କାଲି ଫଳାଫଳ, ତା ପୂର୍ବରୁ ବିଜେପି ଦୁଇ ଫାଳ
ଆସନ୍ତା ୮ ତାରିଖରେ ପଦ୍ମପୁରରେ ଭୋଟ ଗଣତି ହେବ । ଏହାପୂର୍ବରୁ ପଦ୍ମପୁର ଉପନିର୍ବାଚନରେ ଜନମତ ବିଜେଡି ସପକ୍ଷରେ ଯିବ ବୋଲି ପୂର୍ବାନୁମାନ କରିଛନ୍ତି ଖୋଦ୍ ବିଜେପି ଓ କଂଗ୍ରେସ ନେତା। ନିଜ ଦଳର ପ୍ରାର୍ଥୀମାନେ ଭୋଟରଙ୍କର ଆସ୍ଥାଭାଜନ ହୋଇ ପାରିନାହାଁନ୍ତି, ଯାହାଫଳରେ ବିଜେଡି ପଦ୍ମପୁରରେ ବିଜୟ ଲାଭ କରିବ ବୋଲି ବିରୋଧୀ ନେତାମାନେ ମତପୋଷଣ କରିଛନ୍ତି। ବିରୋଧୀ ନେତାଙ୍କର ଏଭଳି ମନ୍ତବ୍ୟ ବିଜୟ ଆଶାୟା ବିଜେଡି ଶିବିରକୁ ଆହୁରି ଉତ୍ସାହିତ କରିଛି । ବିଧ୍ଵବଦ୍ଧ ଫଳାଫଳ ଘୋଷଣା ପୂର୍ବରୁ ବିରୋଧୀ ବିଜେଡି ନିକଟରେ ଆତ୍ମସମର୍ପଣ କରିଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ମନେ କରୁଛନ୍ତି । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ କହିଛନ୍ତି ଯେ ପଦ୍ମପୁର ଉପନିର୍ବାଚନରେ ବିଜେଡି ବିଜୟୀ ହେବ। ବିଜେଡି ପଦ୍ମପୁର ଉପନିର୍ବାଚନରେ ଏକତ୍ରିତ ହୋଇ ଲଢ଼ିଛି।
ଅନ୍ୟପକ୍ଷରେ ବିଜେପିରେ ଏକତା ଭାବ ନଥିବା ହେତୁ ପଦ୍ମପୁରରେ ପରାଜୟ ନିଶ୍ଚିତ ହେବ । ଦଳ କାହିଁକି ବାରମ୍ବାର ନିର୍ବାଚନ ହାରୁଛି ତାହା ପଦ୍ମପୁର ଉପନିର୍ବାଚନ ଫଳାଫଳରୁ ବୁଝି ହେବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ଦଳର ତଳସ୍ତରର କର୍ମୀ, ପଦ୍ମପୁରରେ ନିର୍ବାଚନରେ ଲାଗିଥିବା କର୍ମକର୍ତ୍ତାଙ୍କ ମଧ୍ୟରୁ କିଛି ଶ୍ରୀ ସ୍ୱାଇଁଙ୍କ ମନ୍ତବ୍ୟକୁ ସମର୍ଥନ ମଧ୍ୟ କରିଛନ୍ତି । ତେବେ ଖାରବେଳଙ୍କ ମନ୍ତବ୍ୟ ବିଜେପିରେ ସୃଷ୍ଟି କରିଛି ବିଭାଜନ । ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ଖାରବେଳଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଖାରବେଳ ସ୍ବାଇଁ ପଦ୍ମପୁର ପ୍ରଚାରରେ ସାମିଲ ନ ଥିଲେ; ଏପରିକି ସେ ପଦ୍ମପୁର ଯାଇନାହାଁନ୍ତି। ଏଭଳି ସ୍ଥଳେ ଦଳ ସେଠାରେ ନିର୍ବାଚନ ହାରୁଛି କିମ୍ବା ଜିତୁଛି ତାହା ଖାରବେଳ ସ୍ବାଇଁ କହିବା ଆଦୌ ବିଶ୍ୱାସଯୋଗ୍ୟ ହେଉନାହିଁ । ବିଜେପି ପାଇଁ ଯେଉଁମାନେ ପ୍ରଚାର କରୁଥିଲେ ସେମାନେ ଭଲ ଭାବେ ଜାଣିଛନ୍ତି, ଜନମତ ବିଜେପି ସପକ୍ଷରେ ଯିବ । ୮ ତାରିଖରେ ଉପନିର୍ବାଚନ ଫଳାଫଳା ପ୍ରକାଶ ପାଇଲେ ସତ୍ୟ ସାମ୍ନାକୁ ଆସିବ ବୋଲି ପୃଥ୍ବୀରାଜ କହିଛନ୍ତି।
ଅନ୍ୟ ପକ୍ଷରେ ପଦ୍ମପୁର ଫଳାଫଳ ପ୍ରକାଶ ପୂର୍ବରୁ କଂଗ୍ରେସ ନିଜର ପରାଜୟ ସ୍ବୀକାର କରିଛି । କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, ପଦ୍ମପୁର ଉପନିର୍ବାଚନରେ ବିଜେଡି ୧ ନମ୍ବର, ବିଜେପି ୨ ନମ୍ବର ସ୍ଥାନରେ ରହିବେ ଓ ୩ନମ୍ବର ସ୍ଥାନ କଂଗ୍ରେସ ଅଧିକାର କରିବ । ଗଲା ନିର୍ବାଚନରେ ବି ସେଇଆ ହୋଇଥିଲା । ପଦ୍ମପୁର ନିର୍ବାଚନ କ୍ଷେତ୍ରରେ ଦଳ କେବଳ କିଛି ଆଦର୍ଶ ଭୋଟ ପାଇବ । କଂଗ୍ରେସ ଦଳକୁ ଭଲ ପାଉଥିବା ଖୁବ୍ କମ୍ ଲୋକ ହିଁ କଂଗ୍ରେସରେ ଭୋଟ୍ ଦେବେ । ଦଳ ସର୍ବାଧୂକ ୨୦ ହଜାର ଭୋଟ୍ ପାଇପାରିବ। କଂଗ୍ରେସ ବାରମ୍ବାର ନିର୍ବାଚନ ହାରୁଥିଲେ ମଧ୍ୟ ସଠିକ ଆତ୍ମସମୀକ୍ଷା କରାଯାଉ ନାହିଁ । ତେବେ ସତକୁ ଗ୍ରହଣ କରିବାରେ କୌଣସି ଦ୍ଵିଧା ରହିବା ଉଚିତ୍ ନୁହେଁ ବୋଲି ଶ୍ରୀରାଉତରାୟ କହିଛନ୍ତି।
ଅନ୍ୟପକ୍ଷରେ ପଦ୍ମପୁର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିରୋଧୀ ଶିବିରରେ କନ୍ଦଳକୁ ନେଇ ରାଜନୈତିକ ସମୀକ୍ଷକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ପ୍ରମୁଖ ବିରୋଧୀ ବିଜେପି ଦଳ ଭିତରେ ନେତୃତ୍ବ ଓ ସମନ୍ବୟର ଅଭାବ ସ୍ପଷ୍ଟ ବାରି ହେଇପଡୁଥିବା ରାଜନୈତିକ ସମୀକ୍ଷକମାନେ ମତପୋଷଣ କରୁଛନ୍ତି।