମେଜ ତାଙ୍କୁ ନିର୍ବାଚନରେ ଭାରି ସାହାଯ୍ୟ କରିଥିଲା। ନହେଲେ ଜେନାବାବୁ ଯେଉଁପ୍ରକାର ରଣନୀତି ଧରିଥିଲେ ପୁଣି ସରକାରୀ ଦଳ, ଏହାପରେ ହାରିଥାନ୍ତେ କି ନନାଙ୍କଠାରୁ ? ଜିତିବା ପରେ ନନାଙ୍କ ବାବଦରେ ନିର୍ଧୂମ ପ୍ରଚାର ହେଲା ତାଙ୍କ ଘର, ଶିବ ମନ୍ଦିର ପୂଜା, ଗାଁ ପୋଖରୀରେ ଗାଧୁଆ,ସାଇକେଲ ଚଢ଼ା ଦେଶ ସାରା ନନାଙ୍କୁ ସମସ୍ତେ ଜାଣିଲେ ଯେ ବାଲେଶ୍ଵର ଗାନ୍ଧୀ । ତାଙ୍କୁ ମୋଦୀ ମନ୍ତ୍ରୀ ବି କରିଦେଲେ। ଲୋକ ସଭାରେ ଦଳ ପକ୍ଷରୁ ପ୍ରଥମ ଭାଷଣଟିଏ ଦବାର ସୁଯୋଗ ନନାଙ୍କୁ ମିଳିଲା। ନନା ବି ଏମିତି ବାଣ ମାରିଲେ ଯେ ସୋନିଆ ଓ ତାଙ୍କ ଟିମ୍ ଘାଇଲା ହେଇଗଲେ। ନନାଙ୍କ ଭାବମୂର୍ତ୍ତି ୬ ଇଞ୍ଚ ବଢ଼ିଗଲା। 

ନନା ଭାବିନେଲେ ଯେ ସିଏ ଆଉ ବାଲେଶ୍ୱରର ସାଂସଦ ନୁହଁନ୍ତି । ସିଏ ପୁରା ଦେଶର ମନ୍ତ୍ରୀ । ତେଣୁ ବାଲେଶ୍ଵରରେ କମ୍, ରାଜ୍ୟ ବାହାରେ ବେଶି ସମୟ କଟିଲା ତାଙ୍କର । ଏମିତି ହେଲା ଯେ ମନ୍ତ୍ରୀ ପଦ ଗଲା। ରାଗ ଓ ଅଭିମାନରେ ତମତମ ହେଇଗଲେ ପଦ୍ମ ଦଳର ଦୁର୍ବାସା କୁହାଯାଉଥିବା ନନା। ଧୀରେ ଧୀରେ ବାଲେଶ୍ଵର ସହ ତାଙ୍କ କନେକ୍ସନ ଢିଲା ହେଇଗଲା। ଗଲା ବନ୍ୟାରେ ଦେଖା ମିଳିଲାନି ନନାଙ୍କର । ଯେତେବେଳେ ନନା ନିଖୋଜ ବୋଲି ପ୍ରଚାର ହେଲା ସାମାଜିକ ଗଣମାଧ୍ୟମରେ ସେଇଠୁ ଆସି ପହଞ୍ଚିଲେ ନିଜ ନିର୍ବାଚନ ମଣ୍ଡଳୀରେ । ତା’ ଆଗରୁ ସାବରମତୀ ଆଶ୍ରମରେ ଚରଖା ବୁଲାଉଥିଲେ । ବିଳମ୍ବରେ ପହଞ୍ଚି ବା ଏବଂ ଅସଲ ବେଳେ ଦେଖାଦର୍ଶନ ନମିଳିବା ଘଟଣାରେ ଲୋକଙ୍କ ମନରେ ଭାରି ଅସନ୍ତୋଷ । 

ଗଲା ପଞ୍ଚାୟତ ଓ ପୌର ନିର୍ବାଚନରେ ଲୋକଙ୍କ ରାଗ ଜଣାପଡ଼ିଯାଇଛି । ନନାଙ୍କ ଆଉ ଆଗ ଇମେଜ ନାହିଁ । ରାଗିଲେ ହବ କ'ଣ ? ତାଙ୍କୁ ନେଇ ଦଳ ଚିନ୍ତାରେ ପଡି ସାରିଲାଣି । ଅବଶ୍ୟ ଟଙ୍କା ଖୁଆପିଆ ରୋଗ ନନାଙ୍କର ନାହିଁ । ସେଇଟା ତାଙ୍କର ପ୍ଲସ ପଏଣ୍ଟ । କିନ୍ତୁ ଲୋକଙ୍କ ସାଙ୍ଗରେ ନରହିଲେ ସେମାନେ କ’ଣ ମନକୁ ଇଲେକସନ ଆସିଲେ ଭୋଟ ଦେବେ କି ? ଯଦି ପଦ୍ମଦଳିଆ ନନାଙ୍କୁ ନବଦଳାନ୍ତି, ତେବେ ଆଉ ଥରକୁ ଯାହା ହବ ତାହା ଲୋକେ ଜାଣିଛନ୍ତି, ଦଳ ବି ଜାଣିଛି।

Share this story