ସମସ୍ତଙ୍କୁ ଧନ୍ୟବାଦ ଦେଲେ, ଡଟଫେଷ୍ଟରେ ମେୟରଙ୍କ କଥା କାହିଁକି ଭୁଲିଗଲେ ବିଧାୟକ ?

କାଲି ଅନୁଷ୍ଠିତ ହୋଇଯାଇଛି ଡଟ ଫେଷ୍ଟ କାର୍ଯ୍ୟକ୍ରମ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ସଭମଞ୍ଚରେ ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଉଷା ଦେବୀ, ମେୟର ସୁଲୋଚନା ଦାସ, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ଆରମ୍ବରେ ସମସ୍ତେ ନିଜ ବକ୍ତବ୍ୟ ରଖିଥିଲେ। କିନ୍ତୁ ଭାଷଣରେ ବି ରାଜନୀତିର ଗନ୍ଧ ଟିକେ ଟିକେ ବାରି ହୋଇପଡୁଥିଲା। ଆମେ କହୁଛୁ ଭୁବନେଶ୍ୱର ମଧ୍ୟ ଅନନ୍ତ ନାରାୟଣ ଜେନାଙ୍କ କଥା। ନିଜ କଥା ଆରମ୍ଭରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ଏଭଳି ଆୟୋଜନ ପାଇଁ ସାଧୁବାଦ ଜଣାଇଥିଲେ । ବିଡିଏ ଭିସି ଓ ବିଏମସି କମିଶନରଙ୍କ ପରିଶ୍ରମ ପାଇଁ ପ୍ରଶଂସା ରେ ପୋତି ପକାଇଥିଲେ। ହେଲେ ସହରକୁ ସୁନ୍ଦର କରିବାର ଶ୍ରେୟ ଥରୁଟିଏ ବି ମେୟର ସୁଲୋଚନା ଙ୍କୁ ଦେଇନଥିଲେ ଅନନ୍ତ । ଧନ୍ୟବାଦ ଲିଷ୍ଟ ରେ ଉପରୁ ତଳ ସମସ୍ତଙ୍କ ନାଁ ଥିଲେ ବି ମେୟରଙ୍କ ନାଁ ନଥିଲା। ଏହିଥିରୁ ବିଧାୟକ ଓ ମେୟରଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ବେଶ ଭଲ ଭାବେ ବାରି ହୋଇପଡୁଥିଲା। ଅବଶ୍ୟ ଏ ବିଷୟରେ ରାଜଧାନୀ ବାସୀ ଅଳ୍ପେ ବହୁତେ ଅବଗତ ଅଛନ୍ତି। ମେୟର ଯାହା କରନ୍ତି, ବିଧାୟକ ତାହାକୁ ପରୋକ୍ଷରେ ଅଳ୍ପେ ବହୁତେ ବିରୋଧ କରନ୍ତି । ଗୋଟିଏ ଦଳରେ ଥାଇ ମଧ୍ୟ ଜଣେ ଅନ୍ୟ ଜଣଙ୍କ ବିରୋଧରେ ଖୁର ଚଳାନ୍ତି । ତେବେ ସାରା ଓଡିଶାର ଲୋକେ ଡଟ ଫେଷ୍ଟ ଆୟୋଜନ ଦେଖୁଥିବା ବେଳେ ଏଠାରେ ଶସ୍ତା ରାଜନୀତିକୁ ନିନ୍ଦା କରିଛନ୍ତି ରାଜନୈତିକ ସମୀକ୍ଷକ ।
ଅନ୍ୟପଟେ ଡଟ ଫେଷ୍ଟ ଦେଖିବାକୁ ପ୍ରବଳ ଲୋକଭିଡ ହୋଇଛି। ସହର ର ସୌନ୍ଦର୍ଯ୍ୟକରଣ ଦେଖିବା ସହ ସେଲ୍ଫି ନେଉଛନ୍ତି ଟୁଇନ ସିଟି ବାସିନ୍ଦା । ଚାରିଆଡେ ହକି କ୍ରେଜ। ବିଦେଶୀ ମଧ୍ୟ ହକି ର ଦିୱାନା ହୋଇଛନ୍ତି। ଡଟ ଫେଷ୍ଟ ସାଙ୍ଗକୁ ଶିଶିର ସରସ ରେ ବି ପ୍ରବଳ ଭିଡ ଦେଖିବାକୁ ମିଳିଛି । ଖାଦ୍ୟର ସମ୍ଭାର ସାଙ୍ଗକୁ ମିଳିବ ମନୋରଞ୍ଜନର ଭରପୁର ଖୋରାକ୍ । ଏକାମ୍ର ହାଟରେ ଶତାଧିକ ଫୁଡ଼ ଷ୍ଟଲ ସହ ମିଶନ ଶକ୍ତି, ହସ୍ତତନ୍ତ, ହସ୍ତଶିଳ୍ପ, ଓଡ଼ିଆଙ୍କ ନିଜସ୍ବ ପ୍ରଡ଼କ୍ଟ ପ୍ରଦର୍ଶୀତ ହେବ । ନାଇଟ ଫ୍ଲି ମାର୍କେଟ ସହିତ ଚାଲିବ ଏକାମ୍ର ଓ୍ବାକସ୍ ।