ରାଣୀ ଇରାନୀଙ୍କୁ ପାଣି ପିଆଇଥିବା ନୟାଗଡ଼ ତରୁଣଙ୍କୁ ମାନିବାକୁ ପଡିବ

arun sahoo

ବ୍ରାଓଫାଇଲମ୍ ବୋଲି ପ୍ରଜାତିର ଗୁଳ୍ମକୁ ଉପକୂଳ ଓଡ଼ିଶାରେ ଅମରପୋଇ ବୋଲି କହନ୍ତି। ପଶ୍ଚିମ ଓଡ଼ିଶାରେ ଏହି ପ୍ରଜାତିର ଗୁଳ୍ମ ପତରଗଜା ନାମରେ ନାମିତ। ନୟାଗଡ଼ ମଣି ତରୁଣ ଅରୁଣ କୁଆଡ଼େ ସେହି ପତରଗଜା ପ୍ରଜାତିର ବୋଲି ତାଙ୍କ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଯେଉଁଠି ଯେମିତି ଛିଡ଼ାଇ ପକାଇ ଦେଲେ ବି ଅମରପୋଇ ପରି ଚେର ବାହାରକରି ଶାଖା ପ୍ରଶାଖା ମେଲାଇଦେବାର କଳା ଓ କୃତିତ୍ବ ତାଙ୍କଠାରେ ପରିପୂର୍ଣ୍ଣ ଥିବା ଅନେକ କହନ୍ତି । ରାଜନୀତିରେ ପାଦ ଦେବା ଦିନଠାରୁ ତାଙ୍କ ପଛରେ ଢ଼େର ଲୋକ ହାତ ଧୋଇ ପଡ଼ିଛନ୍ତି। ହେଲେ କେଉଁ ଛଟକରେ ସେମାନଙ୍କୁ ପଛରେ ପକାଇ ଅରୁଣ ଆଗକୁ ବଢ଼ିଛନ୍ତି କେହି ତା’ର ସୁରାକ ସୁଦ୍ଧା ପାଇ ନାହାନ୍ତି। 

ରାମମନ୍ଦିର ଆଖଡ଼ା କୁସ୍ତିଆଳ ଆଉ ମାଷ୍ଟରକ୍ୟାଣ୍ଟିନ ମଠ ଚେଲାଏ ବିଭିନ୍ନ ପ୍ରସଙ୍ଗରେ ତାଙ୍କୁ ଖାଉଡ଼ରେ ପକାଇବାକୁ ଢ଼େର ଚେଷ୍ଟା କରିଛନ୍ତି, ଅନେକ ତାଙ୍କୁ ନିନ୍ଦିତ କରି ଚେର କାଟିବାକୁ ଷଡ଼ଯନ୍ତ୍ର କରିଛନ୍ତି । ହେଲେ ଅରୁଣଙ୍କୁ ଫାନ୍ଦରେ ପକାଇବାକୁ କେହି ସକ୍ଷମ ହୋଇ ନାହାନ୍ତି। ଏକ ସମୟରେ ସବୁ ବାଧାବିଘ୍ନକୁ ଅତିକ୍ରମ କରି ରାଣୀ ଆଉ ଇରାନୀଙ୍କୁ ପାଣି ପିଆଇ କୃଷି ଆଉ ଉଚ୍ଚଶିକ୍ଷା ପରି ଦୁଇ ଦୁଇଟା ଗୁରୁତ୍ବପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇଗଲେ।

ଏବେ ସିନା ମନ୍ତ୍ରୀ ପଦ ନାହିଁ, ତଥାପି ନିଜ ଅଞ୍ଚଳରେ ଅରୁଣ ବେଶ ସକ୍ରିୟ । ସୋସିଆଲ ମିଡ଼ିଆରେ ବି ଏହି ସକ୍ରିୟତାର ଖବର ରାଜଧାନୀର ‘କିଶୋର ମଟନ’ଠାରୁ ବେଶୀ ବେଳେବେଳେ ବେଶୀ ଭାଇରାଲ ହେଉଥିବା କେହି କେହି କହୁଛନ୍ତି । ତେବେ ଯାହା କୁହନ୍ତୁ ନା କାହିଁକି ଅରୁଣ ସାହୁଙ୍କ ଠୁ ରାଜନେତା କିଛି କିଛି ଶିଖିବା ଦରକାର ।

Share this story