ପାରାଦୀପ ବିଧାୟକଙ୍କ ବିରୋଧରେ ମେଳି : ରଣ ହୁଙ୍କାର ଦେଲେ ପ୍ରମୋଦ ସମର୍ଥକ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛନ୍ତି ଅନ୍ୟତମ ଟାଣୁଆ ଯୁବ ନେତା ତଥା ରାଜ୍ୟ ବିଜେଡ଼ିର ସାଧାରଣ ସମ୍ପାଦକ ଇଂ. ପ୍ରମୋଦ କିଶୋର ଜେନା । ଅବଶ୍ୟ ଶ୍ରୀ ଜେନା ସିଧାସଳଖ ଏଭଳି ରଣନୀତି ଖେଳି ନାହାନ୍ତି ତଥାପି ତାଙ୍କର ଶତାଧିକ ସମର୍ଥକ ଆଜି ରାହାମା ସ୍ଥିତ ସାଇନାଥ କଲ୍ୟାଣ ମଣ୍ଡପରେ ଏକାଠି ହୋଇ ବିଧାୟକ ଶ୍ରୀ ରାଉତରାୟଙ୍କ ଏକଚାଟିଆ ରାଜନୀତିକୁ କଟୁ ସମାଲୋଚନା କରିଛନ୍ତି । ବିଶ୍ବନାଥ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅନେକ ପ୍ରସଙ୍ଗକୁ ଉତ୍ଥାପିତ କରାଯାଇଥିଲା।କଂଗ୍ରେସକୁ ବାଏ ବାଏ କରି ବିଜେଡି ଶିବିରରେ ସାମିଲ ହୋଇଥିବା ପାରାଦୀପର ଯୁବ ନେତା ଇଂ, ପ୍ରମୋଦ କିଶୋର ଜେନା ଓ ତାଙ୍କର ଶତାଧିକ ସମର୍ଥକ ଶଙ୍ଖ ପତାକା ଧରି ପଞ୍ଚାୟତ ସ୍ତରରେ ଦଳୀୟ ସଂଗଠନକୁ କ୍ରିୟାଶୀଳ କରିଥିଲେ।
ନିର୍ବାଚନ ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ସମ୍ବିତଙ୍କ ସହ ଛାଇ ଭଳି ଘୂରି ବୁଲିଥିଲେ । ଇଂ. ଜେନାଙ୍କ ସଂଗଠନ ବି ବିଜେଡିର ବିପୁଳ ବିଜୟ ନେଇ ପାରାଦୀପ ନିର୍ବାଚନମଣ୍ଡଳୀ ସାରା କାନ୍ଧ ଲଗାଇଥିଲେ। ହେଲେ ସମ୍ବିତଙ୍କ ବିପୁଳ ବିଜୟ ସତ୍ତ୍ବେ ଇଂ. ଜେନାଙ୍କ ଗୋଷ୍ଠୀଙ୍କୁ ଏକ ପ୍ରକାର ତଡ଼ିପାର କରି ଦିଆଯାଇଥିଲା। ଗତ ପଞ୍ଚାୟତ ନିର୍ବାଚନରେ ଏହାର ପୁନରାବୃତ୍ତି ହୋଇଥିଲା। ପଞ୍ଚାୟତ ଭୋଟ ବେଳେ ଇଂ.ଜେନାଙ୍କ ଅନେକ ସମର୍ଥକ କିଛି ପଞ୍ଚାୟତରେ ପ୍ରାର୍ଥୀ ହେବା ନେଇ ଆଶାବ୍ୟକ୍ତ କରିଥିଲେ । କିନ୍ତୁ ବିଧାୟକ ଶ୍ରୀ ରାଉତରାୟ କୌଣସି କଥାକୁ କର୍ଣ୍ଣପାତ କରି ନ ଥିଲେ।
ଅନ୍ୟ ବିକଳ୍ପ ନପାଇ ଇଂ. ଜେନାଙ୍କ କିଛି ସମର୍ଥକ ତଥା ଆଶାୟୀ ପ୍ରାର୍ଥୀ ପଞ୍ଚାୟତ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। କେତେକ ପ୍ରାର୍ଥୀ ପରାଜିତ ହୋଇଥିଲେ ସୁଦ୍ଧା ଇଂ. ଜେନାଙ୍କ ଏକାନ୍ତ ଖାସ୍ ଥିବା ବିପିନ ବିଶ୍ଵାଳ ଅଗପାଳ ସରପଞ୍ଚ ଓ ଗଣ୍ଡକି ପୁର ସମିତିସଭ୍ୟ ଭାବେ ଆଶିଷ ସାମଲଙ୍କ ପତ୍ନୀ ବାଜିମାତ୍ କରିଥିଲେ। ଇଂ. ଜେନାଙ୍କ ଗୋଷ୍ଠୀ କିନ୍ତୁ ଏବେ ନିରବ ରହିବା ମୁଡ଼ରେ ନାହାନ୍ତି। ଏମାନଙ୍କ ଅଭିଯୋଗ, ପଞ୍ଚାୟତରେ ନାନା ପ୍ରକାରର ଉନ୍ନୟନମୂଳକ କାମ କରାଯାଉଥିଲେ ସୁଦ୍ଧା ସେମାନଙ୍କୁ ଅନ୍ଧାରରେ ରଖାଯାଉଛି । କୌଣସି ବ୍ୟକ୍ତିଗତ କାମ ନେଇ ଅନୁରୋଧ କଲେ ତାହା ଗ୍ରହଣୀୟ ହେଉନାହିଁ । ଏଭଳି ଆଚରଣକୁ ଆଉ ବରଦାସ୍ତ କରାଯିବନି । ଆସନ୍ତା ୧୫ ଦିନ ଭିତରେ ବିଧାୟକ ଶ୍ରୀ ରାଉତରାୟ ସମାଧାନର ରାସ୍ତା ବାହାର ନକଲେ ପାରାଦୀପ ନିର୍ବାଚନମଣ୍ଡଳୀ ସ୍ତରୀୟ ବିଶାଳ ସଭା ଆୟୋଜନ କରାଯିବ । ତତ୍ସହିତ ପାରାଦୀପ ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତରେ ବିଧାୟକଙ୍କ ଗସ୍ତ କାର୍ଯ୍ୟକ୍ରମ ସମୟରେ ତୀବ୍ର ବିରୋଧ କରାଯିବ ବୋଲି ଆଜି ବୈଠକରେ ରଣ ହୁଙ୍କାର ଦେଇଛନ୍ତି ଇଂ. ଜେନାଙ୍କ ଗୋଷ୍ଠୀ ।
ଏହି ବୈଠକରେ ଅଗପାଳ ସରପଞ୍ଚ ଶ୍ରୀ ମଲ୍ଲିକ, ଗଣ୍ଡଳିପୁର ସମିତି ସଭ୍ୟାଙ୍କ ପ୍ରତିନିଧି ଶ୍ରୀ ସାମଲଙ୍କ ସମେତ କାଳିଆ ଅଧିକାରୀ, ସାରଦା ପ୍ରସନ୍ନ ଦାସ, ଅନ୍ତର୍ଯ୍ୟାମୀ ପରିଡ଼ା, ଧ୍ରୁବ ଦାସ, ପଞ୍ଚାନନ ୱାଇଁ, ରମାକାନ୍ତ ନାୟକ, ସୌମ୍ୟ ରଞ୍ଜନ ରାଉତ, ସାଗର ପ୍ରଧାନ, ଅଳୟ ବସ୍ତିଆ, ନିମାଇଁ ୱାଇଁ, କୋଲରର ପୂର୍ବତନ ସମିତିସଭ୍ୟ ରଞ୍ଜିତ ପାଲ, ବିପିନ୍ ଗିରି, ଅନନ୍ତ ନାୟକ, ଅଧିର ସ୍ୱାଇଁ, ନକ୍ଷତ୍ର ପରିଜା, ପ୍ରକାଶ ୱାଇଁ, କୈଳାସ ନନ୍ଦ, ପ୍ରଦୀପ୍ତ ମହାପାତ୍ର, ଧୀରେନ୍ଦ୍ର ବରାଳ ଏବଂ ବିଭିନ୍ନ ପଞ୍ଚାୟତର ମୁରବି ମାନେ ସାମିଲ ହୋଇଥିଲେ। ଅପରପକ୍ଷେ ଦଳର ଲୋକମାନେ ଏକାଠି ହେବା କଥା ଜଣାଅଛି, କିନ୍ତୁ ସେମାନେ କିପ୍ରକାର ନିଷ୍ପରି ନେଇଛନ୍ତି ତାହା ଜଣାନାହିଁ ବୋଲି କହିଛନ୍ତି ଇଂ ଶ୍ରୀ ଜେନା।