ବାଦିପାଲା ଓ ସଂକୀର୍ତ୍ତନ ରୁ ଓଡିଶା କଂଗ୍ରେସ କୁ ମିଳୁଛି କି ଫାଇଦା ?
୨୪ରେ ନିଶ୍ଚିହ୍ନ ହେବକି କଂଗ୍ରେସ । ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ଫେଲ ମାରିବା ପରେ ଏବେ ଦଳ ହାଇକମାଣ୍ଡ ହାତକୁ ଅନାଇଛନ୍ତି ରାଜ୍ୟ କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ତାଲିକାରେ ଓଡିଶାକୁ ସାମିଲ କରାଯାଇନାହିଁ । ଏଥିରୁ ଯାହା ସ୍ପଷ୍ଟ ହେଉଛି କଂଗ୍ରେସ ହାଇକମାଣ୍ଡ ଓଡିଶା ଦଖଲ ପାଇଁ ଇଚ୍ଛୁକ ନାହାନ୍ତି । ଅନ୍ୟପଟେ କଂଗ୍ରେସର ବରିଷ୍ଠ ଓ ଅଭିଜ୍ଞ ନେତା ଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ବେଶ ସକ୍ରିୟ ନଥିବା ସ୍ପଷ୍ଟ ହେଉଛି । ରାହୁଲଙ୍କ ସାଙ୍ଗରେ ତା' ଥେଇଆ ତା ଥେଇଆ କରିବା ଅପେକ୍ଷା ଏଇଠି ସଂକୀର୍ତ୍ତନ କରିବା ଭଲ । ଦେଖାଯାଉ ଏହି ସଂକୀର୍ତ୍ତନରୁ ହାତ ଦଳକୁ ଫାଇଦା ହଉଛି କେତେ ? ରାହୁଲ ଧରି ନେଇଛନ୍ତି ଯେ, ଓଡ଼ିଶାରେ କଂଗ୍ରେସ ଦୂବ ଜମାରୁ କଅଁଳିବ ନାହିଁ । ଭାଇ- ବନ୍ଧୁ ମୁଖିଆଙ୍କୁ ଘେରିବା ଅବସ୍ଥାରେ ହାଇକମାଣ୍ଡ କେବେ ବି ନଥିଲେ ଆଜି ବି ନାହାଁନ୍ତି । କାଇଁକି ଅକଥାରେ ଅର୍ଥ ଖର୍ଚ୍ଚ କରି ଶରୀର ପୀଡାକୁ ଆମନ୍ତ୍ରଣ କରିବେ । ଆମକୁ ଲାଗୁଛି ଯେ, ଆଉ ଇଲେକସନ୍ ବେଳକୁ ରାହ୍ନନ ଓଡ଼ିଶାରେ ପ୍ରଚାର ବି କରି ନପାରନ୍ତି । ତାଙ୍କ ପରଫରୁ ଜୟରାମ କିମ୍ବା ବିଗବିକ୍ରୟ ଥୋକ ପକାଇବା ପାଇଁ ଘେରାଏ ଦିଘେରାଏ ବୁଲିଗଲେ ଯଥେଷ୍ଟ ।
ରାହୁଲ ଭାରତ ଯୋଡୋ ନାଁ ରେ ଆସନ ଯୋଡିବା ପାଇଁ ଚେଷ୍ଟା କରୁଛନ୍ତି । ଲାଭ କ୍ଷତି ୨୪ ବେଳକୁ ଜଣାପଡିବ। ଓଡ଼ିଶାରେ କିନ୍ତୁ ଆସନ ଯୋଡିବା ଚକ୍କରରେ ନାହାଁନ୍ତି ରାହୁଲ । ତେଣୁ ଏଠାରେ ଭାରତ ସହ ଯୋଡିବା ଅଭିଯାନ ଦରକାର ନାହିଁ ବୋଲି ଧରି ନେଇଛନ୍ତି । କିନ୍ତୁ କାଳେ ଲୋକେ ଭାବିବେ ଯେ, ଓଡ଼ିଶାଟା ବୋଧେ ଭାରତ ଭିତରେ ନାହିଁ, ସେଥି ପାଇଁ ଓଡ଼ିଶା ମାର୍କ ଭାରତ ଯୋଡେ ଅଭିଯାନ ଆରମ୍ଭ କରିବାକୁ ଯାଉଛି କଂଗ୍ରେସ । ଏଇକଥା ଜଣେଇବା ପାଇଁ ରମେଶ ଓ ବିଜୟ ଖାସ୍ ଆସିଥିଲେ ଭୁବନେଶ୍ଵର । ଲୋକେ ସନ୍ଦେହ କରିବେ ଯେ, ଏଠାରେ ମୁଖିଆ ଶାସନ କରୁଛି ବୋଲି ରାହୁଲ ଭାରତ ସହ ଓଡ଼ିଶାକୁ ଯୋଡିବା ଲାଗି ଚାହୁଁନାହାଁନ୍ତି । ତେଣୁ ଚାଲ ଏଠି ବି ଗୋଟେ ସେମିତି ଯାତ୍ରା ଆରମ୍ଭ କରିଦେଲେ କ୍ଷତି କ'ଣ ? ରାଜ୍ୟ ନେତାଙ୍କ ପାଇଁ ତୀର୍ଥ ତ ଏଇଠି ।
ଶହେ ଦିନ ଧରି ଶରତ, ବାହିନୀ ଚାଲିବେ ଓଡ଼ିଶା ସାର। ୨୧ଟା ଯାକ ଲୋକ ସଭା ଆସନକୁ ଭାରତ ସହ ଯୋଜିବା ପାଇଁ ଚେଷ୍ଟା କରିବେ ରାଜ୍ୟ ନେତାମାନେ। ଯେଉଁଠି ନିଜେ ଶରତ ଅମାନତ ହରାଇଥିଲେ ତାକୁ ମଧ୍ୟ ଯୋଡିବା ଲାଗି ଜବରଦସ୍ତ ଚେଷ୍ଟା ହବ । ଲୋକେ ବାରମ୍ବାର ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବା ପଛର ଅସଲ କାରଣଟିକୁ କଂଗ୍ରେସ ନେତୃତ୍ୱ ଏଯାଏ ଆବିଷ୍କାର କରିପାରିନାହାନ୍ତି । ଏହି ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ସେମାନଙ୍କର ଆଗ୍ରହ ବି ନାହିଁ । ଅନ୍ୟପଟେ ଯେତେ ଦିନ ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସର ତୋ ମାନେ ମୁଖିଆଙ୍କୁ ଛାଡି ମୋଦୀଙ୍କୁ ଟାର୍ଗେଟ କରୁଥିବେ ସେତେ ପର୍ଯ୍ୟନ୍ତ ଯେତେ ପଦଯାତ୍ରା କଲେ ମଧ୍ୟ ଓଡିଶାକୁ କଂଗ୍ରେସ ଫେରିବା ଅସମ୍ଭବ ହୋଇ ରହିବ ।