ରାଜ୍ୟସଭାରେ ପଦ ଓ ଗୋପନୀୟତାର ଶପଥ ନେଲେ ମାନସ ମଙ୍ଗରାଜ

manash mangaraj

ରାଜ୍ୟସଭା ସାଂସଦ ଭାବେ ଆଜି ଶପଥ ନେଇଛନ୍ତି ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓ । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଉଭୟ ନିଜ ମାତୃଭାଷା ଓଡ଼ିଆରେ ଶପଥ ନେଇଥିଲେ । ଓଡ଼ିଶାରୁ ନିର୍ବାଚିତ ଅନ୍ୟତମ ସାଂସଦ ଡକ୍ଟର ସସ୍ମିତ୍ ପାତ୍ର ଆଜି ଶପଥ ନେଇପାରିନାହାନ୍ତି । ଆସନ୍ତା ସପ୍ତାହରେ ସେ ଶପଥ ନେବେ ।

ଓଡ଼ିଶାରୁ ଖାଲି ହୋଇଥିବା ତିନୋଟି ଆସନରୁ ଏମାନେ ବିଜେଡି ପ୍ରାର୍ଥୀ ଭାବେ ନିଦ୍ୱର୍ନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସେଠାରେ ପୂରା ସମୟ ୬ ବର୍ଷ କାର୍ଯ୍ୟ କରିବେ । ମାନସ ମଙ୍ଗରାଜ ଏବଂ ସୁଲତା ଦେଓ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲା ବେଳେ ଡକ୍ଟର ସସ୍ମିତ୍ ପାତ୍ର ଦ୍ୱିତୀୟ ଥର ନିର୍ବାଚିତ ହୋଇଛନ୍ତି ।

manash mangaraj family

ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଥିବା ମାନସ ମଙ୍ଗରାଜ ଜଣେ ଦକ୍ଷ ଯୁବନେତା ଭାବେ ପରିଚିତ । ଏହାପୂର୍ବରୁ ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ତେବେ ବିଜେଡିର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ଦାୟିତ୍ୱରେ ଏବେ ଅଛନ୍ତି ।

ସାମ୍ବାଦିକରୁ ସଫଳ ରାଜନେତା ହୋଇଥିବା ମାନସ ମଙ୍ଗରାଜ ଉଭୟ ଦଳୀୟ ଏବଂ ସରକାରୀ କାର୍ଯ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ୱାସଭାଜନ ହୋଇପାରିଛନ୍ତି । ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱରକୁ ଆହୁରି ଶାଣିତ କରାଯିବ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି । ଆଜି ଶପଥ ଗ୍ରହଣ କରିଥିବା ଅନ୍ୟତମ ସାଂସଦ ସୁଲତା ଦେଓ ବିଜେଡିର ମୁଖପାତ୍ର ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ତାଙ୍କର ଦକ୍ଷତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁରସ୍କୃତ କରିଛନ୍ତି ।

Share this story