ପରଦେଶୀ ବାପା-ପୁଅ ଗ୍ୟାଙ୍ଗ ହଟାଅ : କେନ୍ଦ୍ରାପଡା ବଞ୍ଚାଅ ବ୍ୟାନର ରେ ଛାଇଗଲାଣି ସହର

sasi behera

ପୁଣି ଆଉଜଣେ ବିଜୁ ଜନତା ଦଳ ବିଧାୟକ ଆଭ୍ୟନ୍ତରୀଣ ବିଦ୍ରୋହର ସାମ୍ନା କରୁଛନ୍ତି । ପୂର୍ବରୁ ମୋରଡ଼ା ବିଧାୟକ ରାଜକିଶୋର ଦାସ, ବାଙ୍ଗିରୀପୋଷି ବିଧାୟକ ସୁଦାମ ମାରାଣ୍ଡିଙ୍କ କଥା ଉଲ୍ଲେଖ କରିଥିଲୁ। ଏବେ ଯେଉଁ ବିଧାୟକ ଜଟିଳ ପରିସ୍ଥିତିର ସାମ୍ନା କରୁଛନ୍ତି ସିଏ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା। 

କେନ୍ଦ୍ରାପଡ଼ା ସହର ସାରା ଛାଇ ହୋଇଯାଇଛି ବାପ-ପୁଅ ବିରୋଧୀ ବ୍ୟାନର । ଶଶି ପୁରୁଖା ନେତା । କିନ୍ତୁ ଅତ୍ୟଧିକ ପୁତ୍ର ମୋହ ଯୋଗୁଁ  ପଡ଼ିଛନ୍ତି ନିଜ ଦଳର ନେତା ଓ କର୍ମୀଙ୍କ ଆକ୍ରୋଶରେ । ଦିନକୁ ଦିନ ବଢ଼ୁଛି ଅଡୁଆ । ଆସନ୍ତା ନିର୍ବାଚନ ବେଳକୁ ବିସ୍ଫୋରକ ରୂପ ନେବା ଥୟ । ହୁଏତ ତାଙ୍କୁ ଟିକଟ ମଧ୍ୟ ମିଳି ନପାରେ । 

ମାତ୍ର କିଛିଦିନ ତଳେ ଶଶି ଭୂଷଣ କେନ୍ଦ୍ରାପଡ଼ାର ବଗଡ଼ା, ଇନ୍ଦୁପୁର ଓ ନିକିରାଇ ପ୍ରଭୃତି ସ୍ଥାନକୁ ସଭା
ସମିତିରେ ଯୋଗ ଦେବାକୁ ଯାଇଥିବାବେଳେ ଅଣ୍ଡା ମାଡ଼ ହୋଇଥିଲା। ଏହି ଅଣ୍ଡା ମାଡ଼ ପଛରେ ଅନ୍ୟ କୌଣସି ଦଳ ନୁହେଁ, ତାଙ୍କ ନିଜ ଦଳର ଅସନ୍ତୁଷ୍ଟମାନଙ୍କର ହାତ ଥିଲା। କିନ୍ତୁ ନବବର୍ଷ ଅବସରରେ ବିଧାୟକଙ୍କୁ ଅଭିନବ ଉପାୟରେ ଟାର୍ଗେଟ କରାଯାଇଛି । ସର୍ବସାଧାରଣ ସ୍ଥାନରେ ଲଗାଯାଇଛି ବଡ଼ ବଡ଼ ବ୍ୟାନର । ବିଧାୟକଙ୍କ ସହ ତାଙ୍କ ପୁତ୍ରଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ କଟୁ ଶବ୍ଦ ପ୍ରୟୋଗ ହୋଇଛି ଏହି ବ୍ୟାନରଗୁଡ଼ିକରେ ।

ସହରର କଜଳା, ଶ୍ୟାମସୁନ୍ଦରପୁର ଗଡ଼ା, ଦୁହୁରିଆ ଓ ଇଚ୍ଛାପୁରରେ ଲଗାଯାଇଥିବା ବ୍ୟାନରରେ ଲେଖାଅଛି ‘କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀରେ ପିସି ଆଦାୟ ଛଡ଼ା ଆଉ କରିଛ, ଶଶି ତୁମେ  ଜବାବ ଦିଅ ’ । ଆଉ ଲେଖାଅଛି ‘ବାପ-ପୁଅ ଗ୍ୟାଙ୍ଗ୍‌ ହଟାଅ, କେନ୍ଦ୍ରାପଡ଼ା। ବଞ୍ଚାଅ’ ।  ଶଶି ଭୂଷଣ ବିଧାୟକ, କିନ୍ତୁ ତାଙ୍କ ପୁଅ ମାମଲତକାର ସାଜିଛନ୍ତି । ଏହାକୁ  ନେଇ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଅଛି । କିନ୍ତୁ ତାଙ୍କ ନିଜ ଦଳର ଲୋକମାନେ ଭୟଙ୍କର କ୍ଷୁବ୍ଧ । ଗ୍ରାମାଞ୍ଚଳରେ ବାପ-ପୁଅଙ୍କ ବିରୋଧରେ ତେଜୁଛି ଆକ୍ରୋଶ । ଏହା ଅଧିକ ଦିନ ଜାରି ରହିଲେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହେବ ବିଜୁ ଜନତା ଦଳ। 

ନିର୍ବାଚନ ଆଉ ବର୍ଷେରୁ କିଛି ଅଧିକ  ଦିନ ଅଛି । ଯେଉଁ ଭଳି ଶଶିଭୂଷଣଙ୍କ ବିରୋଧରେ ଅସନ୍ତୋଷ ଏବଂ କ୍ରୋଧ ବଢ଼ୁଛି, ଏହାକୁ ଦଳୀୟ ନେତୃତ୍ଵ ନିଜର ଅନ୍ଦାଜ କରିପାରିବେ ନାହିଁ । କଲେ ନିର୍ବାଚନ ବେଳକୁ ଭୋଗିବେ। ତେଣୁ ଦଳ କି ନିଷ୍ପତ୍ତି ନେବ, ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏ ସମ୍ପର୍କରେ ବିଧାୟକଙ୍କୁ ପଚରାଯିବାରେ ସେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି। ଓଲଟି ଅଭିଯୋଗ କରିଛନ୍ତି ଯେ, ତାଙ୍କ ବିକାଶ କାର୍ଯ୍ୟକ୍ରମକୁ ସହି ନପାରି ଏଭଳି ବିରୋଧ କରୁଥାଇ ପାରନ୍ତି । କିନ୍ତୁ ଏଥ୍‌ରେ ତାଙ୍କର କିଛି ଫରକ ପଡ଼ିବ ନାହିଁ । ଅଞ୍ଚଳ ବିକାଶ ପାଇଁ କି କାମ କରିଛନ୍ତି ତାହା କେନ୍ଦ୍ରାପଡ଼ା ଜନତା ଜାଣନ୍ତି ।

Share this story