ପଦଯାତ୍ରାରୁ କେଉଁ ରାଜନେତାଙ୍କୁ ମିଳିଛି ସର୍ବାଧିକ ସଫଳତା, ଜାଣନ୍ତି କି ?

padayatra politics

ଭାରତୀୟ ରାଜନୀତିରେ ପଦଯାତ୍ରାର ଇତିହାସ ଖୁବ୍‌ ପୁରୁଣା । ବହୁ ଜାତୀୟ, ରାଜ୍ୟ ଏପରି କି ତୃଣମୂଳ ସ୍ତରର ନେତାମାନେ ନିଜ ଲୋକ ପ୍ରିୟତା ପ୍ରସାରିତ କରିବା ପାଇଁ ପଦଯାତ୍ରାର ନେଇଛନ୍ତି ସାହାରା। ନେତାଙ୍କ ଭିଡ଼ ଭିତରେ ନିଜକୁ ଜାହିର କରିବା, ଖସି ଯାଉଥିବା ଜନାଧାର ଫେରି ପାଇବା ନହେଲେ ନେତା ଭାବରେ ଆଖପାଖରେ ପରିଚିତ କରିବାକୁ କିଛି ଏକ ବାର୍ତ୍ତା ଧରି ନେତାମାନେ ପ୍ରାୟତଃ କରିଥାଆନ୍ତି ପଦଯାତ୍ରା । କିଛି ପାଇବା ପାଇଁ ହିଁ ସେମାନଙ୍କ ଦ୍ବାରା କରାଯାଇଥାଏ ଏହି କସରତ । ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜାରୀ ଥିବା ଭାରତ ଯୋଡ଼ ଯାତ୍ରାକୁ ନେଇ ପୂରା ଦେଶରେ ବଢ଼ୁଛି ଚର୍ଚ୍ଚା । ଯେଉଁ ପ୍ରକାରର ପ୍ରତିକ୍ରିୟା ତାଙ୍କ ବିରୋଧୀମାନଙ୍କ ପାଖରୁ ଆସୁଛି ସେଥିରୁ ଯାତ୍ରା ପ୍ରଭାବ ପକାଉଥିବା ବୁଝାପଡୁଛି ସଫାସଫା । ରାହୁଲ ପ୍ରଥମ ବଡ଼ ନେତା ନୁହଁନ୍ତି ସ୍ବାଧୀନତା ପରବର୍ତ୍ତୀ ଭାରତର ଯିଏ କରୁଛନ୍ତି ପଦଯାତ୍ରା । ଅନେକେ କରିଛନ୍ତି ସେମାନଙ୍କ ପଦଯାତ୍ରାର ସଫଳତା ଓ ରାଜନୈତିକ ଫାଇଦା କେତେ ଥିଲା ? ଆସନ୍ତୁ ପୂର୍ବରୁ ଥିବା ସେ ପଦଯାତ୍ରା ବିଷୟରେ ଜାଣିବା ।  ଆଜି ଆମେ ତିନୋଟି ପଦଯାତ୍ରା ବିଷୟରେ ଜଣାଇବୁ ଯାହା ରାହୁଲଙ୍କ ଯାତ୍ରା ସହ ଖୁବ୍ ଗୁରୁତ୍ଵ ରଖେ । 

ସଂଖ୍ୟାଧିକ ରାଜନୈତିକ ନେତାଙ୍କ ପଦଯାତ୍ରା ହୋଇସାରିଛି । ତେବେ ଗୋଟିଏ ପରିବାରର ଦୁଇ ପିଢ଼ି ପଦଯାତ୍ରାରୁ ବଡ଼ ସଫଳତା ଜୁଟାଇ ରାଜ୍ୟ ଶାସନର ଡୋରି ପାଇବା କଥା ଆପଣମାନେ ଜାଣନ୍ତି ତ ? ଡାକ୍ତର ୱାଇଏସ୍ ରାଜଶେଖର ରେଡ୍ଡୀ ଓ ତାଙ୍କ ପୁଅ ୱାଇଏସ୍  ଜଗନମୋହନ ରେଡୀ ପଦଯାତ୍ରାରୁ ଯେଉଁ ବିପୁଳ ସଫଳତା ନିର୍ବାଚନୀ ରାଜନୀତିରେ ପାଇଛନ୍ତି ତାହା କେହି ପାଇନାହାନ୍ତି । ୨୦୦୨ -୨୦୦୩ ମସିହା ବେଳେ ଖାଲି ଆନ୍ଧ୍ରପ୍ରଦେଶ ନୁହେଁ ଜାତୀୟ ରାଜନୀତିରେ ପ୍ରଚଣ୍ଡ କ୍ଷମତାଧାରୀ ଥିଲେ ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଥାଇ ଦିଲ୍ଲୀ ଦରବାରରେ ରଖୁଥିଲେ ବଡ଼ ଦବଦବା । ହେଲେ ରାଜଶେଖରଙ୍କ ଗୋଟିଏ ପଦଯାତ୍ରା ଚନ୍ଦ୍ରବାବୁଙ୍କ ସବୁ ଶକ୍ତିକୁ କ୍ଷଣିକେ ଉଡେଇଦେଇଥିଲା । ଆନ୍ଧ୍ର କଂଗ୍ରେସର ବଡ଼ ନେତା ରାଜଶେଖର ଥାଆନ୍ତି ବିରୋଧୀ ଦଳ ନେତା । ଚନ୍ଦ୍ର ବାବୁଙ୍କ ଆତ୍ମ ପ୍ରଚାରକୁ ଲୋକ ମତ ବଦଳାଇବା ପାଇଁ ଲଗାଇଥିଲେ ଧୂରୀଣ ରାଜଶେଖର । ନିଜକୁ ସିଏମ୍ ନୁହେଁ ଆନ୍ଧ୍ରର ସିଇଓ ଭାବେ ବତାଉଥିଲେ ଚନ୍ଦ୍ରବାବୁ । ବଡ଼ ବଡ଼ କମ୍ପାନୀ ପ୍ରତିନିଧି ମଣ୍ଡଳୀକୁ ଭେଟିବା, ବିଦେଶୀ ପ୍ରତିନିଧିଙ୍କୁ ଭେଟିବା ସହ ମେଗା ଆୟୋଜନ ସବୁ କରାଉଥିଲେ ଆନ୍ଧ୍ରରେ । ୨୦୦୨ର ଜାତୀୟ କ୍ରୀଡ଼ା ଏଥିରେ ସାମିଲ ଥିଲେ । ଡହଡହ ଖରା ବେଳେ ୨୦୦୩ ମସିହା ଏପ୍ରିଲ ୯ ତାରିଖରେ ୱାଇଏସ୍ ରାଜଶେଖର ରେଡ୍ଡୀ ଆରମ୍ଭ କରିଥିଲେ ପଦଯାତ୍ରା । ମରୁଡ଼ି ଜନିତ ସମସ୍ୟା ଓ ଚାଷୀଙ୍କ ଦୂରବସ୍ଥା ସହ ସେ ଚନ୍ଦ୍ରବାବୁ ଧନୀ ଲୋକଙ୍କ – କମ୍ପାନୀ ଲୋକଙ୍କ ନେତା ବୋଲି ଗାଁ ଗାଁରେ ବୁଲି ବୁଝାଇଥିଲେ । ରଙ୍ଗାରେଡ୍ଡୀ, ମେଡକ, ନିଜାମାବାଦ, କରିମ ନଗର ଏବଂ ୱାରଙ୍ଗଲ ଭଳି ୧୧ଟି ଜିଲ୍ଲାରେ ସେ କରିଥିଲେ ପଦଯାତ୍ରା। ।

ysr

୬୦ ଦିନରେ ପ୍ରାୟ ୧୫୦୦ କି.ମି. ପଦଯାତ୍ରା କରି ଶତାଧ୍ଵ ଜନସଭା ଏବଂ ଲୋକ ପଞ୍ଚାୟତ କରିଥିଲେ । ୨୦୦୪ ଆନ୍ଧ୍ର ବିଧାନସଭା ନିର୍ବାଚନରେ ରାଜଶେଖରଙ୍କ ଏହି ପଦଯାତ୍ରା ପ୍ରଭାବରେ କଂଗ୍ରେସ ଦଳ ପାଇଥିଲା ପ୍ରବଳ ଜନସମର୍ଥନ । ମୋଟ ୨୯୪ ଆସନରୁ କଂଗ୍ରେସ ଲଢ଼ିଥିଲା ୨୩୪ ଆସନରେ । ଆଉ ୧୮୫ ଆସନ ଜିତି ଫେରିଥିଲା କ୍ଷମତାକୁ । ୯୪ଟି ଅଧିକ ଆସନ ପାଇଥିଲା କଂଗ୍ରେସ । ଚନ୍ଦ୍ରବାବୁଙ୍କ ଦଳ ୧୮୦ ଆସନରୁ ବିପର୍ଯ୍ୟୟର ସାମ୍ନା କରି ଖସି ଆସିଥିଲା କେବଳ ୪୭ ଆସନକୁ । ହରାଇଥିଲା ୧୩୩ ଆସନ । ୨୦୧୯ ମସିହାରେ ବାପାଙ୍କ ସଫଳତାକୁ ଦୋହରାଇଥିଲେ ପୁଅ ୱାଇଏସ୍ ଜଗନ ମୋହନ ରେଡ୍ଡୀ । ବାପାଙ୍କ ନାମରେ ଆଞ୍ଚଳିକ ଦଳ ( ଓ୍ବାଇ ଏସ୍ ଆର କଂଗ୍ରେସ) ଗଢ଼ିସାରିଥିବା ଜଗନ ପଦଯାତ୍ରା କରି ଚନ୍ଦ୍ର ବାବୁଙ୍କୁ ଆଉଥରେ ଗାଦିରୁ କରିଥିଲେ ବିଦା । ୨୦୧୮ ମସିହା ନଭେମ୍ବର ୬ ତାରିଖରୁ ଜଗନ ବାପାଙ୍କ ସମାଧୀପୀଠରେ ଶ୍ରଦ୍ଧାଞ୍ଜଳି ଦେଇ ଆରମ୍ଭ କରିଥିଲେ ପୂଜା ସଂକଳ୍ପ ଯାତ୍ରା । ୧୩ ଜିଲାର ୧୩୫ ବିଧାନସଭା କ୍ଷେତ୍ର ବୁଲିଥିଲେ । ୩୧୪ ଦିନ ପଦଯାତ୍ରାରେ ୩୬୪୮ କି.ମି. ପାର କରି ୨୦୦୩ରେ ପିତା ରାଜଶେଖର ଯେପରି ଇଚ୍ଛାପୁରମରେ  ପଦଯାତ୍ରା ସାରିଥିଲେ ଠିକ ସେୟା ୨୦୧୯ ଜାନୁଆରୀ ୯ ତାରିଖରେ କରିଥିଲେ ଜଗନ । ରାଭାଲି ଜଗନ, କାଭାଲି ଜଗନ ଅର୍ଥ ଜଗନ ଆସିବା ଦରକାର ଓ ଆମେ ଚାହୁଁ । ଜଗନ ଏହି ଦୁଇ ସ୍ଲୋଗାନରେ ଛାଇ ଯାଇଥିଲା । କିଛି ମାସ ପରେ ଅନୁଷ୍ଠିତ ନିର୍ବାଚନରେ ବିପୁଳ ସଫଳତା ପାଇ ଜଗନ ବନିଥିଲେ ମୁଖ୍ୟମନ୍ତ୍ରୀ । ୱାଇଏସ୍‌ଆର କଂଗ୍ରେସ ଆନ୍ଧ୍ର ବିଧାନସଭାରେ ମୋଟ ୧୭୫ ଆସନରୁ ୧୫୧ ସିଟ୍ ଜିତିଥିଲା । ଅଧିକ ୮୪ ଆସନ ପାଇଥିଲା ଦଳ । ଚନ୍ଦ୍ରବାବୁଙ୍କ ତେଲୁଗୁ ଦେଶମ୍ କେବଳ ୨୩ଟି ଆସନରେ ଜିତି ପାରିଥିଲା ୭୯ ଆସନ ହରାଇ । ଏକାଠି ହେଇ ଥିଲା ଲୋକ ସଭା ନିର୍ବାଚନରେ ଜଗନଙ୍କ ଦଳ ଆନ୍ଧ୍ରର ୨୫ ଆସନରୁ ୨୨ ଜିତି ଏକପ୍ରକାର ପୋଛି ନେଇଥିଲେ । 

rahl vhandra sekhar

ହେଲେ ପ୍ରତିଥର ସଫଳ ପଦଯାତ୍ରା ଭାରତୀୟ ରାଜନେତାଙ୍କୁ ନିର୍ବାଚନୀ ସଫଳତା ଦେଇନାହିଁ । ଏହାର ଶ୍ରେଷ୍ଠ ଉଦାହରଣ ହେଲା ଚନ୍ଦ୍ରଶେଖରଙ୍କ ଦ୍ବାରା ୧୯୮୩-୮୪ ରେ କରାଯାଇଥିବା ‘ଭାରତ ଯାତ୍ରା’ । ଭାରତୀୟ ରାଜନୀତିରେ ‘ୟଙ୍ଗ ତୁର୍କ’ ଭାବରେ ଖ୍ୟାତ ପୋଖତ ରାଜନେତା ୧୯୮୩ ବେଳେ ଥାଆନ୍ତି ଜନତା ପାର୍ଟିର ସଭାପତି । ୧୯୮୪ରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଚନ୍ଦ୍ରଶେଖର ‘ଭାରତ ଯାତ୍ରା’ ପଦଯାତ୍ରା କରି ଥିଲେ । ୧୯୮୩ ମସିହା ଜାନୁଆରୀ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ତାଙ୍କ ଯାତ୍ରା ୧୯୮୪ ମସିହା ଜୁନ୍ ୨୫ ତାରିଖରେ ଦିଲ୍ଲୀସ୍ଥିତ ମହାତ୍ମା ଗାନ୍ଧୀଙ୍କ ସମାଧୂ ପୀଠ ରାଜଘାଟରେ ସମାପ୍ତ ହୋଇଥିଲା । ଅଭୂତପୂର୍ବ ଜନସମର୍ଥନ ମିଳିଥିଲା ତାଙ୍କ ପଦଯାତ୍ରାକୁ । ବିନା କିଛି ବ୍ୟବସ୍ଥାରେ ମାତ୍ର ୩୫୦୦ ଟଙ୍କା ଧରି ଚନ୍ଦ୍ରଶେଖର ଆରମ୍ଭ କରିଥିଲେ ଚାଲିବା । ୪୨୦୦ କି.ମି. ଯାତ୍ରା କରି ପହଞ୍ଚିଥିଲେ ରାଜଘାଟରେ । ଶହ ଶହ ଲୋକ ସାମିଲ ହେଉଥିଲେ ରୋଜ । ମହିଳାମାନେ ସୁନା ଚେନ ଓ ମୁଦି କାଢ଼ି ଯାତ୍ରା ଖର୍ଚ୍ଚ ପାଇଁ କରୁଥିଲେ ଦାନ । ଯାତ୍ରା ଶେଷ ହେଲା ବେଳକୁ ୭ ଲକ୍ଷ ଟଙ୍କାର ପୁଞ୍ଜି ବଳିଥିଲା ଚନ୍ଦ୍ରଶେଖରଙ୍କ ପାଖରେ । ବାଟସାରାର ବଡ଼ ବଡ଼ ସଭାରେ ଚନ୍ଦ୍ର ଶେଖର ପରବର୍ତୀ ପ୍ରଧାନମନ୍ତ୍ରୀ ବୋଲି କୁହାବି ଯାଉଥିଲା । ସତ କହିଲେ ହାୱା ବି ବୋହୁଥିଲା ତାଙ୍କ ସପକ୍ଷରେ । ହେଲେ ସବୁ ହାଓ୍ବା ବଦଳିଯାଇଥିଲା ଏକ ବଡ଼ ଅଘଟଣ ପରେ । ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରବର୍ତ୍ତୀ ସ୍ଥିତିରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳ ବିପୁଳ ସଫଳତା ପାଇଥିଲା । ଚନ୍ଦ୍ରଶେଖର ନିଜେ ବି ହାରିଯାଇଥିଲେ ନିର୍ବାଚନ । ଏହାର ୬ବର୍ଷ ପରେ ଅବଶ୍ୟ କଂଗ୍ରେସର ସମର୍ଥନରେ ଅଳ୍ପଦିନ ପାଇଁ ହୋଇପାରିଥିଲେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର । ତେଣୁ ରାହୁଲଙ୍କ ପଦଯାତ୍ରା ଚଲାଇଥିବା ବେଳେ ସଫଳତାକୁ ନେଇ ନିଶ୍ଚିତତା କୁହାଯାଇପାରିବନି । କିଛି ନିର୍ବାଚନ ଆବଶ୍ୟକ ପ୍ରଭାବ ବୁଝିବା ସକାଶେ ।

Share this story