ନିରଞ୍ଜନ କିମ୍ବା ଭକ୍ତ ନୁହେଁ, ମାଷ୍ଟରମାଇଣ୍ଡ ପାଲଟିଲେ ନରସିଂହ

PCC Congres

କିଏ ହେବ ପ୍ରଦେଶ କଂଗ୍ରେସର ସଭାପତି ? ଚୂଡାନ୍ତ ପର୍ଯ୍ୟାୟରେ ନିଷ୍ପତି ! ହାଇ କମାଣ୍ଡ ରାଜ୍ୟ ନେତୃମଣ୍ଡଳୀଙ୍କ ସହ ଆଲୋଚନା ସାରିଛନ୍ତି । ମୁଣ୍ଡ ଉପରେ ଏବେ ଉପ ନିର୍ବାଚନ । ପରେ ପରେ ସାଧାରଣ ନିର୍ବାଚନ । ଯାହାକୁ ନେଇ ସବୁଦଳ ଏବେ ସଂଗଠନ ସଜାଡ଼ିବା ମୁଡ଼ରେ । ସେଇ ଦୃଷ୍ଟି କୋଣରୁ ପିସିସି ବି ପାଇବ ନୂଆ ମୁଖିଆ । ତେବେ ଏହି ରେସରେ ଚର୍ଚ୍ଚାରେ ଥିବା ଶରତ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓ ବିଧାୟକ ମହମ୍ମଦ ମୋକିମଙ୍କ ମଧ୍ୟରୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଯାହାଙ୍କ ଉପରେ ମୋହର ମାରିବେ ସେ ହିଁ ସମ୍ଭବତଃ ପିସିସିର ମଙ୍ଗ ଧରିବେ । ତେବେ ଆସନ୍ତୁ ଜାଣିବା ନରସିଂହ ମିଶ୍ର କିଭଳି ହୋଇପାରନ୍ତି ଗେମ ଚେଞ୍ଜର? 

ପିସିସି ମୁଖିଆଙ୍କ ପାଇଁ ଚାଲିଛି ଚର୍ଚ୍ଚା । ରେସରେ କଂଗ୍ରେସର ବରିଷ୍ଠ ନେତା ଶରତ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓ କଟକ ବାରବାଟୀର ବିଧାୟକ ମହମ୍ମଦ ମୋକିମ । ଏମାନଙ୍କ ମଧ୍ୟରୁ ପିସିସି ପାଇଁ ସବୁଠୁ ଅଧିକ ଫିଟେଷ୍ଟ ବା ଯୋଗ୍ୟ ହେବେ କିଏ ? ଏହାକୁ ଜାଣିବା ପାଇଁ ଆମକୁ ଟିକେ ଫ୍ଲାସ ବ୍ୟାକକୁ ଯିବାକୁ ପଡିବ । ନିକଟରେ ଦିଲ୍ଲୀରେ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକର ଏକ ବିଶେଷ ସୂତ୍ରରୁ ଜଣାପଡିଛି ଯେ ରାହୁଲ ଗାନ୍ଧୀଙ୍କ ସହ ବୈଠକରେ ସାମିଲ ହେବା ପାଇଁ ଯାଇଥିବା ନେତାଙ୍କ ମଧ୍ୟରୁ କେବଳ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ସହ ହିଁ ୩୦ ମିନିଟ କାଳ ଆଲୋଚନା ହୋଇଛି । ରାଜ୍ୟରେ କଂଗ୍ରେସର ସ୍ଥିତି ଏବଂ ଏହାର ନିରାକରଣ ପ୍ରସଙ୍ଗରେ ନରସିଂହ ହିଁ ରାହୁଲଙ୍କୁ ଅବଗତ କରାଇଛନ୍ତି । ତେବେ ରାହୁଲ ଗାନ୍ଧୀ ଓ ନରସିଂହ ମିଶ୍ରଙ୍କ ସହ କଣ ଗୁପ୍ତ ଆଲୋଚନା ହୋଇଛି ତାହା ତ ଭିନ୍ନ କଥା । କିନ୍ତୁ ନରସିଂହଙ୍କ ରାଜନୈତିକ ଗୋଟି ଚାଳନା କାହାକୁ ପିସିସି ମୁଖିଆ ବନାଉଛି ତାରି ଉପରେ ସମସ୍ତଙ୍କ ନଜର ରହିଛି । 

ତେବେ ଚର୍ଚ୍ଚାରେ ଥିବା ଶରତ ପଟ୍ଟନାୟକଙ୍କ କଥା ପ୍ରଥମେ ଦେଖିବା । ଶରତ ପଟ୍ଟନାୟକ ପ୍ରଥମେ ୨୦୦୨ ମସିହାରେ ପିସିସି ଦାୟୀତ୍ୱ ନେଇଥିଲେ । ପରବର୍ତ୍ତୀ ସମୟରେ ଶରତଙ୍କ ପାଖରେ ଆଉ ସେମିତି ଆଖି ଦୃଷ୍ଟିଆ ସଂଗଠନ ହିଁ ନାହିଁ । ଆର୍ଥିକ ବ୍ୟବସ୍ଥାର ଆବଶ୍ୟକତା ଅଛି, ସେଥିରେ ବି ଶରତ ଏତେଟା ସ୍ୱଚ୍ଛଳ ନୁହନ୍ତି । ଏହା ଛଡା କୌଣସି ପ୍ରସଙ୍ଗରେ ବି ରାଜ୍ୟସରକାରଙ୍କୁ ବିରୋଧୀ ନେତା ହିସାବରେ ସେଭଳି କଡା ସମାଲୋଚନା କରି ଚର୍ଚ୍ଚାରେ ଆସିପାରିନାହାନ୍ତି । ଆଉ ବର୍ତ୍ତମାନର ଡିଜିଟାଲ ଯୁଗରେ କର୍ମୀ କେତେ ଦୂର ଏଭଳି ନେତାଙ୍କୁ ଗ୍ରହଣ କରିବେ ତାହା ସବୁଠାରୁ ବଡ଼ ପ୍ରଶ୍ନ ? ଅନ୍ୟପଟେ ବର୍ତ୍ତମାନର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓ ପୂର୍ବତନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ କଂଗ୍ରେସ ଛାଡିବା ପରେ ପଶ୍ଚିମ ଓଡିଶାରୁ କଂଗ୍ରେସରୁ ପ୍ରତିନିଧିତ୍ବ କରୁଥିବା ହେବିୱେଟ ନେତାଙ୍କ ମଧ୍ୟରେ ନରସିଂହ ମିଶ୍ର ହିଁ ଏବେ ଆଗରେ ଅଛନ୍ତି । ଯଦି ଶରତ ପଟ୍ଟନାୟକ ପିସିସି ଦାୟୀତ୍ୱ ନିଅନ୍ତି ତାହାଲେ ନରସିଂହ କେତେଦୂର ସହମତି ପ୍ରକାଶ କରିବେ ତାହା ସନ୍ଦେହ ଘେରରେ । କିନ୍ତୁ ଲୋକେ ଯେହେତୁ ଏବେ ପରିବର୍ତ୍ତନ ଚାଁହୁଛନ୍ତି ଆଉ ପଶ୍ଚିମ ଓଡ଼ିଶାରେ କଂଗ୍ରେସର ସ୍ଥିତି ଯେହେତୁ ଉପକୂଳ ଅପେକ୍ଷା ଭଲ ଅଛି ତେଣୁ ଶରତଙ୍କ ହାତରେ ପିସିସି ଦାୟିତ୍ୱ ଦିଆଯାଇପାରେ । 

 ଦ୍ଵିତୀୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ କଥା । ଭକ୍ତ ଦାସ ଏବେ ହାଇକମାଣ୍ଡଙ୍କ ଗୁଡ଼ ବୁକରେ ଅଛନ୍ତି । ଖାସ ସେଥିପାଇଁ ଦୁଇଟି ରାଜ୍ୟର ପ୍ରଭରୀ ଦାୟୀତ୍ୱରେ ବି ଅଛନ୍ତି । ପଶ୍ଚିମ ଓଡିଶାରେ ହେଉ ନା କାହିଁକି ତାଙ୍କର ଏକ ସଂଗଠନ ରହିଛି । କେନ୍ଦ୍ରମନ୍ତ୍ରୀ ଥିବାବେଳେ ବହୁ ଉପକୂଳ ନେତାଙ୍କ ସହ ବି ସମ୍ପର୍କ ରଖିପାରିଛନ୍ତି ଭକ୍ତ। ଉଭୟ ସରକାରଙ୍କୁ ସମାଲୋଚନା କରିବା କ୍ଷେତ୍ରରେ ହେଉ ଅବା ଆର୍ଥିକ ଦୃଷ୍ଟି କୋଣରୁ ସଂଗଠନକୁ ଏକ ମଜବୁତ ସ୍ଥିତିରେ ଆଗକୁ ନେବାରେ ଭକ୍ତ ଅନ୍ୟ ଜଣେ ଯୋଗ୍ୟ ନେତା ହୋଇପାରନ୍ତି । ତେବେ ସେହି ସମାନ କଥା ନରସିଂହ କେତେ ଦୂର ଗ୍ରୀନ ସିଗ୍ନାଲ ଦେବେ ତାହାରି ଉପରେ ଲାଗୁଛି ପ୍ରଶ୍ନ ଚିହ୍ନ ?  

mahamd mokim

ଶେଷରେ ମହମ୍ମଦ ମୋକିମଙ୍କୁ ନେଇ ହେଉଛି ଅନେକ ଚର୍ଚ୍ଚା । ବର୍ତ୍ତମାନ କଂଗ୍ରେସ ବିଧାୟକଙ୍କ ଦାବି ଅନୁସାରେ ମୋକିମଙ୍କ ଚେହେରା ଏବେ ଅଧିକ ଚକଚକ କରୁଛି । ତାହା ଛଡା ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋକିମ ରାଜ୍ୟ ସରକାରଙ୍କୁ  କଡା ସମାଲୋଚନା କରି ଅନେକ କର୍ମୀଙ୍କ ହୃଦୟରେ ରହିପାରିଛନ୍ତି । ସଙ୍ଗଠନକୁ ଆଗକୁ ନେବାକୁ ହେଲେ କର୍ମୀଙ୍କୁ ଉତ୍ସାହିତ କଲା ଭଳି ରାଜନୀତି କରିବା ପରିସ୍ଥିତିରେ ବି ମୋକିମ ପଛରେ ନାହାନ୍ତି । ହଁ ଏତେବଡ଼ ସଂଗଠନ ମୋକିମଙ୍କ ହାତରେ ନଥାଇ ପରେ କିନ୍ତୁ ଚର୍ଚ୍ଚାରେ ଥିବା ଅନ୍ୟ ନେତାଙ୍କ ତୁଳନାରେ ମୋକିମ ବି ଯେକୌଣସି ଆଖି ଦୃଷ୍ଟିଆ କାର୍ଯ୍ୟକ୍ରମ କରିବାରେ ସକ୍ଷମ ଏଥିରେ କୌଣସି ସନ୍ଦେହ ନାହିଁ । ଅନ୍ୟ ପଟେ କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର ରାହୁଲଙ୍କୁ ରାଜ୍ୟର ସ୍ଥିତି ସମ୍ପର୍କରେ ଭଲ ଭାବେ ବୁଝାଇ ପାରିଛନ୍ତି । ଆଉ ରାହୁଲ ଯଦି ନରସିଂହଙ୍କ କଥାକୁ ଗୁରୁତ୍ୱର ସହ ନେବେ ତାହାଲେ କଟକ ବାରବାଟୀର ବିଧାୟକ ମହମ୍ମଦ ମୋକିମ ହିଁ ପିସିସି ମୁଖିଆ ହେବେ ଏଥିରେ କିଛି ବି ସନ୍ଦେହ ନାହଁ । ତେବେ ଏ ସବୁ ବିଚାର ବିମର୍ଶ ପରେ ବି ସବୁ କିଛି ନିର୍ଭର କରୁଛି ଦଳର ହାଇ କମାଣ୍ଡଙ୍କ ଉପରେ । 

Share this story