ବିଜେଡିର ଗୁପ୍ତ ବୈଠକ ପଛରେ କାହାର ହାତ ? ଚର୍ଚ୍ଚା ଜୋରଦାର

ଆଗକୁ ୨୪ ମହାଲଢେଇ । ଏଥିପାଇଁ ରାଜ୍ୟରେ ତିନି ଦଳ ପ୍ରସ୍ତୁତିରେ ଲାଗିପଡିଛନ୍ତି । ଆଉ ଏହାକୁ ନେଇ ତିନି ପ୍ରମୁଖ ଦଳ ଅନେକ ପ୍ରସଙ୍ଗକୁ ସାମ୍ନା କରିବେ । କିନ୍ତୁ ଶାସକ ଦଳ ପାଇଁ ଏକ ବଡ ସମସ୍ୟା ଆଗାମୀ ଦିନରେ ମୁଣ୍ଡ ଟେକିବା ଆରମ୍ଭ କଲାଣି । ତେବେ କଣ ଏହି ସମସ୍ୟା ଯାହା ଶାସକ ଦଳ ପାଇଁ ଆଗାମୀ ଦିନରେ ଅସୁବିଧା ସୃଷ୍ଟି କରିବ ଜାଣନ୍ତି କି ?
ବିଜେଡି ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ନିଜର ସାଂଗଠନିକ ଦାୟିତ୍ୱକୁ ସୂଚାରୁ ରୂପେ ପରିଚାଳନା କରୁଛି । ଦେଖିଲେ ଲାଗୁଛି ୨୪ ନିର୍ବାଚନ ପାଇଁ ବିଜେଡି ପୂରା ପ୍ରସ୍ତୁତ ରହିଛି । କିନ୍ତୁ ଏହାରି ଭିତରେ ରାଜନୈତିକ ମହଲରେ ବିଜେଡିକୁ ନେଇ ଏକ ଆଶଙ୍କା ଘନେଇଲାଣି । ହୁଏତ ଆଗାମୀ ଦିନରେ ଏହି ଛୋଟିଆ ସମସ୍ୟା ଏକ ବଡ ବୃକ୍ଷରେ ପରିଣତ ହେବ । ସେ ପ୍ରସଙ୍ଗ ହେଉଛି ଆମଦାନୀ ନେତା ।
ପଂଚାୟତ ନିର୍ବାଚନ ପୂର୍ବରୁ ଅନ୍ୟ ଦଳ ବରିଷ୍ଠ ନେତା ମାନେ ବିଜେଡିରେ ଯୋଗ ଦେଇଥିଲେ । ଆଉ ଏହାକୁ ନେଇ ଆକଳନ କରାଯାଉଥିଲା କି ପଂଚାୟତ ନିର୍ବାଚନରେ ବିଜେଡିକୁ ଫାଇଦା ହେବ । କିନ୍ତୁ କୋରାପୁଟରେ ବିଜେଡିର ଏହି ଗୁରୁମନ୍ତ୍ର କାମ ଦେଲା ନାହିଁ । ବଂର ଆମଦାନୀ ନେତା ପାଇଁ ବିଜେଡିରେ ଗୋଷ୍ଠି କନ୍ଦଳ ବଢିଛି । ଏହି ଗୋଷ୍ଠୀ କନ୍ଦଳର ମୂଳ କାରଣ ହେଉଛି ପୁରୁଖା ନେତାଙ୍କୁ ଅଣଦେଖା ଓ ଦଳଡିଆଁ ନେତାଙ୍କୁ ଗୁରୁତ୍ୱ । ପଂଚାୟତ ନିର୍ବାଚନରେ ନବୀନଙ୍କ ଯାଦୁ କୋରାପୁଟରେ କାମ ନକରିବା ଆଉ ଏବେ ବିଜେଡିରେ ଗୋଷ୍ଠୀ କନ୍ଦଳ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୋରାପୁଟ ବିଜେଡିରେ ଆଗରୁ ଅନେକ ବରିଷ୍ଠ ନେତାଙ୍କ ଭିତରେ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ଗତ କାଲି ଏହି ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଛି । କୋରାପୁଟରେ ବିଜେଡିର ଗୋଟିଏ ଗୋଷ୍ଠୀ ରବିବାର ଦିନ ଏକାଠି ହୋଇ ଗୁପ୍ତ ବୈଠକ କରିଥିଲେ । ଏହି ବୈଠକରେ ନେତୃତ୍ୱ ପରିବର୍ତ୍ତନ ପାଇଁ କିଛି ନେତା ଖୋଲାଖୋଲି ସ୍ୱର ଉଠାଇଥିବା ଜଣାପଡ଼ିଛି । ଜିଲ୍ଲା ବିଜେଡି ସଭାପତି ଏବଂ ଉପସଭାପତିଙ୍କ ଅନୁପସ୍ଥିତିରେ ଏହି ବୈଠକ ଆୟୋଜନ ହେବା ଦଳ ପାଇଁ ଯୋଗାଇଛି ଏକ ନୂଆ ଖୋରାକ ।
ରବିବାର ସକାଳେ କୋରାପୁଟ ଜିଲ୍ଲାର ୫ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀର କିଛି ଜଣାଶୁଣା ତଥା ବରିଷ୍ଠ ବିଜେଡି ନେତା କୋରାପୁଟରେ ଏକାଠି ହୋଇଥିଲେ । ଯୁବ, ଛାତ୍ର ସଂଗଠନର କିଛି ନେତା ମଧ୍ୟ ସେମାନଙ୍କ ସହ ସାମିଲ ହୋଇଥିଲେ । ଦଳର ପୁରୁଖା ତଥା ଦଳ ଆରମ୍ଭ ହେବା ଦିନଠାରୁ ସଂଗଠନ ପାଇଁ କାମ କରୁଥିବା ନେତାଙ୍କୁ ଅଣଦେଖା କରାଯାଉଥିବା ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା । ଅନ୍ୟ ଦଳ ଛାଡ଼ି ଆସି ବିଜେଡିରେ ମିଶୁଥିବା ନେତାଙ୍କୁ ବର୍ତ୍ତମାନ ଗୁରୁତ୍ୱ ଦିଆଯାଉଥିବା ଖୋଲାଖୋଲି ଅଭିଯୋଗ ହୋଇଥିଲା । ଦଳର କିଛି ଛାମୁଆ ନେତାଙ୍କ କାର୍ଯ୍ୟକଳାପକୁ ନେଇ ବି ଅସନ୍ତୋଷ ବ୍ୟକ୍ତ କରାଯାଇଥିବା ଜଣାପଡ଼ିଛି । ଗତ ପଂଚାୟତ ନିର୍ବାଚନ ପୂର୍ବରୁ କୋରାପୁଟର ବହୁ ଟାଣୁଆ କଂଗ୍ରେସ ନେତା ଯେମିତିକି ପୂର୍ବତନ ବିଧାୟକ କୈଳାସ କୁଲେସିକା ଓ ଚନ୍ଦ୍ରଶେଖର ମାଝୀଙ୍କ ସହ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କୁ ବିଜେଡିରେ ମିଶିଥିଲେ । ତେବେ ଏହି ଆମଦାନୀ ନେତାମାନଙ୍କୁ ହାଇକମାଣ୍ଡ ଗୁରୁତ୍ୱ ଦେଇ ପୁରୁଖା ନେତାଙ୍କୁ ଅଣଦେଖା କରୁନାହାନ୍ତି ତ ।
ତେବେ ଏହି ଗୋଷ୍ଠୀ କନ୍ଧଳ ବିଜେଡିରେ ହୋଇଥିବା ଅନେକ ଷଡଯନ୍ତ୍ରର ମଧ୍ୟ ପର୍ଦ୍ଦାଫାସ କରିଛି । ପଂଚାୟତ ନିର୍ବାଚନରେ କୋରାପୁଟକୁ ବିଜେଡିର ଗଡ କୁହାଯାଉଥିବା ବେଳେ ଏଠାରେ କଂଗ୍ରେସ ବାଜିମାତ କରିଥିଲା । ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ବିଜେଡି ସାଂଗଠନିକ ସ୍ଥିତି ଏତେ ମଜବୁତ ଥାଇ ମଧ୍ୟ କାହିଁକି କୋରାପୁଟରେ ପରାଜିତ ହେଲା ବିଜେଡି । ତେବେ ଏହା ପଛରେ ଆମଦାନୀ ନେତା କି ଅସନ୍ତୁଷ୍ଟ ନେତା କିଏ ଅଛନ୍ତି ତାହାକୁ ନେଇ ଏକ ପ୍ରକାର ସନ୍ଦେହ ସୃଷ୍ଟି ହେଉଛି । ତେବେ, ଦଳର ନେତୃତ୍ୱ ବିରୋଧରେ ଏଭଳି ଖୋଲା ଆଲୋଚନା ଚାଲିଥିବାରୁ କିଛି ନେତା ସୁଯୋଗ ଦେଖି ସେହି ବୈଠକରୁ ଚୁପଚାପ୍ ଚାଲି ଆସିଥିବା ଖବର ମିଳିଛି । ଏ ନେଇ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀଙ୍କ ପକ୍ଷରୁ କୌଣସି ସୂଚନା ପାରିନାହାନ୍ତି । ଅନ୍ୟପକ୍ଷରେ ବିଜେଡିର ଯେଉଁ ଗୋଷ୍ଠୀ ଏହି ବୈଠକ କରାଇଥିଲା ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବାକୁ ପ୍ରସ୍ତୁତ ହେଉନାହିଁ । ମାପିଚୁପି ପ୍ରତିକ୍ରିୟା ଦେଉଥିବାରୁ ସନ୍ଦେହକୁ ବଢ଼ାଉଛି ।