ଶେଷଥର ପାଇଁ ଓଡିଶା ଆସିଥିଲେ ନେହେରୁ, ହେଲେ ହଠାତ କାହିଁକି ତାଙ୍କୁ ଦିଲ୍ଲୀ ଯିବାକୁ ପଡିଲା ?
ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ଓଡ଼ିଶାରେ ଜାତୀୟ କଂଗ୍ରେସର ଅଧିବେଶନ ଅନୁଷ୍ଠିତ ହେବାପାଇଁ ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହୋଇସାରିଥିଲା। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ୧୯୩୨ ମସିହା ଏପ୍ରିଲ ମାସରେ କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହେବା ନିମନ୍ତେ ସମସ୍ତ ପ୍ରକାର ଆୟୋଜନ କରାଯାଇଥିଲା। ବ୍ରିଟିଶ ସରକାର ସେତେବେଳେ କଂଗ୍ରେସ ଅନୁଷ୍ଠାନକୁ ବେଆଇନ ଘୋଷଣା କରିଦେବାରୁ ଅଧିବେଶନ ବସିବା ବାତିଲ ହୋଇଯାଇଥିଲା । ଯାହାହେଉ, ବିଜୁ ପଟ୍ଟନାୟକଙ୍କ ଉଦ୍ୟମ ଫଳରେ ଏହି କଂଗ୍ରେସ ଅଧିବେଶନ ୧୯୬୪ ମସିହା ଜାନୁଆରି ମାସରେ ଅନୁଷ୍ଠିତ ହେଲା । ଏହି ଅଧିବେଶନ ଭୁବନେଶ୍ବରଠାରେ ବସୁଥିବାରୁ ଜନସାଧାରଣ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଥିଲା।
ଏହି ଅଧିବେଶନ ଉପଲକ୍ଷେ ଭୁବନେଶ୍ଵର ରେଳଷ୍ଟେସନର ସୌନ୍ଦର୍ଯ୍ୟକରଣ ହେଲା। ଏହି ଅଧିବେଶନଟି ଭୁବନେଶ୍ଵରର ଆଠ ନମ୍ବର ୟୁନିଟ୍ରେ ଅନୁଷ୍ଠିତ ହୋଇଥିଲା । ଏହି ଅଞ୍ଚଳରେ ଅନେକ ସରକାରୀ ଗୃହ ନିର୍ମାଣ କରାଯାଇ ଓଡ଼ିଶାରେ କଂଗ୍ରେସର ପ୍ରତିଷ୍ଠାତା ତଥା ବିଶିଷ୍ଟ ଜାତୀୟବାଦୀ ନେତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନାମରେ ଏହାକୁ ଗୋପବନ୍ଧୁ ନଗର ନାମରେ ନାମିତ କରାଗଲା। ଏହିସବୁ ସରକାରୀ ଘରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କର୍ମୀ ତଥା ପ୍ରତିନିଧିମାନେ ଅବସ୍ଥାପିତ ହେଲେ । ପରେ ପରେ ସେହି ସରକାରୀ ବାସଗୃହଗୁଡିକ ସରକାରଙ୍କୁ ଆବଣ୍ଟନ କରାଗଲା । ଏବେ ବି ସେହି ଘର ଗୁଡିକରେ ସରକାରୀ କର୍ମଚାରୀମାନେ ରହୁଛନ୍ତି ଓ ଏହି ଅଞ୍ଚଳଟି ଗୋପବନ୍ଧୁ ନଗର ଭାବରେ ସୁପରିଚିତ । ଏହି ଅଧିବେଶନ ଉପଲକ୍ଷେ ଏକ ବିରାଟ ଶୋଭାଯାତ୍ରା ଭୁବନେଶ୍ଵର ରେଳ ଷ୍ଟେସନଠାରୁ ବାହାରି ସଭାସ୍ଥଳକୁ ଯାଇଥିଲା। ଏପରି ବିରାଟ ଶୋଭାଯାତ୍ରା କେବେ ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇ ନଥିବା ଜଣାଯାଏ।
ଏହି କଂଗ୍ରେସ ଅଧିବେଶନ ପୂର୍ବରୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କଦ୍ବାରା ଟିକରପଡା ନଦୀ ବନ୍ଧ ଯୋଜନାର ଶୁଭ ପ୍ରଦାନ ଓ ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏହି କଂଗ୍ରେସ ଅଧିବେଶନ ଥିଲା ଏକ ଐତିହାସିକ ଅଧିବେଶନ। ଭାରତର କୋଣ ଅନୁକୋଣରୁ ବହୁ କଂଗ୍ରେସ କର୍ମୀ ତଥା କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଏଥିରେ ଯୋଗଦାନ କରିଥିଲେ। ଏହା ଥିଲା ପଣ୍ଡିତ ଜବାହାରଲାଲ ନେହେରୁଙ୍କ ପାଇଁ ଶେଷ ଓଡ଼ିଶା ଗସ୍ତ। କାରଣ ଜାନୁଆରି ମାସ ୬ ତାରିଖ ସକାଳ ଅଧିବେଶନ ବେଳେ ସେ ଖୁବ୍ ପ୍ରଫୁଲ୍ଲ ଥିଲେ । ହଠାତ୍ କ’ଣ ହେଲା କେଜାଣି ସେ ଅସୁସ୍ଥ ଅନୁଭବ କଲେ। ଯାହା ଫଳରେ କି ତାଙ୍କୁ ଅଧିବେଶନ ସ୍ଥାନରୁ ବିଶ୍ରାମପାଇଁ ରାଜଭବନକୁ ନିଆଗଲା। ପରେ ସେ ଭୀଷଣ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଦିଲ୍ଲୀ ନିଆଗଲା। ଚାରିବାଟିଆଠାରୁ ଏକ ସ୍ବତନ୍ତ୍ର ବିମାନରେ ସେ ଦିଲ୍ଲୀ ଚାଲି ଯାଇଥିଲେ। ତାଙ୍କ ଅନୁପସ୍ଥିତରେ କଂଗ୍ରେସ ଅଧିବେଶନ ସମାପ୍ତ ହେଲା। ୧୯୬୪ ମସିହା ମଇମାସ ୨୭ ତାରିଖ ବୁଧବାର ଦିନ ଦିଲ୍ଲୀଠାରେ ତାଙ୍କର ପରଲୋକ ଘଟିଲା । ଗୋଟିଏ ଯୁଗର ଅବସାନ ଘଟିଲା।