ଗ୍ରାଉଣ୍ଡ ନେତାଙ୍କ ଆକଳନ ଦେଖି ବିରୋଧୀ ଧରାଶାୟୀ
ପଦମପୁର ଉପନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ସମୀକ୍ଷକ, ବିଭିନ୍ନ ବିରୋଧୀ ରାଜନୈତିକ ଦଳର ନେତାଙ୍କ ଆକଳନ ଓ ଭବିଷ୍ୟବାଣୀକୁ ଭୁଲ ପ୍ରମାଣିତ କରିଛନ୍ତି ଭୋଟର। ସିଂହଭାଗ ସମୀକ୍ଷକ ପଦମ୍ପୁରରେ ଶଙ୍ଖ ବିଜୟ ଅବଧାରିତ କହୁଥିଲେ ମଧ୍ୟ ବିଜୟର ବ୍ୟବଧାନକୁ ସଂକ୍ରାନ୍ତ ଆକଳନ ସଠିକ୍ ହୋଇନାହିଁ । ତେବେ ଶଙ୍ଖ ଦଳିଆ ଟୋକା ନେତା ସୁଶାନ୍ତ ସିଂହଙ୍କ ଭବିଷ୍ୟବଚନ ପ୍ରାୟ ସତ୍ୟସାବ୍ୟସ୍ତ ହୋଇଛି। ଦଳୀୟ ପ୍ରାର୍ଥୀ ବର୍ଷା ବରିହାଙ୍କ ନାମାଙ୍କନ ଦିନ ସୁଶାନ୍ତଙ୍କ ଲକ୍ଷାଧିକ ଭୋଟ ପୂର୍ବାନୁମାନ ଆପାତତଃ ଠିକ୍ ବୋଲି ପ୍ରମାଣିତ ହୋଇଛି।
ଶଙ୍ଖ ଦଳ ଉପରେ ପଦମ୍ପୁରବାସୀ ଆଶୀର୍ବାଦ ବର୍ଷା କରିବା ପରେ ସୁଶାନ୍ତ ପୁଣି ଏକ ଭବିଷ୍ୟବାଣୀ କରିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ଶଙ୍ଖ ଦଳକୁ ୧୨୫ରୁ ଅଧିକ ଆସନ ମିଳିବ ବୋଲି ସୁଶାନ୍ତ ବଚନ ଏବେ କ୍ଷମତାର ମଧୁରସ୍ଵପ୍ନ ଦେଖୁଥିବା ରାମମନ୍ଦିର ଆଖଡ଼ାରେ ଭୂକମ୍ପନ ସୃଷ୍ଟି କରିଛି । ଅତୀତରେ ଶଙ୍ଖ ଦଳ ନିର୍ବାଚନକୁ ନେଇ ଯେତେ ପୂର୍ବ ଆକଳନ କରିଛି ସବୁବେଳେ ତାହା ସତ୍ୟ ସାବ୍ୟସ୍ତ ହୋଇଛି।
ଗତ ନିର୍ବାଚନରେ ଶଙ୍ଖ ଦଳର ନେତାମାନେ ୧୨୦ ଆସନରେ ବିଜୟ ଆକଳନ କରିଥିଲେ ଆଉ ୧୧୩ ଆସନରେ ବିଜୟୀ ହୋଇଥିଲେ; ଅନ୍ୟପକ୍ଷରେ ପଦ୍ମ ଦଳିଆ ନେତାମାନେ ୧୨୦ ଆସନରେ ଜିତିବାକୁ ଯେଉଁ ‘ମିଶନ ୧୨୦' ଆରମ୍ଭ କରିଥିଲେ ତାହା ୨୩ରେ ଅଟକି ଯାଇଥିଲା ଓ ପରବର୍ତ୍ତୀ ସମୟରେ ଉପନିର୍ବାଚନରେ ବାଲେଶ୍ବର ଆସନ ପଦ୍ମ ଦଳ ହରାଇଥିଲା । ଏମିତି ସ୍ଥିତିରେ ସୁଶାନ୍ତଙ୍କ ‘୧୨୫’ ରାମମନ୍ଦିର ଆଖଡ଼ା ନେତାଙ୍କୁ କୁଆଡ଼େ ବଡ଼ ବିବ୍ରତ କରିଛି ।